Odia News Portal

କଟକରେ ଟମାଟୋ ଫ୍ଲୁ’ଆତଙ୍କ

ଏବେ ଦେଶରେ ମୁଣ୍ଡ ଟେକିଛି ଟମାଟୋ ଫ୍ଲୁ’ ଆତଙ୍କ | କେରଳ ଓ କର୍ଣ୍ଣାଟକ ପରେ ଏବେ କଟକରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ’ ଆତଙ୍କ | ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ, ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା ପ୍ରାୟ ୨୦ଜଣ ଶିଶୁ କଟକ ବୟାଳିଶମୌଜା ଅଞ୍ଚଳରେ ଚିହ୍ନଟ ହୋଇଛନ୍ତି । ଶିଶୁମାନଙ୍କ ଜଂଘ ଓ ଅନ୍ୟାନ୍ୟ ଜାଗାରେ ଲାଲ ଫୋଟକା ଭଳି ଫଳିଯାଉଥିବାବେଳେ ଜ୍ୱର ଛାଡୁନାହିଁ ।

ଏହା ଟମାଟୋ ଫ୍ଲୁ’ ବୋଲି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ଅନ୍ୟପକ୍ଷରେ ଏ ସମ୍ପର୍କରେ ପ୍ରଶାସନ ପାଖରେ କୌଣସି ସୂଚନା ନଥିବା କୁହାଯାଇଛି । ବୟାଳିଶମୌଜା ସରିଚୁଆଁ ପଞ୍ଚାୟତର କଳପଡ଼ା, ବେଣ୍ଟକାର, କୁଳସରିଚୁଆଁ ଭଳି ପ୍ରାୟ କିଛି ଗ୍ରାମରେ ଶିଶୁଙ୍କ ଠାରେ ଏଭଳି ଲକ୍ଷଣ ପ୍ରକାଶ ପାଇଛି । ଯେଉଁମାନେ ଆକ୍ରାନ୍ତ ହୋଇଛନ୍ତି ସେମାନେ ସମସ୍ତେ ୫ବର୍ଷରୁ କମ୍‌ ।

ଶିଶୁଙ୍କ ଛଡ଼ା ଅନ୍ୟ କାହାରି ଠାରେ ଏଭଳି ରୋଗ ଦେଖାଯାଇନାହିଁ । ଏମିତିକି ପରିବାର ଲୋକେ ଆକ୍ରାନ୍ତ ଶିଶୁର ଯତ୍ନ ନେଉଥିଲେ ମଧ୍ୟ ସେମାନଙ୍କୁ ସଂକ୍ରମଣ ବ୍ୟାପୁନାହିଁ । ତେଣୁ ହାଡଫୁଟି ବା ମିଳିମିଳା ନୁହେଁ ବୋଲି ଲୋକେ ସ୍ପଷ୍ଟ ହୋଇସାରିଛନ୍ତି । ତା’ଛଡ଼ା ଶରୀର ନିର୍ଦ୍ଦିଷ୍ଟ କିଛି ଜାଗା ଯେମିତି ପିଚା, ଜଂଘ ଓ କହୁଣୀରେ ଲାଲ୍‌ ଲାଲ୍‌ ଭଳି ଫୋଟକା ଭଳି ଯାଉଛି । ଏହାର ପ୍ରଭାବରେ ଜ୍ୱର ଛାଡୁନାହିଁ ।

ଏସବୁ ଲକ୍ଷଣ କେରଳ ଓ କର୍ଣ୍ଣାଟକରେ ହୋଇଥିବା ଟମାଟୋ ଫ୍ଲୁ’ ଭଳି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି। ତେବେ ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସତ୍ୟବ୍ରତ ଛୋଟରାୟଙ୍କୁ ପଚାରିବାରେ ତାଙ୍କ ପାଖରେ ସେମିତି କିଛି ରିପୋର୍ଟ ଆସିନଥିବା କହିଛନ୍ତି । ତେବେ ଯଦି ସେଭଳି କିଛି ଲକ୍ଷଣ ପ୍ରକାଶ ପାଏ ତେବେ ତୁରନ୍ତ ଏହାର ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ଏ ସମ୍ପର୍କରେ ଶିଶୁ ରୋଗ ବିଶେଷଜ୍ଞ ତଥା କଟକ ଶିଶୁ ଭବନର ପ୍ରଫେସର ଡା. ସୁନୀଲ ଅଗ୍ରୱାଲଙ୍କୁ ପଚାରିବାରେ ସେ କହିଛନ୍ତି, କେରଳ ଓ କର୍ଣ୍ଣାଟକରେ ଏହି ରୋଗରେ ଆକ୍ରାନ୍ତ ସମସ୍ତଙ୍କ ବୟସ ୫ ବର୍ଷରୁ କମ୍‌ । ଦିନେ ଦୁଇ ଦିନ ଜ୍ୱର ପରେ ଦେହ ବ୍ୟଥା, ଗଣ୍ଠି ବ୍ୟଥା ସହ ଲାଲ୍‌ ଲାଲ୍‌ ଟମାଟୋ ସଦୃଶ ଫଳିଯାଉଛି । ଅଳ୍ପ କୁଣ୍ଡାଇ ହେବା ସହିତ ଦେହରୁ ଜଳୀୟ ଅଂଶ କ୍ଷୟ (ଡିହାଇଡ୍ରେସନ୍‌) ହେଉଛି ।

ବର୍ତ୍ତମାନ ସୁଦ୍ଧା ୮୨ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି । ଦେହରେ ନାଲି ନାଲି ଭଳି ଫଳିବାକୁ ନେଇ ଏହି ରୋଗର ଏଭଳି ନାମକରଣ କରାଯାଇଛି ।