Odia News Portal

କୋଟିପତି ପରିବାର ପାଇଁ ଓକିଲାତି କରୁଥିବା ରାମ ମାଧବଙ୍କୁ କିଛି ପ୍ରଶ୍ନ ….

ଭୁବନେଶ୍ବର () ସାରୁଅ ଜମି କେଳେଙ୍କାରୀ ସାଙ୍ଗକୁ ଦଳିତ ନାବାଳିକା ଦୁର୍ଷମ ଘଟଣା । ଦୁଇଟି ଯାକ ଘଟଣାରେ ବୈଜୟନ୍ତ ପଣ୍ଡା ଓ ଜାଗି ପଣ୍ଡାଙ୍କ ମାଲିକାନାରେ ଥିବା ସଂସ୍ଥାର ସଂପୃକ୍ତି ସ୍ପଷ୍ଟ ହୋଇଛି । ହେଲେ ନିଜର ଭୁଲ ସ୍ବୀକାର କରିବା ପରିବର୍ତ୍ତେ ଅନ୍ୟ ଉପରେ ଦୋଷ ଲଦି ଅଜଥା ରାଜନୈତିକ ହଟଚମଟ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ଆଉ ଏଭଳି ଉଦ୍ୟମ ବିଜେପି ନେତା ରାମ ମାଧବଙ୍କ ଟ୍ବିଟରୁ ସ୍ପଷ୍ଟ ବାରି ହେଉଛି ।

ବୈଜୟନ୍ତ ଓ ଜାଗି ପଣ୍ଡାଙ୍କ ଆବେଦନକୁ ହାଇକୋର୍ଟ ରଦ୍ଦ କରିବା ଏବଂ ତାଙ୍କ ଉପରୁ ସବୁ ପ୍ରକାର ଅନ୍ତରୀଣ ସୁରକ୍ଷା ପ୍ରତ୍ୟାହାର ପରେ ଏବେ ତାଙ୍କ ସପକ୍ଷରେ ବାହାରିଛନ୍ତି ବିଜେପି ନେତା ରାମ ମାଧବ । ଏକ ଟ୍ବିଟରେ ସେ କ୍ରାଇମବ୍ରାଞ୍ଚର କାର୍ଯ୍ୟାନୁଷ୍ଠାନକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଏହି ଘଟଣାକୁ ଅର୍ଣ୍ଣବ ଗୋସ୍ବାମୀଙ୍କୁ ମହାରାଷ୍ଟ୍ରରେ ପୋଲିସ ଗିରଫ ଘଟଣା ସହ ମଧ୍ୟ ତୁଳନା କରିଛନ୍ତି ।

ବୋଧହୁଏ ରାମ ମାଧବ ଭୁଲିଯାଉଛନ୍ତି ଯେ, ରାଷ୍ଟ୍ରୀୟ ସ୍ବୟଂ ସେବକ ବା ଆରଏସଏସ ବର୍ଷ ବର୍ଷ ଧର ଗରିବ ଓ ଦଳିତ ପାଇଁ ଲଢେଇ କରୁଛି । ଏବେ କେମିତି ରାମ ମାଧବ ସୁଟବୁଟ ପିନ୍ଧା ଜଣେ କୋଟିପତି ବ୍ୟବସାୟୀ ପରିବାର ପାଇଁ ଓକିଲାତି କରୁଛନ୍ତି । ସେହି କୋଟିପତି ବ୍ୟବସାୟୀ ପରିବାର ପୁଣି ଦଳିତଙ୍କ ଜମି ହଡପ କରିଛନ୍ତି । ଆଉ ଏଭଳି ଦଳିତ ବିରୋଧୀ ବ୍ୟବସାୟୀଙ୍କ ପାଇଁ ରାମ ମାଧମ କିପରି ହାଇକୋର୍ଟଙ୍କ ରାୟ ବିରୋଧରେ ଯାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କିଛି ବିଜେଡି ନେତା । ନିଜେ ରାମ ମାଧବ ଓଡିଶା ଆସନ୍ତୁ ଓ ସାରୁଅର ଦଳିତ ପରିବାରର ଦୁଃଖ ଦେଖନ୍ତୁ ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ ।

