Odia News Portal

ଇଚ୍ଛାରେ ନା ଚାପରେ ଇସ୍ତଫା

ଭୁବନେଶ୍ୱର () ଓଟିଭିରୁ ରମେଶ ରଥଙ୍କ ଇସ୍ତାଫାକୁ ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ରମେଶଙ୍କୁ ଜଣେ ମହିଳା ସାଂସଦଙ୍କ ମିଛ ଓ ଅଶ୍ଳୀଳ ଭିଡିଓ ଭାଇରାଲ ଘଟଣାରେ ପୋଲିସର ପଚାରାଉଚରାକୁ ନେଇ ଚ୍ୟାନେଲ କର୍ତ୍ତୃପକ୍ଷ ସରକାରଙ୍କ ଉପରକୁ କାଦୁଅ ଫୋପାଡୁଥିଲା ସେହି ସଂସ୍ଥା ତାଙ୍କୁ କାହିଁକି ସୁରକ୍ଷା ଦେଉନି? ରମେଶ ନିଜ ଇଚ୍ଛାରେ ଇସ୍ତଫା ଦେଇଛନ୍ତି ନା ଚାପରେ ଚାକିରୀ ଛାଡିଛନ୍ତି, ଏମିତି କିଛି ପ୍ରଶ୍ନରେ ଛନ୍ଦି ହୋଇଛନ୍ତି ରାଜ୍ୟର ଅନେକ ସାମ୍ବାଦିକ ଓ ବୁଦ୍ଧିଜୀବି ।

ଓଟିଭିରୁ ହଠାତ କାହିଁକି ଇସ୍ତଫା ଦେଲେ ସାମ୍ବାଦିକ ରମେଶ ରଥ ? ଅନେକ କଳ୍ପନାଜଳ୍ପନା , ଅନେକ ପ୍ରଶ୍ନ

ଆଦିବାସୀ ମହିଳା ସାଂସଦ ତଥା ଦେଶର ସର୍ବକନିଷ୍ଠ ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଫେକ୍ ଅଶ୍ଲୀଳ ଭିଡିଓ ଭାଇରାଲ ଅଭିଯୋଗରେ ତାଙ୍କୁ କେନ୍ଦୁଝର ପୋଲିସ ରମେଶ ରଥଙ୍କୁ ଗିରଫ କରି ପଚରାଉଚୁରା କରିଥିଲା । ରମେଶ ରଥଙ୍କୁ ପୋଲିସ ଗିରଫ କଲା ପରେ ଓଟିଭି କର୍ତୃପକ୍ଷ ନିଜର ଧୂମିଳ ଭାବମୂର୍ତିକୁ ବଂଚାଇବାକୁ ଯାଇ ଭିକ୍ଟିମ କାର୍ଡ ଖେଳିଥିଲେ । ରାଜ୍ୟ ସରକାରଙ୍କ ବିରୋଧରେ ଟିକଟୀପ୍ପଣୀ କରି ନିଜ ଚ୍ୟାନେଲରେ ଏକାଧିକ ଭୁଲ୍ ଖବର ପ୍ରସାରଣ କରିଥିଲେ । ସାମ୍ବାଦିକଙ୍କ ରମେଶ ରଥଙ୍କ ସୁରକ୍ଷା ଆଳରେ ଏକ ପ୍ରକାର ପ୍ରୋପୋଗାଣ୍ଡା ଚଳାଇବାରେ ଆଦୌ କୁଂଠାବୋଧ କରି ନ ଥିଲେ ଓଟିଭି କର୍ତୃପକ୍ଷ । ଏପରିକି ରମେଶଙ୍କ ଗିରଫଦାରି ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଓଟିଭି ପ୍ରମୋଟର ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡା ଓଡିଶାକୁ ପାକିସ୍ତାନ ସହ ତୁଳନା କରିଥିଲେ । ଏହି ମନ୍ତବ୍ୟ ନେଇ ବେଶ୍ ହୋହଲ୍ଲା ହୋଇଥିଲେ ।

ବୋଧହୁଏ ଏ ପ୍ରକାର ମନ୍ତବ୍ୟ ଦେଇ ମୁଖ୍ୟ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଇଥିଲା । ଏସବୁ ମଧ୍ୟରେ ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଓଟିଭି କର୍ତୃପକ୍ଷଙ୍କ ବିରୋଧରେ ସ୍ୱାଧୀକାର ଭଙ୍ଗ ନୋଟିସ ଆଣିବାକୁ ଅନୁରୋଧ କରି ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଥିଲେ । ଫଳରେ ଓଟିଭି କର୍ତୃପକ୍ଷଙ୍କ ଅଡୁଆ ବଢିବାରେ ଲାଗିଥିଲ । ତେବେ ସାମ୍ବାଦିକ ରମେଶଙ୍କ ଗିରଫଦାରୀକୁ ଆଳ କରି କିିଛି ରାଜନୈତିକ ପଏଂଟ ହାସଲ କରିବାକୁ ଉଦ୍ୟମ କରିଥିଲେ ବୈଜୟନ୍ତ ପଣ୍ଡା । କିନ୍ତୁ ସଫଳତା ମିଳିଲା ନାହିଁ।

ଏସବୁ ମଧ୍ୟରେ ସାମ୍ବାଦିକ ରମେଶ ରଥ ତାଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରି ଗୋଟିଏ ଦୁଇଟି ମନ୍ତବ୍ୟ ଦେଇ ଚୁପ୍ ହୋଇ ବସିଥିଲେ । କିନ୍ତୁ ଗତକାଲି ହଠାତ ଓଟିଭିରୁ ରମେଶ ଇସ୍ତଫା ଦେବା ଏକ ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ରମେଶ ରଥଙ୍କ ଓଟିଭିରୁ ଇସ୍ତଫା ଦେବାକୁ ଅନେକ ସହଜରେ ଗ୍ରହଣ କରିପାରୁନାହାନ୍ତି । ‘ରାଜ୍ୟରେ ସାମ୍ବାଦିକ ଅସୁରକ୍ଷିତ’ ଥିଓରୀ ବିଫଳ ହେଲା ପରେ ଓଟିଭି କର୍ତୃପକ୍ଷ ରମେଶ ରଥଙ୍କ ଇସ୍ତଫା ପାଇଁ ଏକ ପ୍ରକାର କ୍ଷେତ୍ର ପ୍ରସ୍ତୁତ କରିଥିଲେ କି ? ନା ରମେଶ ରଥଙ୍କର ହୃଦୟଙ୍ଗମ ହୋଇଥିଲା ଯେ, ସେ ନିଜ ଚ୍ୟାନେଲର ମାଲିକଙ୍କ ଉପରେ ଆଉ ଭରସା କରି ହେବ ନାହିଁ ? ସତରେ କଣ ରମେଶ ରଥଙ୍କ ଓଟିଭି ପ୍ରତି ମୋହଭଙ୍ଗ ହୋଇଛି । ନା ଓଟିଭି କର୍ତ୍ତୃପକ୍ଷ ନିଜକୁ ଆଇନର ଗୋଲାକଧନ୍ଦାରୁ ମୁକୁଳାଇବାକୁ ରମେଶଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିନାହାନ୍ତି ତ ? ଏମିତି ଅନେକ ପ୍ରଶ୍ନର ପାହାଡ଼ ଛିଡା ହୋଇଛି ।