Odia News Portal

ପ୍ରଦୀପଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ପିପିଲି, ରୁଦ୍ର ହେଲେ ବିଧାୟକ

ଭୁବନେଶ୍ୱର: ଆଜି ହେଉଛି ସେହି ତାରିଖ, ଅକ୍ଟେବାର ୩ । ଯେଉଁ ତାରିଖରେ ଯେଉଁ ତିଥୀରେ ପିପିଲିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ହୋଇଥିଲା । ଠିକ ବର୍ଷକ ପରେ ପିପିଲି ପାଇଛି ନୂଆ ବିଧାୟକ । ତାହା ପୁଣି ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କୁ । ପିପିଲି ଡେଲାଙ୍ଗବାସୀ ନିଜ ପ୍ରିୟ ନେତାପ୍ରଦୀପ ମହାରଥୀଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନିଜ ଭୋଟ ମାଧ୍ୟମରେ । ଡେଲାଙ୍ଗ ଓ ପିପିଲିରୁ ସର୍ବାଧିକ ଭୋଟ ପାଇ ୨୦ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଛନ୍ତି ରୁଦ୍ର ମହାରଥୀ । ଆଉ ରୁଦ୍ରଙ୍କ ବିଜୟ ସହ ଶ୍ରଦ୍ଧାଞ୍ଜଳି ବଦଳରେ ସେଲିବ୍ରେସନ ଆରମ୍ଭ ହୋଇଛି । ଗୋଟିଏ ପରେ ଗୋଟିଏ ରାଉଣ୍ଡ ବଢ଼ିଚାଲିଥିଲା ଭୋଟ ପରେ ଭୋଟ ବ୍ୟବଧାନ ବଢ଼ିଚାଲିଥିଲା । ବିଜେଡିକୁ କାଉଣ୍ଟର କରିବା ପାଇଁ ଏମିତିକି ବିଜେପି ପାଖରେ କୌଣସି ଅସ୍ତ୍ର ହିଁ ନଥିଲା । ତମାମ ପ୍ରସଙ୍ଗ, ତମାମ ବିରୋଧୀ ଦଳର ପ୍ରଚାର ସତ୍ତେ୍ୱ ସବୁକିଛି ଫିକା ପଡ଼ିଛି ବିଜେଡି ଓ ରୁଦ୍ରଙ୍କ ଆଗରେ । ପିପିଲି ଓ ଡେଲାଙ୍ଗରେ ବିଜେଡି ଝଣ୍ଡା ଉଡାଇଛି ଓ ମାଟି କାମୁଡ଼ି ପଡ଼ିଛି ବିଜେପି ।

ସେପଟେ କଂଗ୍ରେସ କଥା ନକହିବା ଭଲ । କଂଗ୍ରେସ ଲଢ଼େଇରେ ବହୁ ପଛରେ ପଡ଼ିଛି । ପ୍ରଥମର ରାଉଣ୍ଡରୁ ବିଜେଡି ବିଜେପିକୁ ପଛରେ ପକାଇ ଧିରେ ଧିରେ ବିଜୟ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଆଉ ଶେଷରେ ବିଜେଡି ସପକ୍ଷରେ ଯାଇଛି ଫଳାଫଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ରୁଦ୍ରଙ୍କୁ ସାଧାରଣ ଜନତାଙ୍କ ସମର୍ଥନ ଶେଷରେ ଭୋଟରେ କନଭର୍ଟ ହୋଇଛି ଆଉ ବିଜେଡି ନିଜ ଗଡ଼କୁ ବଞ୍ଚେଇ ରଖିବାରେ ସମର୍ଥ ହୋଇଛି ।

୨୫ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ୯୬ ହଜାର ୧୯୬ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଆଶ୍ରୀତ ପଟ୍ଟନାୟକ ୭୫ ହଜାର ୫୮୫ ଖଣ୍ଡ ଭୋଟ ପାଇଛନ୍ତି । ସେ ରୁଦ୍ର ମହାରଥୀଙ୍କଠାରୁ ୨୦,୬୧୧ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ସେ ଦ୍ୱିମୁଖୀ ଲଢ଼େଇ ବହୁ ପଛରେ ପଡ଼ିଛି କଂଗ୍ରେସ । ବିଶ୍ୱକେଶନ ମାତ୍ର ୩୯୬୮ ଖଣ୍ଡ ଭୋଟ ପାଇଛନ୍ତି ।

ସୂଚନା ଥାଉକି, ପିପିଲିର ଦିବଙ୍ଗତ ନେତା ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏହି ଆସନ ଖାଲି ପଡ଼ିଥିଲା । ଆଉ ଉପନିର୍ବାଚନ ଲାଗି ଆରମ୍ଭ ହୋଇଥିଲା କସରତ । ବିଜେଡ଼ି ପକ୍ଷରୁ ରୁଦ୍ର ପ୍ରାଥୀ ହୋଇଥିବାବେଳେ ବିଜେପି ପକ୍ଷରୁ ଆଶ୍ରୀତ ପଟ୍ଟନାୟକ ହୋଇଥିଲେ ବିଜେପି ପ୍ରାଥୀ ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ଅଜିତ ମଙ୍ଗରାଜ । ତେବେ ଉପନିର୍ବାଚନ ଲାଗି ତିନି ଦଳର ପ୍ରଚାର ଜୋରଦାର ଜମିଥିଲା । ଆଉ ଭୋଟରଙ୍କ ପାଖରେ ପହଞ୍ଚି ଭୋଟ ମାଗିଥିଲେ । ୧୦ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।

ଦିନ ଯେତିକି ପାଖଉଥିଲା ରାଜନୈତିକ ମାହୋଲ ସେତିକି ସରଗରମ ହେଉଥିଲା । କିନ୍ତୁ ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ ଅଜିତ ମଙ୍ଗରାଜ । ଯେଉଁ କାରଣୁ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ଆଉ ପରବର୍ତ୍ତୀ ସମୟରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିଲେ ବିଶ୍ୱକେଶନ । ହେଲେ ପରବର୍ତ୍ତୀ ପ୍ରଚାରର ଅଧା ଦିନରେ ବାଧକ ସାଜିଥିଲା କରୋନା ଆଉ ପୁଣିଥରେ ନିର୍ବାଚନକୁ ସ୍ଥ୍ଗିତ ରଖାଯାଇଥିଲା । ଆଉ ଏବେ ପୁଣିଥରେ ନିର୍ବାଚନ ହୋଇଥିଲା । ଯାହାର ଫଳାଫଳ ଆଜି ବାହାରିଛି ।