Odia News Portal

ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ

ନିୟମିତ କରିବା ଦାବିରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ୪ ହଜାର ଶିକ୍ଷକ । ତେବେ ରାଜ୍ୟର ୪ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ତୁରନ୍ତ ନିୟମିତ କରିବା ଦାବିରେ ଓଡ଼ିଶା ସରକାରୀ ହାଇସ୍କୁଲ ପ୍ରାରମ୍ଭିକ ନିଯୁକ୍ତି ଶିକ୍ଷକ ସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ସଂଘ କହିବାନୁସାରେ, ଗଣଶିକ୍ଷା ବିଭାଗ ଦ୍ୱାରା ଏହି ୪ ହଜାର ଶିକ୍ଷକଙ୍କୁ ୨୦୧୫ ଜୁନରେ ନିଯୁକ୍ତି ଦିଆଯାଇଥିଲା । ୬ ମାସ କାର୍ଯ୍ୟ କରିବା ପରେ କୌଣସି ଭୁଲ ନଥାଇ ସରକାର ସେମାନଙ୍କୁ ହଠାତ ଛଟେଇ କରିଦେଲେ । ପୁନଃନିଯୁକ୍ତି ଦାବିରେ ଦୀର୍ଘଦିନ ଧରି ସେମାନେ ରାଜରାସ୍ତାରେ ଆନ୍ଦୋଳନ କରିବା ପରେ ୨୦୧୬ ଏପ୍ରିଲରେ ପୁଣି ନିଯୁକ୍ତି ଦିଆଗଲା । ତେବେ ସରକାରଙ୍କ ନିୟମ ଅନୁସାରେ ୬ ବର୍ଷର ଶିକ୍ଷକତା ପରେ ନିୟମିତ ହେବା ସହ ସମସ୍ତ ସରକାରୀ ସୁବିଧା ସୁଯୋଗ ପାଇପାରିବେ ।

ଏହି ୪ ହଜାର ଶିକ୍ଷକଙ୍କର ୨୦୨୨ ଏପ୍ରିଲରେ ୬ ବର୍ଷ ପୂରି ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେମାନଙ୍କୁ ନିୟମିତ କରିବା ପାଇଁ କୌଣସି କାର୍ଯ୍ୟପନ୍ଥା ଗ୍ରହଣ କରାଯାଇ ନାହିଁ । ଏହା ସମସ୍ତ ଶିକ୍ଷକଙ୍କୁ ବ୍ୟଥିତ କରିଛି । ଏନେଇ ବିଭାଗୀୟ ମନ୍ତ୍ରୀ ଓ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳିପାରି ନାହିଁ ବୋଲି ସଂଘ ମହାସଚିବ ବିଶ୍ୱଜିତ ବିଶ୍ୱାଳ କହିଛନ୍ତି । ଆସନ୍ତା ୭ ଦିନ ଭିତରେ ଯଦି ସରକାର ନିୟମିତ କରିବା ପାଇଁ କୌଣସି ପଦକ୍ଷେପ ନନିଅନ୍ତି । ତାହାଲେ ସଂଘ ବାଧ୍ୟହୋଇ ଆନ୍ଦୋଳନକୁ ଓହ୍ଳାଇବ ବୋଲି ସଂଘ ସଭାପତି ପଞ୍ଚାନନ ଜେନା ସଳରକାରଙ୍କୁ କଡ଼ା ଚେତାବନୀ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।