Odia News Portal

ବଡ଼ ବିଜୟ ଲକ୍ଷ୍ୟରେ କୋଲକାତା

ଦୁବାଇ: ଆଇପିଏଲ ମହାସମରରେ ଆଜି ରାଜସ୍ଥାନକୁ ଭେଟିବ କୋଲକାତା । ପ୍ଲେଅଫରେ ପହଞ୍ଚିବା ଲାଗି କୋଲକାତାକୁ ଆଜି ବଡ଼ ବିଜୟ ଆବଶ୍ୟକ ରହିଛି । କେକେଆର୍ ସଂପ୍ରତି ୧୩ ମ୍ୟାଚ୍ରୁ ୬ ବିଜୟ ପାଇ ଚତୁର୍ଥ ସ୍ଥାନରେ ରହିଛି। ରନ୍ରେଟ୍ରେ ମଧ୍ୟ ଏହି ଦଳ ଗତଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସଠାରୁ ଆଗରେ ଅଛି। ମୁମ୍ବାଇ ଇଣ୍ଡିଆନ୍ସ (-୦.୦୪୮) ମଧ୍ୟ ସେହି ୧୩ ମ୍ୟାଚ୍ରୁ ୬ ବିଜୟ ପାଇ ସମାନ ୧୨ ପଏଣ୍ଟ ଲାଭ କରିଛି। ହେଲେ କେକେଆର୍ (୦.୨୯୪) ତୁଳନାରେ ଏହି ଦଳର ରନ୍ ରେଟ୍ ଢେର ଖରାପ ରହିଛି।

ଯଦି ଉଭୟ ମୁମ୍ବାଇ ଓ କୋଲକାତା ନିଜ ନିଜର ଶେଷ ଲିଗ୍ ମ୍ୟାଚ୍ ଜିତି ନିଅନ୍ତି, ତାହେଲେ ଯାହାର ନେଟ୍ ରନ୍ ରେଟ୍ ଭଲ ଥିବ ସେହି ଦଳ ପ୍ଲେ ଅଫ୍ ଖେଳିବ। ଚତୁର୍ଥ ସ୍ଥାନ ଦୌଡ଼ରେ ଥିବା ରାଜସ୍ଥାନ ଓ ପଞ୍ଜାବର ସ୍ଥିତି ମଧ୍ୟ ଏହି କ୍ଷେତ୍ରରେ ବିଚାରକୁ ନେବାକୁ ପଡ଼ିବ। ଚଳିତ ଆଇପିଏଲ୍ର ୟୁଏଇ ଚରଣରେ କେକେଆର୍କୁ ମିଶ୍ରିତ ଫଳ ମିଳିଛି। ଏହି ଦଳ ୪ ମ୍ୟାଚ୍ ଜିତିଥିଲା ବେଳେ ୨ଟିରେ ପରାଜିତ ହୋଇଛି। ପରାଜିତ ହୋଇଥିବା ଦୁଇଟି ମ୍ୟାଚ୍ରେ ମଧ୍ୟ ଏହି ଦଳର ବ୍ୟାଟିଂ ବାହିନୀ ବହୁତ ଭଲ ଖେଳ ଖେଳିଥିଲା।