ଓଡିଶାରେ କୌଣସି ଅନୁସୂଚିତ ଜାତି ଲୋକଙ୍କ ଜମି ଜଣେ ଅଣଅନୁସୂଚିତ ଜାତିର ଲୋକ କିଣି ପାରିବେ ନାହିଁ । ଏହା ଦଳିତ ବର୍ଗରୁ ସାମ୍ବିଧାନିକ ସୁରକ୍ଷା । ଜଣେ ଉଚ୍ଚଶିକ୍ଷତ ବ୍ୟକ୍ତି ଭାବେ ରାମ ମାଧବ ଜୟ ଓ ଜାଗି ପଣ୍ଡାଙ୍କ ଭଳି ବେନାମୀ ଟ୍ରାନଜାକସନରେ ଦଳିତଙ୍କ ଜମି କିଣି ସେମାନଙ୍କୁ ସ୍ବର୍ବସ୍ବାନ୍ତ କରିବେ କି ବୋଲି ବିଜେଡି ନେତାମାନେ ପ୍ରଶ୍ନ କରିଛନ୍ତି । ବିଜେଡି ସାଂସଦ ଅମର ପଟ୍ଟନାୟକ ରାମ ମାଧବଙ୍କ ଟ୍ବିଟର ଜବାବରେ କହିଛନ୍ତି ଯେ, ତାଙ୍କୁ ଭେଟିଥିବା ଦଳିତଙ୍କ ଦୁଃଖ ଶୁଣିବା ପରେ ତାଙ୍କ ଆଖିରେ ଲୁହ ଆସିଯାଇଥିଲା । ସେଥିପାଇଁ ସେ ନିଜେ ସେମାନଙ୍କ ପାଇଁ କୋର୍ଟର ବିନା କୌଣସି ପାରିଶ୍ରମିକରେ ଲଢୁଛନ୍ତି ବୋଲି କହିଛନ୍ତି ।

ବୋଧହୁଏ ରାମ ମାଧବ ହାଇକୋର୍ଟଙ୍କ ରାୟକୁ ସମ୍ପୁର୍ଣ୍ଣ ପଢିନାହିଁନ୍ତି । ହାଇକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ ଭାବେ କୌଣସି ରାଜନୈତିକ ଉଦ୍ଦେଶ୍ୟ ଥିବା ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ଏପରିକି ଦଳିତଙ୍କ ଜମି ହଡପ ନେଇ ଆବଶ୍ୟକ ଅପରାଧିକ କାର୍ଯ୍ୟର ପ୍ରମାଣ ଥିବାରୁ ତାଙ୍କ ଉପରୁ ସବୁ ପ୍ରକାର ସୁରକ୍ଷା ପ୍ରତ୍ୟାହାର କରିଛନ୍ତି ।ଜୟ ଓ ଜାଗି ପଣ୍ଡାଙ୍କ ପରିବାର ପ୍ରତି ରାଜନୈତିକ ଆକ୍ରୋଷ ଥିଲେ ତାଙ୍କ ପରିବାର ଓଡିଶାରେ ଦୀର୍ଘ ବର୍ଷ ଧରି ଖଣି ଓ ନିର୍ମାଣ ବ୍ୟବସାୟ କରିପାରିନଥାନ୍ତେ କି ଦୈନିକ କୋଟି କୋଟି ଟଙ୍କା ରୋଜଗାର କରୁନଥାନ୍ତେ । ବୋଧହୁଏ ରାମ ମାଧବ ଏବାବଦରେ ଅନ୍ଧାରରେ ରହିଛନ୍ତି ବୋଲି କହିଛନ୍ତି କିଛି ବିଜେଡି ନେତା ।

ସେହିପରି ଅର୍ଣ୍ଣବ ଗୋସ୍ବାମୀ ବିଜେପିର ହୋଇଥାଇପାରନ୍ତି, କିନ୍ତୁ ନିଜର ରାଜନୈତିକ ଓ ବ୍ୟବସାୟୀକ ସୁରକ୍ଷା ପାଇଁ ନିକଟରେ ବିଜେପିରେ ଯୋଗ ଦେଇଥିବା ପଣ୍ଡା ପରିବାର ପାଇଁ ରାମ ମାଧବ ଏପରି ଅଯୌକ୍ତିକ ଓକିଲାତି କରନ୍ତୁ ନାହିଁ ବୋଲି ସେମାନେ ପରାମର୍ଶ ଦେଇଛନ୍ତି । କାରଣ ପଣ୍ଡା ପରିବାର କେବଳ ସାରୁଅରେ ଦଳିତଙ୍କ ଜମି ହଡପ କରିନାହାଁନ୍ତି, ବରଂ ଏକ ଦଳିତ ନାବାଳିକା ପ୍ରତି ହୋଇଥିବା ଦୁଷ୍କର୍ମକୁ ମଧ୍ୟ ଚାପି ଦେବାକୁ ଚେଷ୍ଟା କରୁଛନ୍ତି । ଏହି ମାମଲାର ଏବେ ବି କ୍ରାଇମବ୍ରାଞ୍ଚ, ମହିଳା କମିଶନ ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ତଦନ୍ତ କରୁଛନ୍ତି ।