Odia News Portal

ଏକ ନମ୍ବର ସ୍ଥାନ ପାଇଁ ମୁହାଁମୁହିଁ ହେବେ ଧୋନୀ ଏବଂ ପନ୍ଥ

ଦୁବାଇ: ଅଭିଜ୍ଞ ବନାମ ଯୁବ ପ୍ରତିଭାବାନ । ଆଇପିଏଲ ମହାସମରରେ ଏକ ନମ୍ବର ସ୍ଥାନ ପାଇଁ ଲଢ଼ିବେ ଚେନ୍ନାଇ ଏବଂ ଦିଲ୍ଲୀ । କ୍ୟାପଟେନ କୁଲଙ୍କୁ ଟାର୍ଗେଟ କରିବେ ପନ୍ଥ । ଧୋନୀଙ୍କ ନେତୃତ୍ୱାଧିନ ଚେନ୍ନାଇ ସୁପରକିଙ୍ଗ୍ରେ ଅଭିଜ୍ଞ ଖେଳାଳୀ ରହିଥିବା ବେଳେ ଦିଲ୍ଲୀରେ ରହିଛନ୍ତି ଯୁବ ଖେଳାଳୀ । କିନ୍ତୁ ସବୁ ଖେଳାଳୀ ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲ୍-୨୦୨୧ର ୟୁଏଇ ପର୍ୟ୍ୟାୟରେ ଚେନ୍ନାଇ ଓ ଦିଲ୍ଲୀ ଆଧିପତ୍ୟ ଜାହିର କରିବା ସହ ପ୍ରଥମ ଦୁଇ ଦଳ ଭାବେ ପ୍ଲେ ଅଫ୍ରେ ପ୍ରବେଶ କରିଛନ୍ତି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପୂର୍ବ ମ୍ୟାଚ୍ରେ ଦିଲ୍ଲୀ ବିଜୟୀ ହୋଇଥିଲା। ରାଜସ୍ଥାନଠାରୁ ଚେନ୍ନାଇ ହାରିବା କିନ୍ତୁ ସମସ୍ତଙ୍କୁ ଚକିତ କରିଥିଲା। ଗାଏକ୍ବାଡ୍ଙ୍କ ସ୍ମରଣୀୟ ଶତକ ବଳରେ ଚେନ୍ନାଇ ୧୮୯/୪ ରନ୍ର ବିଶାଳ ସ୍କୋର କରିଥିଲା। ହେଲେ ଏହି ଦଳର ବୋଲରମାନେ ରାଜସ୍ଥାନକୁ ୧୯୦ ରନ୍ର ବଡ଼ ବିଜୟ ସହଜରେ ହାସଲ କରିନେବାକୁ ଦେଇଥିଲେ। ଏଣୁ ଶକ୍ତିଶାଳୀ ବ୍ୟାଟିଂ ବାହିନୀ ଥିବା ଦିଲ୍ଲୀ ସମ୍ମୁଖରେ ଚେନ୍ନାଇ ବୋଲର ପୁଣି ଥରେ ପରୀକ୍ଷାର ସମ୍ମୁଖୀନ ହେବେ। ଗତ ଦୁଇ ମ୍ୟାଚ୍ରେ ଅବଶ୍ୟ ଦିଲ୍ଲୀ ବ୍ୟାଟର୍ କିଛିଟା ସଂଘର୍ଷ କରିଛନ୍ତି। କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ନିୟମିତ ୱିକେଟ୍ ହରାଇବା ପରେ ରନ୍ ସଂଗ୍ରହ ହାର ଆଶାଜନକ ଭାବେ ବଢ଼ାଇ ପାରି ନଥିଲା ଦିଲ୍ଲୀ। ଅନ୍ୟପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଗତମ୍ୟାଚ୍ରେ ପ୍ରାରମ୍ଭିକ ବିପର୍ୟ୍ୟୟ ପରେ ଅଧିନାୟକ ଋଷଭ ପନ୍ତ ଓ ପୂର୍ବତନ ଅଧିନାୟକ ଶ୍ରେୟସ୍ ଆୟର ଦିଲ୍ଲୀକୁ ରକ୍ଷା କରିଥିଲେ। ତେବେ ଏହି ମ୍ୟାଚ୍ ସାରଜାର ମନ୍ଥର ପିଚ୍ରେ ଖେଳାଯାଇଥିଲା। ଦୁବାଇରେ ଏହି ସ୍ଥିତି ବଦଳି ପାରେ।