Odia News Portal

ମନ୍ତ୍ରୀ ଓ ନେତାଙ୍କ ନାଁରେ ଆହୂତି, ଟାଟା ପାୱାର ବିରୁଦ୍ଧରେ ଅତିଷ୍ଠ ଲୋକଙ୍କ ହୋମ ଯଜ୍ଞ

ଭୁବନେଶ୍ୱର : ଟାଟା ପାୱାର କର୍ତ୍ତୃପକ୍ଷଙ୍କ ମନମାନି ଯୋଗୁଁ ଏବେ ସାଧାରଣ ଲୋକଙ୍କ ନିଶାଣରେ ମନ୍ତ୍ରୀ ଓ ନେତା । ଅସନ୍ତୁଷ୍ଟ ଲୋକେ ପ୍ରତିବାଦ ସ୍ୱରୂପ ଟାଟା ପାୱାର ବିରୁଦ୍ଧରେ ଯଜ୍ଞ ଆୟୋଜନ କରିବା ସହିତ ସେଥିରେ ମନ୍ତ୍ରୀ ଓ ଅଧିକାରୀଙ୍କ ନାମ ନେଇ ଆହୂତି ଦେଉଛନ୍ତି । ସରକାରଙ୍କ ବିରୁଦ୍ଧରେ ଲୋକଙ୍କ ରାଗ ପଞ୍ଚମକୁ ଚଢୁଥିବାବେଳେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ନିର୍ବିକାର ଆଚରଣ ଏବେ ଆଗାମୀ ଦିନରେ ବଡ ସମସ୍ୟା ସୃଷ୍ଟି କରିବାକୁ ଯାଉଛି ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଟାଟା ବିରୋଧି ଯଜ୍ଞରେ ରାଜ୍ୟ ଶକ୍ତିମନ୍ତ୍ରୀ ଓ ଟାଟା ପାୱାରର ଅଧିକାରୀଙ୍କ ନାମ ନେଇ ଆହୁତି ଦିଆଯାଉଛି । ତେବେ ସବୁଠାରୁ ବଡ କଥା ହେଉଛି ଟାଟା ବିରୁଦ୍ଧରେ ଲୋକେ ବ୍ୟାପକ ଅର୍ଥ ଶ୍ରାଦ୍ଧ କରି ଏହି ଯଜ୍ଞର ଆୟୋଜନ କରିଛନ୍ତି । ଏଥିପାଇଁ ହୋଇଥିବା ଆୟୋଜନରୁ ଲୋକଙ୍କ ରାଗ କେତେ ଉପରକୁ ଗଲାଣି ତାହା ସହଜରେ ଅନୁମେୟ । ଏଭଳି ଯଜ୍ଞ ସୋସିଆଲ ମିଡିଆରେ ଭାଇରାଲ ହେଉଥିବାବେଳେ ଟାଟା କର୍ତ୍ତୃପକ୍ଷ କିନ୍ତୁ ସବୁ ଜାଣି ନଜାଣିବା ଆଚରଣ କରୁଛନ୍ତି । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।

ଅନୁଧ୍ୟାନରୁ ଜଣାଯାଇଛି ଯେ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ଘନ ଘନ ବିଜୁଳି କାଟ୍‍ ଓ ବିଜୁଳି ବିଲ୍‍ ବିଭ୍ରାଟରେ ଅତିଷ୍ଠ ଲୋକେ ଏଭଳି ପଦକ୍ଷେପ ନେଇଛନ୍ତି । ଏମାନଙ୍କ ସହିତ ଟାଟା ପାୱାର ଛଟେଇ କରିଥିବା କିଛି କର୍ମଚାରୀ ବି ଯୋଗ ଦେଇଛନ୍ତି । ଏମାନେ ବିଭିନ୍ନ ଫୋରମରେ ଟାଟା ପାୱାର ବିରୁଦ୍ଧରେ ଅଭିଯୋଗ କରିବାପରେ କୌଣସି ସୁଫଳ ନପାଇବାରୁ ଶେଷରେ ଯଜ୍ଞ ଆୟୋଜନ କରିଛନ୍ତି ଓ ଏଥିରେ ଜଣ ଜଣ କରି ନେତା ଓ ଅଧିକାରୀଙ୍କ ନାମ ନେଇ ଆହୂତି ଦେଉଛନ୍ତି । ଏହା ଏବେ ସାଧାରଣରେ ଚର୍ଚ୍ଚାରେ ବିଷୟ ପାଲଟିଥିବାବେଳେ ଟାଟା ପାୱାର ବିରୁଦ୍ଧରେ ଲୋକେ ଧିରେ ଧିରେ ଏକଜୁଟ ହେବାରେ ଲାଗିଛନ୍ତି ।

ଉଲ୍ଲେଖନୀୟ ଯେ ଗତ କିଛିଦିନ ହେଲା ରାଜ୍ୟରେ ଟାଟା ପାୱାର ବିଜୁଳି କାଟ୍‍ ଓ ବିଲ୍‍ ବିଭ୍ରାଟ ସାଙ୍ଗକୁ ଅଭିଯୋଗ ସମାଧାନ ବ୍ୟବସ୍ଥାରେ ଢିଲାପଣ ନେଇ ଲୋକେ ତାତିବାରେ ଲାଗିଛନ୍ତି । ଏ ସଂକ୍ରାନ୍ତରେ ମାଳ ମାଳ ଖବର ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରକାଶ ପାଉଛି । ତେବେ ଏଥିପ୍ରତି କିନ୍ତୁ ଟାଟା କର୍ତ୍ତୃପକ୍ଷ ଧ୍ୟାନ ଦେଉନାହାନ୍ତି । ଏପରିକି ଟାଟା ହାତରେ ବିଜୁଳି ବ୍ୟବସ୍ଥାକୁ ଟେକି ଦେଇଥିବା ରାଜ୍ୟ ସରକାର ବି ନିରବ । ତେଣୁ ଏଭଳି ଅବସ୍ଥା ଲଗି ରହିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଲୋକେ ସରକାର ବିରୋଧରେ ବାହାରିବେ ବୋଲି ଶାସକଦଳର କର୍ମୀମାନେ ଏବେଠାରୁ ଆଶଙ୍କା ପ୍ରକାଶ କଲେଣି । ତେଣୁ ଏହାର ନିରାକରଣ ପାଇଁ ସରକାର ବିଶେଷକରି ଶକ୍ତି ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ସ୍ତରରେ ଦାବି ହେଉଛି ।