Odia News Portal

ଅଣ୍ଟୁନି ଦରମା, ପ୍ରଧାନମନ୍ତ୍ରୀ ପଦ ପାଇଁ କରୁଛନ୍ତି ପଶ୍ଚାତାପ

ଲଣ୍ଡନ() ଦରମା ଯାହା ମିଳୁଛି ସେଥିରେ ପରିବାର ପ୍ରତିପୋଷଣ କରିବା ଅସମ୍ଭବ । ପତ୍ନୀ ଓ ୬ ସନ୍ତାନଙ୍କୁ ନେଇ ପରିବାର । ସ୍ୱଳ୍ପ ଦରମାରେ ଚଳିବା ମୁସ୍କିଲ । ତା ଉପରେ ପୂର୍ବ ପତ୍ନୀଙ୍କ ରକ୍ଷଣାବେକ୍ଷଣ କଥା ବି ବୁଝିବାକୁ ପଡ଼ୁଛି । ଏତେ ସବୁ ଖର୍ଚ୍ଚ ତୁଲାଇବା ପରେ ପକେଟରେ ଅଧଲାଟିଏ ବଳୁ ନାହିଁ । ଏହା କୌଣସି ଘରୋଇ କମ୍ପାନୀରେ କାର୍ୟ୍ୟରତ କର୍ମଚାରୀଙ୍କ ବେଦନା ନୁହେଁ । ଛଅମାସ ତଳେ କ୍ଷମତାକୁ ଆସିଥିବା ବି୍ରଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଏବେ ଏଭଳି ପରିସ୍ଥିତିର ସାମ୍ନା କରୁଛନ୍ତି । ବି୍ରଟେନର ଦୈନିକ ଖବର କାଗଜ ‘ଦ ଡେଲି ମିରର’ରେ ଏହା ପ୍ରକାଶିତ ଏକ ଖବରରୁ ଏହା ଜାଣିବାକୁ ମିଳିଛି ।

ରିପୋର୍ଟରେ ଦର୍ଶାଯାଇଛି ଯେ ପ୍ରଧାନମନ୍ତ୍ରୀ ଜନସନ ନିଜ ଦରମାକୁ ନେଇ ଅତ୍ୟନ୍ତ ଦୁଃଖୀ ଅଛନ୍ତି । ସେ ପାଖାପାଖି ୧,୯୫,୦୦୦ ଡଲାର ବା ୧,୫୦,୪୦୦ ପାଉଣ୍ଡ ଆୟ କରୁଛନ୍ତି । ଯାହା ପରିବାର ଚଳାଇବା ପାଇଁ ଯଥେଷ୍ଟ ହେଉନାହିଁ । ପୂର୍ବ ଚାକିରିରେ ସ୍ଥିତି ଭଲ ଥିଲା । ହାତକୁ ଭଲ ଦରମା ଆସୁଥିଲା । ତେଣୁ ପ୍ରଧାନମନ୍ତ୍ରୀ ପଦରେ ଚାକିରି କରି ଏବେ ସେ ପଶ୍ଚାତାପ କରୁଛନ୍ତି । ଟୋରି ପାର୍ଟି (କଞ୍ଜରଭେଟିଭ ପାର୍ଟି)ର ନେତା ହେବା ପୂର୍ବରୁ ଦ ଟେଲିଗ୍ରାଫର ଜଣେ ସ୍ତମ୍ଭକାର ଭାବେ ଜନସନ ବର୍ଷକୁ ୩,୫୫,୫୮୪ ଡଲାର ଆୟ କରୁଥିଲେ । ଦୁଇଟି ସମ୍ଭାଷଣ ଦେଇ ମାସକୁ ୨,୦୬,୮୮୫ ଡଲାର ପାରିଶ୍ରମିକ ପାଉଥିଲେ । ଏହା ତାଙ୍କ ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ହେଉଥିଲା । ଭଲ ସଞ୍ଚୟ କରିବାକୁ ବି ସୁଯୋଗ ମିଳୁଥିଲା । ତେଣୁ ଜନସନ ଇସ୍ତଫା ଦେବାକୁ ବିଚାର କରୁଥିବାର ଡେଲି ମିରରର ରିପୋର୍ଟରୁ ପ୍ରକାଶ ପାଇଛି ।