Odia News Portal

ସର୍ବସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ, ଲୋକ ସାଜିଲେ ଦେଖଣା ହାରି

ଭୁବନେଶ୍ୱର: ସମସ୍ତେ ଦେଖୁଥିଲେ । ହେଲେ କେହି ବି ପ୍ରତିବାଦ କରୁନଥିଲେ । ଯୁବତୀଙ୍କୁ ସର୍ବ ସମ୍ମୁଖରେ ଦୁଷ୍କର୍ମ ଉଦ୍ୟମ କରୁଥିଲା ନର ରାକ୍ଷସ । କିନ୍ତୁ ଲୋକେ ସାଜିଥିଲେ ଦେଖଣାହାରି । ତେବେ ଏହା କୌଣସି ଉପାନ୍ତ ଅଞ୍ଚଳର କଥା ନୁହେଁ । ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଘଟିଛି ଏଭଳି ଘଟଣା । ରସୁଲଗଡ଼ ଛକ ଉପରେ ଘଟିଛି ଏଭଳି ଲଜ୍ଜାଜନକ ଖବର । ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇନଥିବା ମଧ୍ୟ ଅଭିଯୋଗ ହୋଇଛି । ଯୁବତୀଙ୍କୁ ନ୍ୟାୟ ଦେବେ କଣ ଓଲଟା ତାଙ୍କୁ ଡରାଇଥିବା ମଧ୍ୟ ଶୁଣିବାକୁ ମିଳୁଛି ।

କହିରଖୁଛୁ କି, ଏକ ଘରୋଇ ସୂତା କମ୍ପାନୀରେ କାମ କରି ଫେରୁଥିବା ଯୁବତୀଙ୍କୁ ଜାଣିଶୁଣି ଧକ୍କା ଦେଇଥିଲା ଅଭିଯୁକ୍ତ । ଯୁବତୀ ଏହାର ପ୍ରତିବାଦ କରିବାକୁ ତାଙ୍କୁ ଅଶ୍ଳୀଳ ବ୍ୟବହାର କରିବା ସହ ତାଙ୍କର ସମ୍ବେଦଳଶୀଳ ଅଙ୍ଗକୁ ଛୁଇଁଥିଲା ଯୁବକ । ତେବେ ଏଭଳି ଅଭଦ୍ରାମୀ ଦେଖିବା ପରେ ସାଙ୍ଗରେ ଥିବା ଅନ୍ୟ ଯୁବତୀମାନେ ଭୟରେ ଛତ୍ରଭଙ୍ଗ ଦେଇଥିଲେ । ଯୁବକ ଜଣକ ଗୋଡ଼ାଇ ଗୋଡ଼ାଇ ଯୁବତୀଙ୍କୁ ଅସଦାଚରଣ କରିବାକୁ ଚେଷ୍ଟା କରିଥିଲା । ଜୀବନ ବିକଳରେ ଏକ ମନ୍ଦିର ଭିତରେ ପଶିଯାଇଥିଲେ ଯୁବତୀ । ତେବେ ସବୁକିଛି ଭୁଲିଯାଇ ସେଠାରେ ଯୁବତୀଙ୍କୁ ଖରାପ ବ୍ୟବହାର କରିବା ସହ ମାଡ଼ ମାରି ରକ୍ତାକ୍ତ କରିଥିଲା ଅଭିଯୁକ୍ତ ।

ଅନ୍ୟ ଯୁବତୀମାନେ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପହଞ୍ଚିଥିଲା ଭ୍ୟାନ । କିନ୍ତୁ ଅଭିଯୁକ୍ତ ଜଣକ ସେଠାରୁ ଖସି ପଳାଇବାରେ ସକ୍ଷମ ହୋଇଥିଲା । ତେବେ ସ୍ଥାନୀୟ ଲୋକଙ୍କୁ ପଚାରିବାରୁ ଜଣାପଡିଛି କି, ଅଭିଯୁକ୍ତ ଜଣକ ରସୁଲଗଡ଼ ଅଞ୍ଚଳର । ତେବେ ପୋଲିସ ଏଯାବତ କୌଣସି ପଦକ୍ଷେପ ନେଇ ନଥିବା ଅଭିଯୋଗ ହୋଇଛି । ସବୁଠୁ ବଡ଼ କଥା ହେଉଛି କି, ଏହି ଘଟଣା କେବଳ ପ୍ରଥମ ନୁହେଁ । ପୂର୍ବରୁ ଅନେକ ଝିଅଙ୍କୁ ଏଭଳି ଖରାପ ବ୍ୟବହାର କରୁଛନ୍ତି ସ୍ଥାନୀୟ ଅଞ୍ଚଳରୁ କିଛି ଯୁବକ । ରାତିରେ କାମ ସାରି ଫେରୁଥିବା ଯୁବତୀ ଏବଂ ମହିଳାମାନେ ଅସୁରକ୍ଷିତ ଥିବା ଅଭିଯୋଗ କରିଛନ୍ତି । ତେବେ ପୋଲିସ ଏଦିଗରେ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।