Odia News Portal

ଚିନ୍ତାରେ ଆମ୍ବଚାଷୀ

କଲ୍ୟାଣସିଂହପୁର: ଲକ୍ ଡାଉନ ପାଇଁ ବିକ୍ରି ହୋଇ ପାରୁନି ଆମ୍ବ । ଯାହାକୁ ନେଇ ଚିନ୍ତାରେ ଆମ୍ବ ଚାଷୀ । ରାୟଗଡା ଜିଲ୍ଲା କଲ୍ୟାଣ ସିଂପୁର ବ୍ଲକ ସିକରପାଇ ନିକଟରେ ରହିଛି ଶାନ୍ତିବନ । ଯେଉଁଠି ତିନି ଏକର ଜମିରେ ଆମ୍ବ ଚାଷ କରିଛନ୍ତି ସିକରପାଇ ଗାଁର ରହିଦାସ ନାୟକ । ଏବର୍ଷ ଅଧିକା ଆମ୍ବ ଫଳି ଥିବାରୁ ଭଲ ଦି ପଇସା ରୋଜଗାର ଆଶା ରଖିଥିଲେ ରହିଦାସ । ହେଲେ ସବୁ ଆଶା ଚୁରମାର କରିଦେଲା ମହାମାରୀ କରୋନା । ଲକ୍ ଡାଉନ ଫଳରେ ବସ ଚଳାଚଳ ବନ୍ଦ ହୋଇଥିବା ବେଳେ ଗାଡି ଚଳାଚଳ କମିଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନ ଓ ରାଜ୍ୟ ବାହାରକୁ ଆମ୍ବ ପଠାଇବା ସମ୍ଭବ ହେଉନି । ଯାହାକୁ ନେଇ ଚିନ୍ତାରେ ଆମ୍ବଚାଷୀ ରହିଦାସ ନାୟକ ।

ଏଇ ଶାନ୍ତିବନରୁ ସୁସ୍ୱାଦୁ ଆମ୍ବ ସବୁ ଭୁବନେଶ୍ୱର, କଟକ, ଖୋର୍ଦ୍ଧା ସହ ରାୟଗଡା, ବ୍ରହ୍ମପୁର, ରାଉରକେଲାକୁ ବିକ୍ରି ପାଇ ଯାଉଥିଲା । ଏମିତିକି ଏଇ ଆମ୍ବ ଓଡିଶା ବାହାରେ ରାୟପୁର, ଦିଲ୍ଲୀ ଯାଇ ଚାହିଦା ମେଂଟାଉଥିଲା । ଗୋଟିଏ ଆମ୍ବ ଋତୁରେ ୨ରୁ ୩ଲକ୍ଷ ପର୍ଯ୍ୟନ୍ତ ରୋଜଗାର ହୋଇପାରୁଥିବା ବେଳେ ଚଳିତବର୍ଷ ତାହାର ଅଧା ବି ହୋଇ ପାରିଲା ନାହିଁ । ଆମ୍ବ ଗଛରେ ପାଚି ନଷ୍ଟ ହେଉଛି ହେଲେ ବିକ୍ରି କରିବା ଏକ ପ୍ରକାର ଅସମ୍ଭବ ହୋଇପଡିଛି । ବର୍ଷକୁ ଥରେ ରଜ ସାବିତ୍ରୀ ସମୟରେ ଆମ୍ବର ବହୁଳ ବିକ୍ରି ହୋଇଥାଏ । ଏମିତିକି ଏହି ସମୟ ଫେଷ୍ଟିଭ୍ ସିଜିନ ହୋଇଥିବାରୁ ଭଲ ବେପାର ହୋଇଥାଏ । ଏଭଳି ସମୟରେ ଜୀବନ ନେଉଛି ଆଉ ଜିବିକା ବି ମାରି ଦେଉଛି ମହାମାରୀ ।