Odia News Portal

ପ୍ରଧାନମନ୍ତ୍ରୀଙ୍କ ନାଁ’ରେ ନାମିତ ମୋଟେରା ଷ୍ଟାଡିୟମ୍

ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଅହମଦାବାଦ: ଗୁଜୁରାଟର ଅହମଦାବାଦ ଠାରେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବଡ କ୍ରିକେଟ ଗ୍ରାଉଣ୍ଡ ମୋଟେରାକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ଦିନ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ୍ ଶାହା, କ୍ରିଡାମନ୍ତ୍ରୀ କିରଣ ରିଜ୍ଜୁ, ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ୍ ପଟେଲ ଉପସ୍ଥିତ ଥିଲେ । ନୂଆ ସୁବିଧା ଓ ସାଜସଜ୍ଜା ସହ ଆରମ୍ଭ ହୋଇଥିବା ଏହି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ଖେଳାଯିବ। ଖାସ କଥା ହେଲା, ଏହି ନୂଆ ଷ୍ଟାଡିୟମର ନାଁ ବଦଳାଇ ନରେନ୍ଦ୍ର ମୋଦି ଷ୍ଟାଡିୟମ ହୋଇଛି।

ଦୁଇ ଦିନିଆ ଗସ୍ତରେ ଗୁଜରାଟ ଯାଇଥିବା ରାଷ୍ଟ୍ରପତି ରାମନାଥ କୋବିନ୍ଦ ପତ୍ନୀଙ୍କ ସହ ସଦର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟ୍ସ ଏନକ୍ଳେଭର ଭୂମିପୂଜନ କରିଛନ୍ତି। ଗତ ବର୍ଷ ଫେବୃଆରୀରେ ପ୍ରଧାନମନ୍ତ୍ରୀ ମୋଦି ଓ ତତ୍କାଳୀନ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ମୋଟେରାରେ ଏକ ସଂଯୁକ୍ତ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆଜି ଅହମଦାବାଦର ନବନିର୍ମିତ ମୋଟେରା ଷ୍ଟାଡିୟମରେ ଖେଳ ଯାଉଛି । ଏହା ଡେ-ନାଇଟ ଟେଷ୍ଟ ମ୍ୟାଚ। ଭାରତ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ ମଧ୍ୟ ମୋଟେରା ଷ୍ଟାଡିୟମରେ ଖେଳାଯିବ।

ଅହମଦାବାଦରେ ନିର୍ମିତ ଏହି ଷ୍ଟାଡିୟମ ୬୩ ଏକର ଜମି ଓ ଉପରେ ନିର୍ମାଣ କରାଯାଇଛି । ଏହି ଷ୍ଟାଡିୟମରେ ଏକାସାଙ୍ଗରେ ୧ ଲକ୍ଷ ୧୦ ହଜାର ହଜାର ଦର୍ଶକ ବସିପାରିବାର ସୁବିଧା ରହିଛି । ବିଶ୍ୱର ସବୁଠାରୁ ବଡମୂର୍ତ୍ତି ‘ଷ୍ଟାଚ୍ୟୁ ଅଫ୍ ୟୁନିଟ୍’ ପରେ ଏହା ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମ ବୋଲି କୁହାଯାଇଛି । ଏହି ଷ୍ଟାଡିୟମ ନିର୍ମାଣ ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାକୁ ଏଲ୍ ଆଣ୍ଡ ଟି କମ୍ପାନୀ ଦ୍ୱାରା ନିର୍ମାଣ କରାଯାଇଛି । ସୂଚନା ମୁତାବକ ପ୍ରଧାନମନ୍ତ୍ରୀଙ୍କର ଏହି ସ୍ୱପ୍ନର ପ୍ରୋଜେକ୍ଟ ପାଇଁ ୭୬ ଟି କର୍ପୋରେଟ୍ ବ୍ୟାଙ୍କ ସହାୟତା ଯୋଗାଇ ଦେଇଛନ୍ତି । ଏହାସହ ଏହି ଷ୍ଟାଡିୟମରେ ଅଲମ୍ପିକ୍ ଷ୍ଟାଡିୟମ ଭଳି ସ୍ୱିମିଂପୋଲ, ଇଣ୍ଡୋର ଏକାଡେମୀ, ଖେଳାଳୀଙ୍କ ପାଇଁ ୪ ଟି ଡ୍ରେସିଂ ରୁମ୍, ଫୁଡ କୋଟ୍ ଓ ଜିସିଏ କ୍ଲବ ହାଉସ୍ ଭଳି ସୁବିଧା ରହିଛି ।