Odia News Portal

ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ

ବୁଗୁଡ଼ା : ବୁଗୁଡ଼ା ଥାନା ଅଞ୍ଚଳର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ନିଶା ଦେଇ ଦୁଷ୍କର୍ମ ଉଦ୍ୟମ କରିବାବେଳେ ଜଣେ ବିବାହିତ ଯୁବକ ଗିରଫ ହୋଇଥିବା ଜଣାଯାଇଛି। ସ୍କୁଲ୍ ପାଠପଢା ବନ୍ଦ ଥିବାରୁ ଛାତ୍ରୀ ଜଣକ ଘର କାମରେ ପରିବାରକୁ ସହଯୋଗ କରୁଥିଲେ। ସେ ନାବାଳିକା ହୋଇଥିବା ବେଳେ ଦଳିତ ଶ୍ରେଣୀରେ ବୋଲି ସୂଚନା ମିଳିଛି।

ଏହି ୧୨ ବର୍ଷର ଛାତ୍ରୀ ଜନକ ନିଜ ଘର ନିକଟସ୍ଥ ହଜ ପୋଖରୀ ପାଖରେ ଗତକାଲି ଅପରାହ୍ନରେ ଗଧ ଚରାଉଥିଲେ। ସେ ଏକା ଥିବା ଦେଖି ସେହି ଗ୍ରାମରେ ଆସି ଘରଭଡ଼ା କରି ରହୁଥିବା ଜଣେ ଯୁବକ (୩୦) ପଛପଟୁ ଯାଇ ଛାତ୍ରୀଙ୍କୁ ଭିଡ଼ି ଧରିବା ବେଳେ ଛାତ୍ରୀଟି ଲାତ ଗୋଇଠା ମାରି ଖସି ଯାଇଥିଲା। କିନ୍ତୁ ଯୁବକଟି ଦୌଡ଼ି ଯାଇ ପୁଣି ଛାତ୍ରୀଙ୍କୁ କବଜା କରି ଏକ ଲଟି ଉହାଡକୁ ନେଇ ମାଡିବସି ଦୁଷ୍କର୍ମ ଉଦ୍ୟମ କରିଥିଲା। ଛାତ୍ରୀ ଜଣକ ଛାଟିପିଟି ହେବାରୁ ଯୁବକଟି କିଛି ନିଶା ଦ୍ରବ୍ୟ ପାଟିରେ ପୁରାଇ ଦେଇଥିଲେ ଟଣା ଓଟରା କରିବା ଭିତରେ ଛାତ୍ରୀଟି ଉକ୍ତ ଯୁବକର ହାତକୁ କାମୁଡ଼ି ଦୌଡ଼ି ପଳାଇ ଆସିଥିଲେ। ଘଟଣା ସମ୍ପର୍କରେ ଭାଉଜଙ୍କୁ କହିବା ପରେ ଛାତ୍ରୀଙ୍କ ବାପା ଯାଇ ସେହି ଯୁବକଙ୍କୁ ଧରିଆଣି ନିଜ ଘରେ ଏକ କୋଠରୀରେ ବନ୍ଦ କରି ରଖିଥିଲେ।

ଖବର ପାଇ ପୋଲିସ୍ ଛାତ୍ରୀଙ୍କ ଘରକୁ ଯାଇ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇବା ସହ ଅଭିଯୁକ୍ତ ଯୁବକ କୁ ଆଣି ରାତିରେ ଅଟକ ରଖି ପଚରା ଉଚରା କରିଥିଲେ। ଉକ୍ତ ଯୁବକ ଜଣକ ବିବାହିତ ଓ ଦୁଇଟି ଝିଅଙ୍କ ପିତା ବୋଲି ପୋଲିସକୁ କହିଥିଲା। ତା ପ୍ୟାଣ୍ଟ୍ ପକେଟରୁ ଅଳ୍ପ ମାତ୍ରାରେ ଥିବା ଗଞ୍ଜେଇ ପୋଲିସ ତଦନ୍ତ କରି ବାହାର କରିଥିଲା। ସେ ଗଞ୍ଜେଇ ଧରିଥିବା ଯୋଗୁ ଛାତ୍ରୀଙ୍କୁ ଗଞ୍ଜେଇ ଖୁଆଇ ଦୁଷ୍କର୍ମ ଉଦ୍ୟମ କରିଥିବା ପୋଲିସ ସନ୍ଦେହ କରୁଛି। ପୀଡ଼ିତା ଛାତ୍ରୀଙ୍କ ବାପା ପୋଲିସ୍ ରେ ଏତଲା ଦେଇଥିବା ବେଳେ ପୋଲିସ୍ କେଶ୍ ନମ୍ୱର୍ ୧୫୯/୨୧ ରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାମଲାର ତଦନ୍ତ ଦାୟିତ୍ୱ ଏସ୍ .ଆଇ ତନୁଶ୍ରୀ ସାହୁ ନେଇଥିବା କହିଛନ୍ତି ଆଇ ଆଇସି ଚିତ୍ତରଞ୍ଜନ ବେହେରା।