Odia News Portal

ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ରାଜଧାନୀରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ସ୍ପାଇସ୍ ଜେଟ୍ ବିମାନ ଯୋଗେ ଆଜି ଭୁବନେଶ୍ୱରରେ ପହଞ୍ଚିଛି ଦ୍ୱିତୀୟ ପର୍ଯ୍ୟାୟ ଟିକା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ଟିକା ସ୍ଥାନାନ୍ତର କରାଯାଇଛି । ତେବେ ଆସନ୍ତା ୩ ଦିନ ଭିତରେ ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ଟିକା ପହଞ୍ଚିବ ।

ସୂଚନାନୁଯାୟୀ, ଆଜି ୨୮ଟି ପ୍ୟାକେଟରେ ୩ ଲକ୍ଷ ୩୪ ହଜାର ୫୦୦ ଡୋଜ୍ ଟିକା ଆସି ପହଞ୍ଚିଛି । ଅନ୍ୟପକ୍ଷେ ଗୋଟିଏ ଦିନର ବିରତି ପରେ ଗତକାଲିଠାରୁ ଓଡ଼ିଶାରେ ପୁଣି ସ୍ୱାଭାବିକ୍ ଚାଲିଛି ଟିକାକରଣ । ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ସୋମବାରଠୁ ପୁଣି ଟିକାକରଣ ଚାଲିଛି । ତେବେ ଟିକାକରଣର କେନ୍ଦ୍ର ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନେଇଛି ସ୍ୱାସ୍ଥ୍ୟ ବିଭାଗ । ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେଉଛି । ତେବେ ଏବେ ପର୍ଯ୍ୟନ୍ତ ଓଡ଼ିଶାରେ ଟୀକାକରଣ ନେଇ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଯାଇନାହିଁ |