Odia News Portal

ଶ୍ରୀଲଙ୍କାକୁ ସାହାଯ୍ୟ କରିବାକୁ ଚାହୁଁଛି ତାମିଲନାଡୁ

ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାକୁ ଖାଦ୍ୟ ସାମଗ୍ରୀ ଏବଂ ଜୀବନ ରକ୍ଷାକାରୀ ଔଷଧ ପଠାଇବାକୁ ଅନୁମତି ଦେବାପାଇଁ କେନ୍ଦ୍ରକୁ ଅନୁରୋଧ କରି ତାମିଲନାଡୁ ବିଧାନସଭାରେ ଶୁକ୍ରବାର ଦିନ ଏକ ପ୍ରସ୍ତାବ ପାରିତ ହୋଇଛି ।

ଶ୍ରୀଲଙ୍କାକୁ ସହାୟତା ଯୋଗାଇବା ପାଇଁ ରାଜ୍ୟର ଆବଶ୍ୟକତା ଉପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଗୁରୁତ୍ୱାରୋପ କରିଛନ୍ତି।

ଷ୍ଟାଲିନଙ୍କ ଦ୍ବାରା ଉପସ୍ଥାପିତ ପ୍ରସ୍ତାବ ଗୃହରେ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ବିରୋଧୀ ଏଆଇଏଡିଏମକେ ଏବଂ ବିଜେପି ମଧ୍ୟ ଏହାକୁ ସମର୍ଥନ କରିଛନ୍ତି। ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରିବା ବ୍ୟତୀତ ଏଆଇଏଡିଏମକେ ଉପନେତା ପନିରସେଲଭମ୍ ବ୍ୟକ୍ତିଗତ ଭାବେ ଶ୍ରୀଲଙ୍କା ତାମିଲମାନଙ୍କୁ ୫୦ ଲକ୍ଷ ଟଙ୍କା ସହାୟତା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ଏହି ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆମେ ଶ୍ରୀଲଙ୍କାର ବିକାଶକୁ ପଡୋଶୀ ଦେଶର ଆଭ୍ୟନ୍ତରୀଣ ପ୍ରସଙ୍ଗ ଭାବରେ ଛାଡି ପାରିବୁ ନାହିଁ। ଆମକୁ ତୁରନ୍ତ ଏବଂ ତ୍ୱରିତ ସାହାଯ୍ୟ, ମାନବିକ ସହାୟତାର ଯୋଗାଇବା ଆବଶ୍ୟକ ।