Odia News Portal

ହାଇକୋର୍ଟ ଜଗି-ଜୟଙ୍କ ଖସିଯିବାର ସୁଯୋଗକୁ ପଣ୍ଡ କରିଦେଇଛନ୍ତି

ଭୁବନେଶ୍ବର () ସାରୁଅ ଦଳିତ ଜମି ଦୁର୍ନୀତି ମାମଲା ରଦ୍ଦ ପାଇଁ ଆବେଦନ ଖାରଜ ଓ ଅନ୍ତରୀଣ ସୁରକ୍ଷା ହଟିଲା ପରେ ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ଗିରଫଦାରୀର ସମ୍ମୁଖୀନ ହୋଇଛନ୍ତି । ଏ ପ୍ରସଙ୍ଗରେ ପ୍ରତିକ୍ରିୟା ପ୍ରକାଶ କରି ବିଜେଡି ରାଜ୍ୟସଭା ସଦସ୍ୟ ଡକ୍ଟର ସସ୍ମିତ ପାତ୍ର କହିଛନ୍ତି ଯେ, ହାଇକୋର୍ଟ ଜଗି-ଜୟଙ୍କ ଆବେଦନ ଖାରଜ କରି ସେମାନଙ୍କ ଖସିଯିବାର ସୁଯୋଗକୁ ପଣ୍ଡ କରିଦେଇଛନ୍ତି । ଏହାସହ ସେମାନଙ୍କ ଅନ୍ତରୀଣ ସୁରକ୍ଷା ମଧ୍ୟ ହଟାଇ ଦିଆଯାଇଛି । ଜମି ହରାଇଥିବା ଦଳିତ କୃଷକମାନଙ୍କୁ ଏଣିକି ନ୍ୟାୟ ମିଳିବ ବୋଲି ସସ୍ମିତ ଆଶା ପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ସାରୁଅ କେଳେଙ୍କାରୀରେ ମୂଳ ମାମଲା ରଦ୍ଦ କରିବାକୁ ହାଇକୋର୍ଟରେ ଅପିଲ କରିଥିଲା ଓଡିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ । ହେଲେ ଏହାକୁ ଶୁକ୍ରବାର ଖାରଜ କରିଦେଇଛନ୍ତି ହାଇକୋର୍ଟ  । ଫଳରେ ଏବେ ଓଡ଼ିଶା ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡର ମାଲିକ ବୈଜୟନ୍ତ ପଣ୍ଡା ଓ ପତ୍ନୀ ଜାଗି ପଣ୍ଡାଙ୍କୁ ଆବଶ୍ୟକ ପଡିଲେ ଗିରଫ କରିବାକୁ ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ ଆଉ ଅସୁବିଧା ହେବନି। ଚଞ୍ଚକତା କରି ଦଳିତଙ୍କ ଜମି ହଡପ ଭଳି ସଙ୍ଗିନ ମାମଲା ଲାଗିଛି ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ୍ ଲିମିଟେଡ ବିରୁଦ୍ଧରେ । ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ପୂର୍ବରୁ ଏହି ମାମଲାରେ ପୂର୍ବରୁ ଏକାଧିକ ବ୍ୟକ୍ତି ଗିରଫ ହୋଇ ଜେଲ ଯାଇଛନ୍ତି । ଅନେକଙ୍କୁ ଜେରା କରାଯାଉଛି । ଏଭଳି ପରିସ୍ଥିତିରେ ତଦନ୍ତକାରୀ ସଂସ୍ଥା ବା କ୍ରାଇମ୍ବ୍ରାଞ୍ଚ ହାତରେ ଲାଗିଛି ଅନେକ ତଥ୍ୟ । ଏଣୁ ଏଥିରେ ହସ୍ତକ୍ଷେପ କରି ମାମଲାକୁ ରଦ୍ଦ କରିବା କିମ୍ବା ଆଗୁଆ ଜାମିନ ପ୍ରଦାନ ଉଚିତ ନୁହେଁ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି । ଫଳରେ ଜାଗି ଓ ଜୟ ପଣ୍ଡାଙ୍କୁ କୋର୍ଟରୁ ମିଳିଥିବା ଆନ୍ତରୀଣ ସୁରକ୍ଷା ମଧ୍ୟ ରଦ୍ଦ ହୋଇଯାଇଛି ।