Odia News Portal

ତିର୍ତ୍ତୋଲରେ ବିଜୟ ମହାପାତ୍ରଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର() କଂଗ୍ରେସୁ ଆମଦାନୀ ହୋଇଥିବା ପ୍ରାର୍ଥୀଙ୍କୁ ନେଇ ତିର୍ତ୍ତୋଲବିଜେପି କର୍ମୀମାନେ ଟେନ୍‍ସନ୍‍ରେ ଥିବାବେଳେ ଏବେ ଦଳର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ନିରବତାକୁ ନେଇ ସେମାନେ ଅଧିକ ଚିନ୍ତାରେ ପଡିଛନ୍ତି । ତିର୍ତ୍ତୋଲ ବିଧାନସଭା କ୍ଷେତ୍ରକୁ ଲାଗିଥିବା ପାଟକୁରାର ଏହି ଟାଣୁଆ ବିଜେପି ନେତା କାହିଁକି ତିର୍ତ୍ତୋଲରେ ପାଦ ପକାଉ ନାହାନ୍ତି ବୋଲି ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି ।

ଜଗତ୍‍ସିଂହପୁର ଜିଲ୍ଲାର ତିର୍ତ୍ତୋଲ ଓ କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ବିଧାନସଭା କ୍ଷେତ୍ର ଲାଗିକରି ରହିଛି । ଦୁଇ ଜିଲ୍ଲାର ସୀମାନ୍ତରେ ଥିବା ଭୋଟରମାନେ କେଉଁ ନିର୍ବାଚନମଣ୍ଡଳୀର ତାହା ଜାଣିବା ମୁସ୍କିଲ । ତେଣୁ ଉଭୟ ନିର୍ବାଚନମଣ୍ଡଳୀ ଉପରେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିଜୟ ମହାପାତ୍ରଙ୍କର ଢେର ପ୍ରଭାବ ରହିଛି । ପାଟକୁରା ନିର୍ବାଚନବେଳେ ତିର୍ତ୍ତୋଲର ବିଜେପି କର୍ମୀ ଓ ନେତାମାନେ ସହଯୋଗର ହାତ ବଢାଇଥିବାବେଳେ ଏବେ ବିଜୟ କାହିଁକି ନିରବ ତାହାକୁ ନେଇ ଅନେକ ପ୍ରଶ୍ନ ଛିଡା ହୋଇଛି । ବିଜେପି କର୍ମୀଙ୍କ କହିବାକଥା ଯେ ବିଜୟ ଯଦି ତିର୍ତ୍ତୋଲ ମଇଦାନରେ ଓହ୍ଲାଇଥାନ୍ତେ ତେବେ ସ୍ଥିତି ବଦଳିଯାଇଥାନ୍ତା ।

