Odia News Portal

ବିଶ୍ୱକପ ୨୦୧୯ : ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର

ଆଇସିସି ବିଶ୍ୱକପ ୨୦୧୯ ଆରମ୍ଭ ହୋଇଯାଇଛି ।  ଗୁରୁବାର ଦିନ ଲଣ୍ଡନର ଦ ଓଭାଲରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ୍ ଡୁପ୍ଲେସିସ୍ ଆଉ ଏକ ବଡ ନିଷ୍ପତ୍ତି ନେଇ ୪୦ ବର୍ଷର ଇମରାନ ତାହିରଙ୍କୁ ବିଶ୍ୱକପ ୨୦୧୯ର ପ୍ରଥମ ଓଭର ବୋଲିଂ କରିବା ପାଇଁ ଦେଇଥିଲେ । ପ୍ରଥମ ବଲ ପକାଉ ପକାଉ ଇତିହାସ ରଚିଛନ୍ତି ତାହିର ।

ବିଶ୍ୱକପର ୪୪ ବର୍ଷ ଇତିହାସରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ବଲ ପକାଇବାରେ ଲେଗ ସ୍ପିନର ଇମରାନ ତାହିର ପ୍ରଥମ ସ୍ପିନର ହୋଇଯାଇଛନ୍ତି । ତାଙ୍କର ପ୍ରଥମ ବଲର ସାମ୍ନା କରିଥିଲେ ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଜେସନ ରୟ । ଏହା ସହିତ ଏହି ଓଭରରେ ସେ ସଫଳତା ମଧ୍ୟ ହାସଲ କରିଥିଲେ । ଇଂଲଣ୍ଡର ଅନ୍ୟତମ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବେୟାରଷ୍ଟୋଙ୍କୁ ଖାତା ଖୋଲିବା ପୂର୍ବରୁ ପାଭିଲିୟନକୁ ପଠାଇଥିଲେ ତାହିର ।

ବିଶ୍ୱକପରେ ପ୍ରଥମ ବଲ ପକାଇଥିବା ବୋଲରଙ୍କ ତାଲିକା:

୧) ୧୯୭୫: ମଦନଲାଲ(ଭାରତ)- ଇଂଲଣ୍ଡର ଜନ ଜୈମସନଙ୍କୁ ପକାଇଥିଲେ

୨) ୧୯୭୯: ଆଣ୍ଡି ରୋବର୍ଟ୍ସ(ୱେଷ୍ଟଇଣ୍ଡିଜ)- ସାମ୍ନା କରିଥିଲେ ଭାରତର ସୁନୀଲ ଗାଭାସ୍କରଙ୍କୁ

୩) ୧୯୮୩: ରିଚାର୍ଡ ହେଡଲୀ(ନ୍ୟୁଜିଲାଣ୍ଡ)- ସାମ୍ନା କରିଥିଲେ ଇଂଲଣ୍ଡର ଗ୍ରୀମ ଫାଓଲର

୪) ୧୯୮୭: ବି ଜନ୍(ଶ୍ରୀଲଙ୍କା)- ସାମ୍ନା କରିଥିଲେ ପାକିସ୍ତାନର ରମୀଜ୍ ରାଜା

୫) ୧୯୯୨: କ୍ରେଗ୍ ମେକଡରମାଣ୍ଟ(ଅଷ୍ଟ୍ରେଲିଆ)- ସାମ୍ନା କରିଥିଲେ ନ୍ୟୁଜିଲାଣ୍ଡର ଜନ ରାଇଟ୍

୬) ୧୯୯୬: ଡୋମିନିକ କାଁର୍କ(ଇଂଲଣ୍ଡ)- ସାମ୍ନା କରିଥିଲେ ନ୍ୟୁଜିଳାଣ୍ଡର କ୍ରେଗ ସ୍ପିୟରମ୍ୟାନ

୭) ୧୯୯୯: ଡ୍ୟାରେନ ଗଫ୍(ଇଂଲଣ୍ଡ)- ସାମ୍ନା କରିଥିଲେ ଶ୍ରୀଲଙ୍କାର ସନଥ ଜୟସୂର‌୍ୟା

୮) ୨୦୦୩: ଶନ୍ ପୋଲକ(ଦକ୍ଷିଣ ଆଫ୍ରିକା)- ସାମ୍ନା କରିଥିଲେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ

୯) ୨୦୦୭: ଉମର ଗୁଲ(ପାକିସ୍ତାନ)- ସାମ୍ନା କରିଥିଲେ ୱେଷ୍ଟଇଣ୍ଡିଜର କ୍ରିସ୍ ଗେଲ

୧୦) ୨୦୧୧: ଶଫିଉଲ୍ ଇସ୍ଲାମ(ବାଂଲାଦେଶ)- ସାମ୍ନା କରିଥିଲେ ଭାରତର ବିରେନ୍ଦ୍ର ସେହୱାଗ

୧୧) ୨୦୧୫: ନୁଆନ କୁଳଶେଖରା(ଶ୍ରୀଲଙ୍କା)- ସାମ୍ନା କରିଥିଲେ ନ୍ୟୁଜିଲାଣ୍ଡର ମାର୍ଟିନ ଗୁପଟିଲ

୧୨) ୨୦୧୯: ଇମ୍‌ରାନ ତାହିର(ଦକ୍ଷିଣ ଆଫ୍ରିକା)- ସାମ୍ନା କରିଥିଲେ ଇଂଲଣ୍ଡର ଜେସନ ରୟ