Odia News Portal

ପଦ୍ମଶ୍ରୀ ପ୍ରକାଶ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ କେନ୍ଦ୍ରମନ୍ତ୍ରୀ

କଟକ: ସ୍ୱର୍ଗତ ପଦ୍ମଶ୍ରୀ ଡି. ପ୍ରକାଶ ରାଓଙ୍କ ବକ୍ସିବଜାର ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ୍ୱର୍ଗତ ରାଓଙ୍କ ଏକାଦଶ ଉପଲକ୍ଷେ ତାଙ୍କ ବାସଭବନକୁ ଯାଇ ତାଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଧର୍ମେନ୍ଦ୍ର । ଡି. ପ୍ରକାଶ ରାଓଙ୍କ ପରିବାର ସହ ଭେଟି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ।

ଏହି ଅବସରରେ ସେ କହିଛନ୍ତି, ଓଡ଼ିଶାର ଗୌରବ ଥିଲେ ଡି. ପ୍ରକାଶ ରାଓ । ଏକାନ୍ତ ନିଷ୍ଠା ଓ ପରିଶ୍ରମ ବଳରେ ସ୍ୱର୍ଗତ ରାଓ ସମାଜର ଅସହାୟ ବର୍ଗର ଲୋକଙ୍କୁ ସାହାଯ୍ୟ କରିବା ସହ ନିଜ ପ୍ରଚେଷ୍ଟାରେ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷାଦାନ କରାଉଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଓଙ୍କ ସମାଜିକ କାର୍ଯ୍ୟ ବିଷୟରେ ଅବଗତ ଥିଲେ ଓ ୨୦୧୮ ରେ ତାଙ୍କ କଟକ ଗସ୍ତ ସମୟରେ ବିଶେଷ ଭାବରେ ପ୍ରକାଶ ବାବୁଙ୍କୁ ଆମନ୍ତ୍ରିତ କରି ତାଙ୍କ ସହ ଆଲୋଚନା କରିଥିଲେ । ସ୍ୱର୍ଗତ ରାଓ ସଦାସର୍ବଦା ଓଡ଼ିଆଙ୍କ ପାଇଁ ପ୍ରେରଣା ହୋଇ ରହିବେ ।

ସମାଜରେ ଯୁବପିଢ଼ିମାନେ ରାତାରାତି ବଡ଼ ଲୋକ ହେବାର ସ୍ୱପ୍ନ ଦେଖନ୍ତୁ ନାହିଁ ବରଂ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜେ ବଡ଼ ହେବା ସହ ସମାଜରେ ଉଦାହରଣ ହେବାକୁ ସ୍ୱର୍ଗତ ରାଓ ପରାମର୍ଶ ଦେଉଥିଲେ । ତାଙ୍କର ଏହି ମହାନ ଚିନ୍ତାଧାରା ଆମ ସମସ୍ତଙ୍କ ପାଇଁ ସର୍ବଦା ସ୍ମରଣୀୟ ହୋଇରହିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।