Odia News Portal

କାଳିଆ ଓ ଆହାର ବନ୍ଦ କରିବାକୁ ଚକ୍ରାନ୍ତ ହୋଇଛି : ନବୀନ

ମୟୁରଭଞ୍ଜ () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୁରଭଂଜ ଜିଲ୍ଲାରେ ମାରାଥନ ପ୍ରଚାର କରିଛନ୍ତି । ବିଭିନ୍ନ ନିର୍ବାଚନୀ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି ଯେ, ତୃତୀୟ ପର୍ଯ୍ୟାୟ ଭୋଟ ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । କେନ୍ଦ୍ରରେ କୌଣସି ଜାତୀୟ ଦଳ ବହୁମତ ପାଇବେ ନାହିଁ । କେନ୍ଦ୍ରରେ ସରକାର ଗଠନରେ ଓଡିଶାର ବଡ ଭୂମିକା ରହିବ ।

ଚାଷୀ, ଯୁବକ, ଛାତ୍ର, ମହିଳା ସବୁ ବର୍ଗର ଲୋକଙ୍କୁ କେନ୍ଦ୍ର ସରକାର ଅବହେଳା କରିଛନ୍ତି । ଗତ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପାଳିନାହାଁନ୍ତି । କେନ୍ଦ୍ର ସରକାରଙ୍କ ଉପରେ ଆଉ ଭୋଟରଙ୍କ ବିଶ୍ବାସ ନାହିଁ । ବିଜେପି ଏହି ଦୃଷ୍ଟିରୁ ପୁଣି ଥରେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରି ସରକାର ଗଠନ କରିପାରିବ ନାହିଁ । କଂଗ୍ରେସ ମଧ୍ୟ ସେହିଭଳି ଲୋକଙ୍କ ଆସ୍ଥା ଓ ବିଶ୍ବାସ ହରାଇଛି । ତେଣୁ କୌଣସି ଜାତୀୟ ଦଳ କେନ୍ଦ୍ରରେ ବହୁମତ ପାଇବେ ନାହିଁ ନବୀନ କହିଛନ୍ତି ।

କାଳିଆ ଯୋଜନାରେ ଚାଳିଶ ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ରର ବିଜେପି ସରକାର ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏଁ କାଳିଆ ବନ୍ଦ ହେବ ନାହିଁ ବୋଲି ନବୀନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ବିଜେଡି ସରକାରକୁ ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିର 10 ହଜାର ଟଙ୍କା ପ୍ରଦାନ କରାଯିବ ।

କେନ୍ଦ୍ର ଯୋଜନାରେ ମହିଳା ମାନଙ୍କ ପାଇଁ 5 ଲକ୍ଷ ଟଙ୍କାର ସ୍ବାସ୍ଥ୍ୟ ସୁବିଧା ମିଳୁଛି । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳା ମାନଙ୍କ ପାଇଁ ଦୁଇ ଗୁଣା, ଦଶ ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ମିଳିବ । ଭୋଟ ସମୟରେ ବିଜେପିର ବଡ ବଡ ନେତାମାନଙ୍କର ଓଡିଶା କଥା ମନେ ପଡେ । କିନ୍ତୁ, ବନ୍ୟା, ଫାଇଲିନ, ହୁଡହୁଡ, ତିଲତି ଓ ମରୁଡି ସମୟରେ ଆସିଲେ ନାହିଁ । ଏବେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଓଡିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ ଆସିଲେନି କି ସମୟ ବି ଦେଲେନି । ଭୋଟ ବେଳ ଆସିବାରୁ ସବୁଦିନ ଓଡିଶା ଆସୁଛନ୍ତି ବୋଲି କହିଛନ୍ତି ନବୀନ ।

ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ସଂପର୍କରେ କହିବାକୁ ଯାଇ ସେ କହିଥିଲେ ଯେ, ବାରିପଦା ମେଡିକାଲ କଲେଜ ପାଇଁ ରାଜ୍ୟ ସରକାର 80 ପ୍ରତିଶତ ଅର୍ଥ ଖର୍ଚ୍ଚ କରିଛନ୍ତି । କେନ୍ଦ୍ର ଦେଇଛି ମାତ୍ର 20 ପ୍ରତିଶତ ଅର୍ଥ । ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ବାରିପଦା ମେଡିକାଲ କଲେଜକୁ ବିରୋଧ କରୁଥିଲେ । ରାଜ୍ୟ ସରକାର ସୁପ୍ରିମ କୋର୍ଟର ସ୍ବତନ୍ତ୍ର କ୍ଷମତା ସଂପନ୍ନ କମିଟି ପାଖରୁ ଅନୁମତି ନେଇ ମେଡିକାଲ କଲେଜ କରିଛନ୍ତି । ଆହାର ଯୋଜନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଖାଦ୍ୟ ପାଉଛନ୍ତି । ସେଇ ଓଡିଆ କେନ୍ଦ୍ରମନ୍ତ୍ରୀ ଏହି ଯୋଜନାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ । ଏହା କି ପ୍ରକାର ରାଜନୀତି ବୋଲି ପ୍ରଶ୍ନ କରିବା ସହ ନବୀନ କହିଥିଲେ ଯେ, ଲୋକଙ୍କ ଉପକାର ଠାରୁ ନିଜ ସ୍ବାର୍ଥ କଣ ବଡ । ଅନୁସୂଚିତ ଜାତି ଜନଜାତି ପିଲାଙ୍କ ଛାତ୍ର ବୃତ୍ତି ବନ୍ଦ କଲେ । ମୟୁରଭଂଜରେ ରେଳ ସମ୍ପ୍ରସାରଣ ହୋଇପାରୁନି । ମୟୁରଭଂଜ ପ୍ରତି କେନ୍ଦ୍ର ବିଜେପି ସରକାରର ଦରଦର ଏହା ନମୂନା । ମୟୁରଭଂଜର ସ୍ବାଭିମାନୀ ଜନତା ଏହାର ଉଚିତ ଜବାବ ଦେବେ ବୋଲି ସେ କହିଥିଲେ ।