Odia News Portal

ବିଜେପି ଦଳ ପାଇଁ ଓଡିଶାବାସୀ ନୁହେଁ ଓଡିଶାବାସୀଙ୍କ ଭୋଟ ମୂଲ୍ୟବାନ

ଭୁବନେଶ୍ବର () କେନ୍ଦ୍ରାପଡାରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦ୍ବିତୀୟ ଦିନ ପାଇଁ ରୋଡ ସୋ କରିଛନ୍ତି । ଏହି ଅବସରରେ ସେ ପଟ୍ଟାମୁଣ୍ଡାଇରେ ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ବିଜେପିକୁ ଟାର୍ଗେଟ କରିଛନ୍ତି । ବିଜେପି ଦଳ ପାଇଁ ଓଡିଶାବାସୀଙ୍କ ସ୍ବାର୍ଥ ଗୁରୁତ୍ବପୂର୍ଣ୍ଣ ନୁହେଁ, ଓଡିଶାବାସୀଙ୍କ ଭୋଟ ମୂଲ୍ୟବାନ ବୋଲି କହି ନବୀନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନ ଘନ ଓଡିଶା ଗସ୍ତକୁ ସମାଲୋଚନା କରିଛନ୍ତି ।

ସେ କହିଛନ୍ତି ଯେ, ଗତ 5 ବର୍ଷ ମଧ୍ୟରେ ଓଡିଶା ବାରମ୍ବାର ବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଲା । ସେ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଓଡିଶା ଆସିବାକୁ ସମୟ ହେଲାନି । ଏବେ ଘନ ଘନ ଆସୁଛନ୍ତି । ଉଦ୍ଦେଶ୍ୟ କେବଳ ଓଡିଶାବାସୀଙ୍କ ଭୋଟ । ଭୋଟ ପ୍ରଚାର ପାଇଁ ପ୍ରଧାନମନ୍ତ୍ରୀ ଗତ ମାସକ ମଧ୍ୟରେ 10 ଥର ଓଡିଶା ଆସିଲେଣି । କିନ୍ତୁ ଓଡିଶାବାସୀଙ୍କ ଦୁଃଖ ସମୟରେ ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ 5 ବର୍ଷରେ ଥରୁଟିଏ ବି ସମୟ ମିଳିଲାନି ।

ପ୍ରଧାନମନ୍ତ୍ରୀ ଗତ ଅକ୍ଟୋବର 14, 2014ରେ ଆନ୍ଧ୍ର ପ୍ରଦେଶରେ ହୋଇଥିବା ହୁଡହୁଡ ପାଇଁ ଯାଇଥିଲା । 2017 ଅଗଷ୍ଟ 26 ତାରିଖରେ ବିହାରରେ ହୋଇଥିବା ବନ୍ୟା ପରିସ୍ଥିତିର ସମୀକ୍ଷା ପାଇଁ ଯାଇଥିଲେ । ସେହିବର୍ଷ ଜୁଲାଇ 25 ତାରିଖରେ ବନ୍ୟା ପରିସ୍ଥିତି ପାଇଁ ଗୁଜୁରାଟ ଯାଇଥିଲେ । 2018ରେ କେବଳ ବନ୍ୟା ସମୟରେ ମଧ୍ୟ ଯାଇଥିଲେ । ଏହି 5 ବର୍ଷରେ 2014ରେ ହୁଡହୁଡ, 2015ରେ ଭୟଙ୍କର ମରୁଡି, 2017ରେ ବନ୍ୟା ଏବଂ 2018ରେ ତିତଲି ଓ ପରବର୍ତ୍ତି ବନ୍ୟା ପରିସ୍ଥିତି ଓଡିଶାର ମେରୁଦଣ୍ଡକୁ ହଲାଇଦେଇଥିଲା । ପ୍ରଧାନମନ୍ତ୍ରୀ ସେ ସମୟରେ ଆସିଥିଲେ କି? ଆସିଲେ ନାହିଁ । ଆପଣଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି ଓ ରହିବି ମଧ୍ୟ । କେନ୍ଦ୍ରାପଡା ବିଜୁ ବାବୁଙ୍କ କର୍ମଭୂମି । ଏହାର ବିକାଶ ଦାୟିତ୍ବ ମୋର ବୋଲି କହିଥିଲେ ନବୀନ ।

କାଳିଆ ଯୋଜନାରେ 40 ଲକ୍ଷ ଚାଷୀ ଉପକାର ପାଇଲେଣି । କିନ୍ତୁ କେନ୍ଦ୍ର ବିଜେପି ସରକରା ଏହି ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ହେଲେ ମୁଁ ଥିବା ପର୍ଯ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ । ବିଜୁ ଜନତା ଦଳ ସରକାର ଆସିବାର ପ୍ରଥମ ଦିନରେ ହିଁ ସବୁ ଚାଷୀଙ୍କୁ ଦୁଇଟି କିସ୍ତିରେ 10 ହଜାର ଟଙ୍କା ମିଳବ । ଓଡିଶାର ସାଢେ ଚାରି କୋଟି ଲୋକ ମୋର ପରିବାର । ମୁଁ ସବୁବେଳେ ଆପଣଙ୍କ ସାଥିରେ ଅଛି ଓ ରହିବି । ତେଣୁ ବିଜେଡିକୁ ଆଶୀର୍ବାଦ କରିବାକୁ ନବୀନ ଆହ୍ବାନ ଦେଇଥିଲେ ।