Odia News Portal

ସପ୍ତାହକୁ ୩ ଦିନ ହେବ ଟିକାକରଣ

ଭୁବନେଶ୍ୱର: ଏଣିକି ସପ୍ତାହକୁ କେବଳ ୩ ଦିନ ଟିକାଦାନ । ସୋମ, ଗୁରୁ ଏବଂ ଶନିବାର ହେବ ରାଜ୍ୟରେ ଟିକାଦାନ । ଦୈନିକ ଟିକାକରଣରେ ବିଭିନ୍ନ କେନ୍ଦ୍ରରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିୟୋଜିତ ହେବା ସହ ଟିକା ନେଉଥିବାରୁ ସ୍ୱାସ୍ଥ୍ୟସେବା ପ୍ରଭାବତି ହେଉଛି । ସେଥିପାଇଁ ସପ୍ତାହକୁ ୩ ଦିନ ଟିକାଦାନ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି । ତେବେ ସପ୍ତାହରେ ସର୍ବାଧିକ ୪ ଦିନ ଏବଂ ସର୍ବନିମ୍ନ ୨ ଦିନ ଟିକାକରଣ କରାଯାଇ ପାରିବ । ସେହିଭଳି ଅନ୍ୟ ରାଜ୍ୟମାନଙ୍କ ପାଇଁ ମଧ୍ୟ ଭିନ୍ନ ଭିନ୍ନ ଦିନ ଧାର୍ଯ୍ୟ କରାଯାଇଛି ।

ତେବେ କେବଳ ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ଦିଆଯିବ | ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ମଙ୍ଗଳ,ବୁଧ,ଶୁକ୍ର,ଶନି ଓ ରବିବାର ବନ୍ଦ ରହିବ | ବାକି ୩ ଦିନ ଟିକାକରଣ ପ୍ରକ୍ରିୟା ଜାରି ରହିବ | ସେହିଭଳି ସରକାରୀ ଓ ଘରୋଇ ମେଡ଼ିକାଲ କଲେଜରେ ଛୁଟିଦିନ ବ୍ୟତୀତ ବାକି ଅନ୍ୟ ଦିନରେ ଟିକାକରଣ କରାଯିବ | ତେବେ ଗୁରୁବାର ରାଜ୍ୟରେ ସର୍ବାଧିକ ୪୪ ହଜାର ୮୮୦ ଜଣ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି |

୨୧ ତାରିଖ ସୁଦ୍ଧା ୧,୧୩,୬୨୩ ଜଣଙ୍କୁ ଟିକାକରଣ କରାଯାଇଛି | ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି | ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୯୨ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ୨୫ ତାରିଖ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ କରାଯିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।