Odia News Portal

ବିଶ୍ୱବିଦ୍ୟାଳୟ ଅଧିନିୟମ ସଂଶୋଧନ ବିଲ୍ ଶିକ୍ଷାନୁଷ୍ଠାନକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏକ ବଳିଷ୍ଠ ପଦକ୍ଷେପ

ଭୁବନେଶ୍ୱର() ଗତକାଲି ରାଜ୍ୟ ବିଧାନସଭାରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ ୨୦୨୦ ଆଗତ ହୋଇଛି । ଆଜି ବିଭିନ୍ନ ଗଣମାଧ୍ୟମରେ ବିଧାନସଭାର ଅଲୋଚନା ସଂମ୍ପର୍କରେ ପ୍ରକାଶ ପାଇଛି । ତେବେ ଗୋଟିଏ କଥା ପ୍ରମୁଖ ଭାବେ ପ୍ରକାଶ ପାଇଛି ଯେ ମାନ୍ୟବର ସଦସ୍ୟ ତାରାପ୍ରସାଦ ବାହିନୀପତି ବିଲଟିକୁ ଚିରି ଦେଲେ । ତେବେ ଶ୍ରୀ ବାହିନୀପତି କ’ଣ କହିଲେ ଏବଂ କ’ଣ କହି ବିଲଟିକୁ ଚିରି ଦେଲେ ଏ କଥା କେହି ବି ଉଲ୍ଲେ୍ଖ କରିନାହାଁନ୍ତି ।

ଆମେ ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଁ ଶ୍ରୀ ବାହିନୀପତି କାହିଁକି ଚିଠିଟିକୁ ଚିରିଦେଇଥିଲେ । ଶ୍ରୀ ବାହିନୀପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଉଚ୍ଚ ଶିକ୍ଷା ବିଭାଗ ଦ୍ୱାରା ମହାବିଦ୍ୟାଳୟ ଗୁଡିକ ନିମନ୍ତେ ଏମ.ଏଲ.ଏ ଲ୍ୟାଡରୁ ୫୦ ଲକ୍ଷ ଟଙ୍କା ଦେବା ନିମନ୍ତେ ସ୍ଥିରିକୃତ ହୋଇଛି । କିନ୍ତୁ ଆମକୁ ମହାବିଦ୍ୟାଳୟ ଗୁଡିକର ଗର୍ଭଣିଂ ବଡିର ସଭାପତି ଏପରିକି ସଦସ୍ୟ ଭାବରେ ରଖାଯିବ ନାହିଁ ବୋଲି ସରକାରଙ୍କ ଦ୍ୱାରା ଆଗକୁ ନିଷ୍ପତି ହୋଇଛି । ଯଦିଓ ଏ କଥା ସହିତ ବିଲଟିର କୌଣସି ସମ୍ପର୍କ ନାହିଁ ତଥାପି ଏ କଥା କହି ଶ୍ରୀ ବାହିନୀପତି ବିଲଟିକୁ ଚିରି ଦେଇଥିଲେ ।

ରାଜ୍ୟ ସରକାର ଏକ ଯୁଗାନ୍ତକାରୀ ପୟାସ ନେଇ ସଭୁ ଶିକ୍ଷାନୁଷ୍ଠାନ ଗୁଡିକ ରାଜନୀତି କରଣରୁ ମୁକ୍ତ ରଖି ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେହି ପ୍ରୟାସରେ ଏହି ବିଲ ଏକ ବଳିଷ୍ଟ ପଦକ୍ଷେପ । ଯାହାକୁ ସମସ୍ତ ଶିକ୍ଷାବିତ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ପ୍ରାୟ ସମସ୍ତେ ସ୍ୱାଗତ କରିଛନ୍ତି । ଯଦିବା ଶ୍ରୀ ବାହିନୀପତି ଯାହା କହିଛନ୍ତି ସେଥିରେ ଏ ବିଲ ସହିତ କୈଣସି ସମ୍ପର୍କ ନାହିଁ । ତେବେ ସେ କଥା ଅବତାରଣା କରିଛନ୍ତି । ତେବେ ଏହି କଥା ଅବତାରଣା କରିବା କାରଣ ହେଲା ଯେଉଁ ତିନି ଜଣ ବିଧାୟକ ଗୋଟିଏ ଗୋଟିଏ ବିଶ୍ୱବିଦ୍ୟାଳୟର ସିନେଟକୁ ଯାଉଥିଲେ ସେମାନେ ସିନେଟ ବ୍ୟବସ୍ଥାର ଉଚ୍ଛେଦ ହେବା ପରେ ଆଉ ଯାଇ ପାରିବେ ନାହିଁ । ତେବେ ବର୍ଷ ବର୍ଷ ଧରି ବିଶ୍ୱବିଦ୍ୟାଳୟରେ ସିନେଟରେ କୌଣସି ବୈଠକ ବସୁ ନଥିବା ଫଳରେ ସିନେଟ କେବଳ ଏକ ଆଳଙ୍କାରିକ ବ୍ୟବସ୍ଥା ହୋଇ ରହିଯାଇଥିଲା । ବିଶ୍ୱବିଦ୍ୟାଳୟ ପରିଚାଳନାରେ ସିନେଟର କୌଣସି ଅବଦାନ ନଥିଲା । ସବୁ କ୍ଷମତା ପ୍ରକୃତରେ ସିଣ୍ଡିକେଟ ବ୍ୟବସ୍ଥାରେ ରହିଥିଲା । ସବୁ କଥା ଆଲୋଚନା ହୋଇ ନିଷ୍ପତ୍ତି ନିଆଯାଉଛି ।

ଯେତେବେଳେ ତର୍ଜମା କରି ଦେଖାଗଲା ଯେ ବର୍ଷ ବର୍ଷ ଧରି ସିନେଟର ବୈଠକ ବସୁନାହିଁ, ଏବଂ ସିନେଟ ଦ୍ୱାରା କୌଣସି ଉଦେ୍ଧଶ୍ୟ ସାଧିତ ହୋଇପାରୁନାହିଁ, ସେତେବେଳେ ଏହାକୁ ଉଚ୍ଛେଦ କରାଗଲା । ତେବେ ସିନେଟ ବ୍ୟବସ୍ଥା ଉଚ୍ଛେଦ ହେବା ଦ୍ୱାରା ଏମ୍.ଏଲ୍.ଏ ମାନେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇ ପାରିବେ ନାହିଁ କହି ଏହାକୁ ବିରୋଧ କରି ଶ୍ରୀ ବାହିନୀପତି ବିଲ୍ଟିକୁ ଚିରି ଦେଲେ । ତେବେ କୌଣସି ଗଣମାଧ୍ୟମରେ ଏ କଥା ପ୍ରକାଶ ପାଇଲା ନାହିଁଁ । ସେଥିପାଇଁ ଆମେ ଛୋଟିଆ ଗଣମାଧ୍ୟମ ହେଲେ ମଧ୍ୟ ଯାହା ସତ୍ୟ, ଯାହା ବିଧାନସଭାରେ କୁହାଗଲା ତାହାକୁ ଲୋକଲୋଚନକୁ ଆଣିବା ଓ ସତ୍ୟର ସାମ୍ନା କରିବାକୁ ପ୍ରୟାସ କରିଛୁ ।

ଯେଉଁ କଥା ସରକାର କଲେ ଏପରିକି ସରକାରୀ ଦଳର ବିଧାୟକମାନେ ମଧ୍ୟ ନୂତନ ବ୍ୟବସ୍ଥାରେ ସିନେଟ ଉଚ୍ଛେଦ ପରେ ଆଉ ବିଶ୍ୱବିଦ୍ୟାଳୟକୁ ଯାଇପାରିବେ ନାହିଁ ବୋଲି ଲୋକମାନେ ଜାଣିବେ । ସେତେବେଳେ ସେମାନେ ସରକାରଙ୍କ ଏଭଳି ପ୍ରୟାସକୁ ନିଶ୍ଚିତ ଭାବେ ସ୍ୱାଗତ କରିବେ । ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ବିଶ୍ୱବିଦ୍ୟାଳୟକୁ ରାଜନୀତିରୁ ମୁକ୍ତ ରଖିବା ପାଇଁ ଏହା ନିଶ୍ଚିତ ରୂପେ ଏକ ବଳିଷ୍ଟ ପଦକ୍ଷେପ । ଏହା ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବ୍ୟବସ୍ଥାରେ ପ୍ରଭୁତ ଉନ୍ନତି ଆଣିପାରିବ ବୋଲି ବହୁ ବୃଦ୍ଧିଜୀବି ଲବଂ ଅଭିଭାବକମାନଙ୍କ ମତ ।

ଯାହା ବିଧାନସଭାରେ ଘଟୁଛି ତାହା ପ୍ରକାଶ କରିବା ପାଇଁ ଆମେ ନିରନ୍ତର ଉଦ୍ୟମ ଜାରୀ ରଖିଛୁ ଏବଂ ଜନସାଧାରଣଙ୍କ ନିକଟରେ ସତ୍ୟର ଅବତାରଣା କରିବା ପାଇଁ ପ୍ରୟାସ କରୁଛୁ ।