ଗୋଟିଏ ପଟେ ବିଜୟଙ୍କ ନିରବତା ଥିବାବେଳେ ଅନ୍ୟ ପଟେ କଂଗ୍ରେସର ଆମଦାନୀ ହୋଇଥିବା ବିଜପି ପ୍ରାର୍ଥୀ ରାଜକିଶୋରଙ୍କ ନେଇ ଦଳୀୟ କର୍ମୀମାନେ ଅଡୁଆରେ ପଡିଛନ୍ତି । ବର୍ତ୍ତମାନ ସୁଦ୍ଧା ସେ ବିଜେପି କି କଂଗ୍ରେସ ଦଳର ତାହା ଅନେକ ଜାଣିପାରୁ ନାହାନ୍ତି । କିଛି ବିଜେପି କର୍ମୀଙ୍କ କହିବା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ତାଙ୍କ ଦେହରୁ କଂଗ୍ରେସ ଗନ୍ଧ ଯାଇନାହିଁ । କାରଣ ପୂର୍ବ ନିର୍ବାଚନରେ ସେ କଂଗ୍ରେସର ପ୍ରାର୍ଥୀ ହେବା ସହିତ ଦଳୀୟ ନେତାଙ୍କ ଭୋଟ ହାତେଇ ଥିଲେ । ଏଥର କଂଗ୍ରେସ ହିଂମାଶୁଙ୍କୁ ନୂଆ ପ୍ରାର୍ଥୀ କରିଥିବାବେଳେ ଅନେକ କିନ୍ତୁ ରାଜକିଶୋର ତାଙ୍କ ଦଳର ପ୍ରାର୍ଥୀ ବୋଲି ଭାବୁଛନ୍ତି । ତେଣେ ଦିନେ ହେଲେ ବିଜେପିର ଧାର ଧାରିନଥିବା ରାଜକିଶୋରଙ୍କୁ ବି ବିଜେପି କର୍ମୀମାନେ ଗ୍ରହଣ କରିପାରୁ ନାହାନ୍ତି । ଗତ ନିର୍ବାଚନରେ ତିର୍ତ୍ତୋଲରୁ ବିଜେପି ପ୍ରାର୍ଥୀ ହୋଇ ୫୦ହଜାରରୁ ଅଧିକ ଭୋଟ ପାଇଥିବା ରମାକାନ୍ତ ଟିକଟ ନକାଇ ଶେଷରେ ବିଜେଡିରେ ମିଶିଯାଇଛନ୍ତି ।

ତିର୍ତ୍ତୋଲ ଆସନରେ ଏଥର ବିଜେଡି ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ବିଧାୟକ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର । ବିଜୟଙ୍କ ପ୍ରତି ଅନୁକମ୍ପା ଭୋଟ ଥିବାବେଳେ ତାଙ୍କୁ ଜିଣାଇବା ଲାଗି ଦଳ ଲାଗି ପଡିଛି । ତେଣୁ ବିଜେପି ପାଇଁ ଏଠାରେ ଏକ ପ୍ରକାର ଅଗ୍ନିପରୀକ୍ଷା ସ୍ଥିତି । ଦଳୀୟ ନେତାମାନେ ନାକେଦମ ହେଉଛନ୍ତି । ହେଲେ ଏଭଳି ସ୍ଥିତିରେ ବିଜୟଙ୍କୁ ବିଜେପି ମଇଦାନକୁ ନଆଣିବା ନେଇ ନାନା ଆଲୋଚନା ଚାଲିଛି । ବିଜେପି କର୍ମୀଙ୍କ କହିବା ଅନୁଯାୟୀ ତିର୍ତ୍ତୋଲ ଆସନ ପାଇଁ ବିଜୟ ଆସିଥିଲେ ପରିସ୍ଥିତି ଭିନ୍ନ ହୋଇଥାନ୍ତା । କାରଣ ପାରାଦୀପ୍‍ ଠାରୁ ଆରମ୍ଭ କରି କଟକ ପର୍ଯ୍ୟନ୍ତ ତାଙ୍କର ଦବ୍‍ଦବା ରହିଛି ।

ହେଲେ ଦଳ ତାଙ୍କୁ ପ୍ରଚାର ମଇଦାନକୁ ନଆଣିବା ଫଳରେ ଅନେକ ବିଜୟ ଅନୁଗତ ଏବେ ନିଜକୁ ପାଟକୁରା ଭୋଟର କହି ତିର୍ତ୍ତୋଲ ନିର୍ବାଚନରୁ ଖସିବାର ବାଟ ଖୋଜୁଛନ୍ତି । ତେଣେ କଂଗ୍ରେସ ନୂଆ ମୁହଁଙ୍କୁ ନେଇ ବୈତରଣୀ ପାର ହେବା ଏତେଟା ସହଜ ଦିଶୁ ନଥିବାବେଳେ ବିଜେପିର ଦଳ ବଦଳ ରାଜନୀତି ଏବେ ବିଜେଡି ପାଇଁ ଏଠାରେ ସହଜ ପରିସ୍ଥିତି ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଉଛି ।