Odia News Portal

ଅନନ୍ତଙ୍କ ଟାର୍ଗେଟରେ ଅପରାଜିତା

ସ୍ୱାଧିକାର ନ୍ୟୁଜ : ସାଂସଦ ଅପରାଜିତା ଷଢ଼ଙ୍ଗୀଙ୍କୁ ଅଣ୍ଡାମାଡ ଘଟଣାରେ ତେଜିବାରେ ଲାଗିଛି ରାଜନୀତି । ବିଜେଡି ବିରୋଧରେ ବିଷୋଦଗାର କରିଥିଲେ ଅପରାଜିତା । ଏବେ ଅପରାଜିତାଙ୍କୁ କାଉଣ୍ଟର କରିଛନ୍ତି ବିଜେଡି ବିଧାୟକ ଅନନ୍ତ ନାରାୟଣ ଜେନା । ଶାନ୍ତ ଓଡିଶାକୁ ବିହାର ଭଳି ଅଶାନ୍ତ କରିବାକୁ ଅପରାଜିତା ଚେଷ୍ଟା କରନ୍ତୁନି ବୋଲି କହିଛନ୍ତି ଅନନ୍ତ । ସାଧାରଣ ଲୋକେ ଅପରାଜିତାଙ୍କୁ ଭେଟିବାକୁ ଯାଇଥିବା ବେଳେ କିଛି ଗୁଣ୍ଡା ସେମାନଙ୍କୁ ଆକ୍ରମଣ କଲେ । ହେଲେ ଅପରାଜିତା ସାନ୍ତ୍ୱନା ଦେବା ବଦଳରେ ଦେଖା ଦେଲେନି । ଓଲଟି ସେମାନଙ୍କ ପ୍ରତି ଅଶାଳୀନ ବ୍ୟବହାର କରାଯାଇଛି । ତେବେ ସାଂସଦ ସାଧାରଣ ଲୋକଙ୍କୁ ଭେଟିବାକୁ ଏତେ ଭୟ କାହିଁକି କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଅନନ୍ତ ଜେନା ।

ଅନନ୍ତ କହିଛନ୍ତି, ଗତକାଲି କିଛି ବସ୍ତି ବାସିନ୍ଦା ଖାସ କରି ମହିଳାମାନେ ଅପରାଜିତାଙ୍କୁ ଭେଟିବାକୁ ଅପେକ୍ଷା କରିଥିଲେ । ସେହି ସମୟରେ କିଛି ଗୁଣ୍ଡା ସେମାନଙ୍କୁ ଆକ୍ରମଣ କଲେ । ଯାହାର ପ୍ରତିଫଳନ ପରେ ଦେଖିବାକୁ ମିଳିଥିଲା । ରାଜ୍ୟରେ କୌଣସି ଜନପ୍ରତିନିଧି ସାଙ୍ଗରେ ଗୁଣ୍ଡାବାହିନୀ ଧରି ବୁଲୁ ନାହାଁନ୍ତି । କିନ୍ତୁ ଅପରାଜିତାଙ୍କ ସାଙ୍ଗରେ ଯେଉଁମାନେ ବୁଲୁଛନ୍ତି ସେମାନଙ୍କ ନାମରେ ଥାନାରେ ଏତଲା ରହିଛି । ତେଣୁ ଗୁଣ୍ଡାବାହିନୀକୁ ଧରି ଅପରାଜିତା ଓଡିଶାକୁ ବିହାର ଭଳି କରିବାକୁ ଚେଷ୍ଟା ନକରନ୍ତୁ ବୋଲି ଅନନ୍ତ କହିଛନ୍ତି ।