Odia News Portal

ପାକିସ୍ତାନ ହାତରେ କେମିତି ଧରାପଡ଼ିଲେ ଅଭିନନ୍ଦନ ? ଜାଣନ୍ତୁ…

ମିଗ୍-୨୧ ଉଡ଼ାଉଥିବା ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ କେମିତି ସୁରକ୍ଷିତ ଭାବେ ପାକିସ୍ତାନରୁ ଭାରତ ଫେରିବେ ଏବେ ସେଇ ଚିନ୍ତାରେ ସାରା ଦେଶ । ସେଠାରେ ପାକିସ୍ତାନୀୟ ସେନା ଯେଭଳି ତାଙ୍କୁ କୌଣସି କ୍ଷତି ନପହଞ୍ଚାଏ ବା ନିର୍ୟାତନା ନଦିଏ ସେଥିପ୍ରତି ମଧ୍ୟ ସରକାର ସଜାଗ ଅଛନ୍ତି । ତେବେ ଅଭିନନ୍ଦନ କିଭଳି ଭାବେ ପାକିସ୍ତାନ ସେନା ହାତରେ ପଡ଼ିଲେ ? ଏବେ ତାର ଗୁମର ଫିଟିଛି । ଆସନ୍ତୁ ଜାଣିବା ସେଇ ଘଟଣା ।

ବୁଧବାର ସକାଳ ୮.୪୫ ମିନିଟ୍ । ଏହି ସମୟରେ ଭାରତ-ପାକିସ୍ତାନ ସୀମା ଲାଇନ୍ ଅଫ୍ କଣ୍ଟ୍ରୋଲ ଠାରୁ ୭ କିଲୋମିଟର ଦୂର ପାକିସ୍ତାନ ଅଞ୍ଚଳରେ ଏକ ଧମାକା ହେଲା । ଘଟଣା ସ୍ଥଳ ଠାରୁ ପ୍ରାୟ ଗୋଟିଏ କିଲୋମିଟର ଦୂରରେ ଥିବା ହୋରା ଗାଁର ଯୁବକ ମହମ୍ମଦ ରଜାକ ଚୌଧୁରୀ ଏହି ପ୍ରଚଣ୍ଡ ଶବ୍ଦ ଶୁଣିବା ପରେ ସେଠାରୁ ଧୂଆଁ ଉଠୁଥିବାର ଦେଖିବାକୁ ପାଇଲା । ଏହି ସମୟରେ ଦୁଇଟି ଯୁଦ୍ଧ ବିମାନରେ ନିଆଁ ଲାଗିଥିବାର ସେ ଦେଖିବାକୁ ପାଇଲା । ସେଥିରୁ ଗୋଟିଏ ବିମାନ ସେହି ପାଖାପାଖି ଅଞ୍ଚଳରେ ଖସି ପଡ଼ିଲା । ଠିକକ୍ସେହି ସମୟରେ ଦକ୍ଷିଣ ପଟେ ଏକ ପାରାସୁଟ୍ ଖସୁଥିବାର ଦେଖିବାକୁ ପାଇଲା ରଜାକ୍ । ରଜାକ୍ ତୁରନ୍ତ ଦି ଡନ୍ ଖବର କାଗଜ ପ୍ରତିନିଧିଙ୍କୁ ଏକଥା ଫୋନ୍ କରି ଜଣାଇ ଦେଲା ।

ତା ପରେ ଗାଁର ପିଲାମାନେ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ଭାରତୀୟ ପାଇଲଟ୍ ପାରାସୁଟ୍ରେ ଓହ୍ଲାଇ ତଳେ ପଡ଼ିବା ବେଳେ ସାମାନ୍ୟ ଆହତ ହୋଇଥିଲେ । ତାଙ୍କ ଅଣ୍ଟାରେ ଆଘାତ ଲାଗିଥିଲା । ପିଲାମାନେ ତାଙ୍କୁ ଘେରି ଯାଇଥିଲେ । ଆହତ ପାଲଟ୍ ପଚାରିଥିଲେ ମୁଁ କେଉଁଠି ବୋଲି । ଜଣେ ପିଲା ତୁରନ୍ତ ଚତୁରତା ଦେଖାଇ କହିଥିଲା ଭାରତରେ । ଅଭିନନ୍ଦନ ସଂଗେ ସଂଗେ ଭାରତ ମାତା କି ଜୟ ବୋଲି କହିଥିଲେ ଓ ପିଇବା ପାଇଁ ପାଣି ମାଗିଥିଲେ । ତେବେ ଭାରତୀୟ ପାଇଲଟ୍ଙ୍କ ନାରାବାଜିରେ ରାଗି ଯାଇ ପିଲାମନେ ପାକିସ୍ତାନ୍ ଜିନ୍ଦାବାଦ୍ ନାରା ଦେଇଥିଲେ । ସେତେବେଳେ ଅଭିନନ୍ଦନ ଜାଣି ପାରିଥିଲେ ଯେ ସେ ଭାରତ ନୁହେଁ ପାକିସ୍ତାନ ମାଟିରେ ପାଦ ଦେଇଛନ୍ତି । ଏହାପରେ ସେଠାକାର ଲୋକମାନେ ତାଙ୍କୁ କାବୁ କରି ମାରପିଟ୍ କରିଥିଲେ ଓ ପରେ ପାକ୍ ସେନା ପହଞ୍ଚି ଅଭିନନ୍ଦନଙ୍କୁ ଗିରଫ କରିଥିଲା । ସମ୍ପୂର୍ଣ୍ଣ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲା ରଜାକ । ତାରି ବର୍ଣ୍ଣନା ଅନୁସାରେ ପାକିସ୍ତାନ ଖବର କାଗଜରେ ଏହି ସୂଚନା ପ୍ରକାଶ ପାଇଛି ।