Odia News Portal

ପୁଅ, ଝିଅଙ୍କ ସହ ମାଆଙ୍କ ଇସ୍ତଫାକୁ ଗ୍ରହଣ କଲାନି ଦଳ

ଯେତେ ଯାହା କଲେ ବି କଂଗ୍ରେସର କିଛି ପରିବର୍ତ୍ତନ ହେଉନି । ବରଂ ପ୍ରତିଥର ନିର୍ବାଚନରେ ଦଳର ଖରାପ ପ୍ରଦର୍ଶନ ପୁରୁଖା ନେତାଙ୍କ ଚିନ୍ତା ବଢାଇ ଦେଇଛି । ନିକଟରେ ଶେଷ ହୋଇଥିବା ପା଼ଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନକୁ କେହି ହଜମ କରିପାରୁନାହାଁନ୍ତି । ବିଶେଷକରି ଉତ୍ତରପ୍ରଦେଶରେ କଂଗ୍ରେସକୁ ଚରମ ବିଫଳତାର ସମ୍ମୁଖୀନ ହେବାକୁ ପଡିଛି । ଉତ୍ତର ପ୍ରଦେଶ ନିର୍ବାଚନ ଦାୟିତ୍ବର ମଙ୍ଗ ଧରିଥିଲେ ଏଆଇସିସି ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା । ମାତ୍ର ପ୍ରିୟଙ୍କାଙ୍କ ନେତୃତ୍ବର ପ୍ରଭାବ ଉତ୍ତର ପ୍ରଦେଶରେ କିଛି ପଡିଲାନି । 2019 ସାଧାରଣ ନିର୍ବାଚନରେ କଂଗ୍ରେସର ବିପର୍ଯ୍ୟୟ ପରଠାରୁ ରାହୁଲ ଗାନ୍ଧୀ ଦଳର କୌଣସି ପଦପଦବୀରେ ନାହାଁନ୍ତି । ଏଭଳି ସ୍ଥିତିରେ ନିକଟରେ ଶେଷ ହୋଇଥିବା ନିର୍ବାଚନରେ ଚରମ ବିପର୍ଯ୍ୟୟର ସମୀକ୍ଷା ପାଇଁ ଗତକାଲି ଅନୁଷ୍ଠିତ ସୋନିଆ ଗାନ୍ଧୀ ଦଳର ପୁରୁଖା ନେତାଙ୍କ ବୈଠକ ଡାକିଥିଲେ । ଲଗାତର ଭାବେ କଂଗ୍ରେସର ବିପର୍ଯ୍ୟୟ ପାଇଁ ପୁଅ, ଝିଅଙ୍କ ସହ ସେ ଦଳୀୟ ପଦବୀରୁ ଓହରି ଯିବାକୁ ପ୍ରସ୍ତାବ ଦେଇଥିଲେ । ଦଳର ସ୍ବାର୍ଥ ପାଇଁ ସେମାନେ ପଦପଦବୀ ଛାଡିବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଥିଲେ । ମାତ୍ର ସୋନିଆଙ୍କ ଏହି ପ୍ରସ୍ତାବକୁ ସିଡବ୍ଲୁସି ବୈଠକରେ କେହି ଗ୍ରହଣ କରି ନ ଥିଲେ । ଦଳର ବରିଷ୍ଠ ନେତା ଅଧିର ରଂଜନ ଚୌଧୁରୀ କହିଛନ୍ତି , ସୋନିଆ ଗାନ୍ଧୀଙ୍କ ପ୍ରସ୍ତାବକୁ ବୈଠକରେ ଅଗ୍ରାହ୍ୟ କରି ଦିଆଯାଇଥିଲା ।