Odia News Portal

ରାଜ୍ୟରେ ଦ୍ୱୀତୀୟ ପର୍ଯ୍ୟାୟ ଭୋଟ୍ ଶେଷ : ୭୧% ମତଦାନ,ଶୃଙ୍ଖଳାର ସହ ଭୋଟ ଗ୍ରହଣ

ରାଜ୍ୟରେ ମୋଟ ୭୧% ହୋଇଛି ମତଦାନ । ଏହି ପର୍ଯ୍ୟାୟରେ ମୋଟ ୨ ଲକ୍ଷ ୧୦ ହଜାରରୁ ଅଧିକ ଭୋଟର ରହିଥିଲେ । ରାଜ୍ୟରେ ପଞ୍ଚାୟତି ରାଜ ଅନୁଷ୍ଠାନ ଗୁଡିକର ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ମୋଟ ୬୮ଟି ବ୍ଲକର ୧୫୧୪ ଟି ଗ୍ରାମ ପଞ୍ଚାୟତରେ ୧୮୬ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୨୦,୪୩୬ ବୁଥରେ ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନ ଶେଷ ହୋଇଛି ।

ଭୋଟ ଗ୍ରହଣ ସମୟରେ ଅଳ୍ପ କିଛି ସ୍ଥାନରେ ସାମାନ୍ୟ ଗଣ୍ଡଗୋଳ ଏବଂ ବିଶୃଙ୍ଖଳାକୁ ବାଦ ଦେଲେ ମୋଟାମୋଟି ଭାବରେ ଶାନ୍ତି ଶୃଙ୍ଖଳାର ସହିତ ଭୋଟ ଗ୍ରହଣ କାର୍ଯ୍ୟ ସମ୍ପନ୍ନ ହୋଇଛି । ପ୍ରଥମ ପର୍ଯ୍ୟାୟରେ ହୋଇଥିବା ବିଶୃଙ୍ଖଳାକୁ କମିଶନ ଗମ୍ଭିରତାର ସହ ବିଚାରକୁ ନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା ସହ ଶାନ୍ତିପୁର୍ଣ୍ଣ ଭାବେ ପଞ୍ଚାୟତ ନିର୍ବାଚନ ସାରିବା ପାଇଁ ପୋଲିସ ଡି.ଜି.ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ନିର୍ବାଚନରେ ପରିସ୍ଥିତି ଉନ୍ନତି ପରିଲକ୍ଷିତ ହୋଇଛି । କିଛି ସ୍ଥାନରେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ନିର୍ବାଚନ କାର୍ଯ୍ୟରେ ଅସୁବିଧା ସୃଷ୍ଟି ହେବା ଫଳରେ ଭୋଟ ଗ୍ରହଣ ବାଧାପ୍ରାପ୍ତ ହୋଇଛି । ପ୍ରାଥମିକ ରିପୋର୍ଟ ଅନୁଯାୟୀ ଜଗତସିଂହପୁର ଓ ଯାଜପୁର ଜିଲ୍ଲାର କିଛି ବୁଥରେ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି । ଏତଦ୍‌ବ୍ୟତୀତ ବାଲଟ ପେପରରେ ତୃଟି ପାଇଁ ଦୁଇ ତିନୋଟି ସ୍ଥାନରେ ପୁନଃ ନିର୍ବାଚନ ଆବଶ୍ୟକ ହୋଇପାରେ ।

ଏ ସମ୍ପର୍କରେ ସମ୍ପୃକ୍ତ ଜିଲ୍ଲାପାଳଙ୍କଠାରୁ ବିସ୍ତୃତ ରିପୋର୍ଟ ପାଇଲାପରେ ରାଜ୍ୟ ନିର୍ବାଚନ କମିଶନ ସେ ବିଷୟରେ ଅନୁଧ୍ୟାନ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଆଜିର ନିର୍ବାଚନରେ ଭାଗ ନେଇଥିବା ସମସ୍ତ ଅଧିକାରୀ, ପୋଲିସ କର୍ତ୍ତୃପକ୍ଷ, ସମସ୍ତ ଜନସାଧାରଣ ତଥା ଭୋଟର ମାନେ ସକ୍ରିୟ ଅଂଶ ଗ୍ରହଣ କରିବା ସହିତ ଶାନ୍ତି ଶୃଙ୍ଖଳାରେ ନିର୍ବାଚନ ଶେଷ ହୋଇଥିବାରୁ ଆଗାମୀ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ସ୍ଥାନମାନଙ୍କରେ ମଧ୍ୟ କମିଶନ ଏହିପରି ସହଯୋଗ ଆଶା କରୁଛନ୍ତି ବୋଲି କହିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ଆଦିତ୍ୟ ପ୍ରସାଦ ପାଢୀ ।