Odia News Portal

ସ୍କଚ୍‌ ଆଓ୍ୱାର୍ଡର ସେମିଫାଇନାଲରେ ସୁନ୍ଦରଗଡ଼

ଭୁବନେଶ୍ୱର: ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ସୁନ୍ଦରଗଡ଼ | ସ୍କଚ୍‌ ଆଓ୍ୱାର୍ଡ ୨୦୨୦ରେ ରାଜ୍ୟର ଏକମାତ୍ର ଜିଲ୍ଲା ଭାବେ ସୁନ୍ଦରଗଡ଼ ସ୍ଥାନ ପାଇଛି । ଜିଲ୍ଲାର ବିକାଶ କ୍ଷେତ୍ରରେ ବିଭିନ୍ନ ଅଭିନବ କାର୍ଯ୍ୟକ୍ରମ ଲାଗୁ କରି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମର୍ଯ୍ୟାଦାଜନକ ‘ସ୍କଚ୍ ଆୱାର୍ଡ଼’ର ସେମିଫାଇନାଲରେ ପହଁଚିଛି । ଜାତୀୟ ସ୍ତରରେ ପରିଚିତ ଏହି ପୁରସ୍କାରର ‘ବେଷ୍ଟ ପ୍ରାକ୍ସିସେସ୍‌’ ବର୍ଗରେ ସେମି ଫାଇନାଲ ପର୍ୟ୍ୟାୟକୁ ଉତ୍ତୀର୍ଣ୍ଣ ହୋଇଛି ସୁନ୍ଦରଗଡ଼। ଏନେଇ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପଓ୍ୱନ କଲ୍ୟାଣଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍‌ ଯୋଗେ ଏହି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ମାଧ୍ୟମରେ ଅଭିନବ କାର୍ଯ୍ୟକ୍ରମ ହାତକୁ ନେଇ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ସ୍କଚ୍ ଆୱାର୍ଡ଼ର ସେମିଫାଇନାଲରେ ପହଁଚିଥିବାରୁ ମୁଁ ଶୁଭେଚ୍ଛା ଜଣାଉଛି। ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ହିତ ପାଇଁ ଓଡ଼ିଶା ସରକାର ସବୁବେଳେ ଧ୍ୟାନ ଦେଇଆସୁଛନ୍ତି”, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସୋସିଆଲ ମିଡିଆ ମାଧ୍ୟମରେ ଅଭିନନ୍ଦନ ଜଣାଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୭୦ତମ ସ୍କଚ୍ ସମ୍ମିଳନୀ ଓ ଭର୍ଚୁଆଲ ପ୍ରଦର୍ଶନୀରେ ସାରା ଦେଶରୁ ୧ ହଜାରରୁ ଅଧିକ ବିଶେଷଜ୍ଞ ତଥା ପ୍ରତିନିଧି ଯୋଗ ଦେଇଥିଲେ। ସେଠାରେ ସୁନ୍ଦରଗଡ଼ ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନର ବିଭିନ୍ନ ଅଭିନବ କାର୍ଯ୍ୟ ଓ ପ୍ରକଳ୍ପ ଏବଂ ତାହାର ପ୍ରଭାବ ସମ୍ପର୍କରେ ତଥ୍ୟ ଉପସ୍ଥାପିତ ହୋଇଥିଲା। ବିଚାରକ ମଣ୍ଡଳୀର ମୂଲ୍ୟାୟନ ଅନୁସାରେ ସ୍କଚ୍ ଆୱାର୍ଡର ସେମିଫାଇନାଲ ପର୍ଯ୍ୟାୟଭୁକ୍ତ ହୋଇ ଅର୍ଡର ଅଫ୍ ମେରିଟ୍ ଲାଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ।