Odia News Portal

ଜନତାଙ୍କ ପାଖରେ ବିଜେପି ନେତ୍ରୀ ଅପରାଜିତା, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

ଭୁବନେଶ୍ବର : ଧୁଡୁଧୁଡିଆ ଦେହ, ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ। ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । ଜିଲ୍ଲାପାଳ ଥିବା ସମୟରେ ଅଧିକାରୀଙ୍କ ଗହଣରେ ଗାଁକୁ ଆସୁଥିଲେ । ଆଉ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଉଥିଲେ । ବାବୁଆଣୀ ଥିଲେ ବି ସେଦିନର ଭଲପାଇବା ଆଉ ଅକୁଣ୍ଠ ସ୍ନେହ ମାଉସୀର ମନେ ରହିଛି । ଅଭିମାନ କରିଛି ୮୦ ବର୍ଷର ମାଉସୀ। କାହିଁକି ଯାଇଥିଲୁ ଦିଲ୍ଲୀ, ଆମ କଥା କଣ ମନେପଡିନଥିଲା ।

ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଢଙ୍ଗି ଗାଁକୁ ଗାଁ ବୁଲୁଥିବାବେଳେ ଏବେ ଅନେକ ଚିତ୍ର ସବୁ କଏଦ ହୋଇଛି । ନେତ୍ରୀ ଓ ପ୍ରତିଶ୍ରୁତିର ବିଶ୍ୱାସ ଜନ୍ମାଇବାରେ ବୋଧେ ସଫଳ ହୋଇଛନ୍ତି ଫାୟାରବ୍ରାଣ୍ଡ ଅପରାଜିତା । କାରଣ ଲୋକ ବିଶ୍ୱାସ କରିଛନ୍ତି ବଦଳାଇବେ ପରିସ୍ଥିତି । ସେଥିପାଇଁ ନିଜ ଘରକୁ ଟାଣିଟାଣି ଅପରାଜିତାଙ୍କୁ ବୁଢୀମାଉସୀମାନେ ନେଇଯାଉଛନ୍ତି ।

ଘରର ସମୃଦ୍ଧିରେ କୁଳଲକ୍ଷ୍ମୀଙ୍କର ଏକ ବଡ ଭୂମିକା ଥାଏ ବୋଧେ ରହସ୍ୟକୁ ଠିକ ବୁଝିଛନ୍ତି ଅପରାଜିତା। ବୋହୂମାନଙ୍କୁ ଭେଟିବା ସହ ଶାଶୁ-ବୋହୁଙ୍କ ସିକ୍ରେଟ ସମ୍ପର୍କକୁ ପରଖିଛନ୍ତି । କାରଣ ଆଜି ଯିଏ ଶାଶୁ କାଲି ସିଏ ବୋହୁ ଥିଲେ । ୪୦ ବର୍ଷ ତଳେ ଏମାନେ ବି ଅଳତା ନାଇ ଘରେ ପାଦ ଦେଇଥିଲେ । ଏତିକି ବର୍ଷର ଗ୍ରାମ୍ୟ ଜୀବନର ଅଭିଜ୍ଞତା ବୁଝିବାକୁ ସେ ଚେଷ୍ଟା କରିଛନ୍ତି । କେବଳ ଅପରାଜିତା ନୁହଁ ବରଂ ଯେଉଁମାନଙ୍କୁ ଭେଟୁଛନ୍ତି ସମସ୍ତଙ୍କ ମନରେ ଗୋଟିଏ କଥା । ଗାଁକୁ ଆସିଛି ଘରର ଝିଅ । ଭଲମନ୍ଦଠାରୁ ଅଭିଯୋଗ ସବୁ କିଛି ବଖାଣିଦେଉଛନ୍ତି ।

କେତେକ କୁହନ୍ତି ଏସବୁ ଭୋଟ ଉପରେ କୌଣସି ପ୍ରଭାବ ପକାଇବନି । କିନ୍ତୁ ଯଦି ଘରର ଶାଶୁ-ବୋହୁ ପସନ୍ଦ କରନ୍ତି ପୁରୁଷ ଭୋଟର ବା ଯିବେ କୁଆଡେ । କାରଣ ଏବେ ବି ପ୍ରତିଟି ଘରେ ସ୍ତ୍ରୀ ର ଏକ ସ୍ୱତନ୍ତ୍ର ଦବଦବା ଥାଏ । ଯିଏ ଯେତେ ଚିତ୍କାର କଲେ ବି ଘରେ ସ୍ତ୍ରୀ ର ଦାବି ସ୍ୱତନ୍ତ୍ର ଭୂମିକା ରଖିଥାଏ । ଏଠାରେ ପ୍ରଶ୍ନ ଉଠିପାରେ ନିର୍ବାଚନ ସମୟରେ ତ ନେତା/ନେତ୍ରୀଙ୍କର ଭିନ୍ନ ଚରିତ୍ର ସବୁ ଦେଖିବାକୁ ମିଳେ ଏଥିରେ ଭିନ୍ନତା କଣ ।

ବଡ ଫରକ ହେଉଛି କୁଟିଳତାର ହସ ଓ ହୃଦୟର ହସ ସବୁବେଳେ ଅଲଗା ମନୋଭାବ ସୃଷ୍ଟି କରିଥାଏ । ଚିତ୍ର ଓ ଚରିତ୍ର ଭିତରର ନଜରିଆକୁ ବଦଳାଇଦେଇଥାଏ । ଚା ଖଟିରୁ ମସାଣି ଜୁଇ ସବୁଠି ପହଁଚିଥାନ୍ତି କେବଳ ବାସ୍ତବ ଚରିତ୍ର । ଜଟଣୀରୁ ବାଲିପାଟଣା, ଭୁବନେଶ୍ୱରରୁ ବେଗୁନିଆ ଏବେ ବିଫଳତାର ପ୍ରସଙ୍ଗ ପେଡି ଧରି ନିଜ ମିଶନରେ ଲାଗିଛନ୍ତି ନେତ୍ରୀ ଜଣକ ।