Odia News Portal

୯୨ ହଜାର କୋଟିର ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର()  କରୋନା ସଂକ୍ରମଣ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ଶିଥିଳ ହୋଇଥିବା ବେଳେ ଓଡିଶା ସରକାରଙ୍କ ପକ୍ଷରୁ ଅର୍ଥନୈତିକ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଏହି ବୈଠକରେ ୯୨ ହଜାର ୭୧୩ କୋଟିର ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରାଇଛି । ଶିଳ୍ପ ବ୍ୟବସ୍ଥାର ଅଭିବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଆଜି ୫ଟି ମେଗା ପ୍ରକଳ୍ପ ସମ୍ପର୍କରେ ଘୋଷଣା କରିଛନ୍ତି । ବିଭିନ୍ନ ଧାତବ ଶିଳ୍ପ ସମେତ ପେଲେଟ, ଲୁହା, ଷ୍ଟିଲ ଏବଂ ସିମେଣ୍ଟ ପରି ଶିଳ୍ପ ଉପôାଦକୁ ଏହା ମଧ୍ୟରେ ସାମିଲ କରାଯାଇଛି । ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ଧାରାକୁ ମୁଖ୍ୟସ୍ରୋତକୁ ଫେରାଇ ଆଣିବା ପାଇଁ ଶିଳ୍ପ ଅଭିବୃଦ୍ଧି ନିତାନ୍ତ ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ସମସ୍ତ ପ୍ରକଳ୍ପ ଦ୍ୱାରା ଅର୍ଥନୈତିକ ଅଭିବୃଦ୍ଧି ହାସଲ ସହିତ ନୂତନ ନିଯୁକ୍ତିର ମଧ୍ୟ ସୁଯୋଗ ସୃଷ୍ଟି ହେବ । ଏହି ୫ ପ୍ରକଳ୍ପରେ ପ୍ରାୟ ୩୨ ହଜାର ନୂତନ ନିଯୁକ୍ତି ସୃଷ୍ଟି ହେବା ନେଇ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ । ଏହା ସହିତ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିକୁ ନେଇ ମୁଖ୍ୟମନ୍ତ୍ରୀ ଖୁସି ଜାହିର କରିଥିଲେ । ଫେବୃୟାରୀ ୨୦୨୦ ପରଠାରୁ ରାଜ୍ୟକୁ ୧.୧୭ ଲକ୍ଷ ଟଙ୍କାର ନିବେଶ ଆସି ସାରିଲାଣି ।

ପ୍ରସ୍ତାବିତ ପ୍ରକଳ୍ପ ମଧ୍ୟରେ ଜିନ୍ଦଲ ପକ୍ଷରୁ ଅନୁଗୁଳରେ ପ୍ରାୟ ୭୬ ହଜାର କୋଟିର ନିବେଶ କରାଯିବ । ୬ ଏମଟିପିଏ ଉପôାଦନ କ୍ଷମତାକୁ ୧୮.୬ ଏମଟିପିଏକୁ ବୃଦ୍ଧି, ୩୬ ଏମଟିପିଏର ସ୍ଲରି ପାଇପ ଲାଇନ ଏବଂ ୧୨.୫ ଏମଟିପିଏର ସିମେଣ୍ଟ ପ୍ଲାଣ୍ଟର ପ୍ରସ୍ତାବ ରହିଛି । ଏହି ପ୍ରକଳ୍ପ ପାଇଁ ଦୁଇଟି ପର୍ଯ୍ୟାୟରେ ୭୬୦୧୮ କୋଟି ନିବେଶ ହେବ ଏବଂ ପ୍ରାୟ ୨୪୩୫୦ ନୂତନ ନିଯୁକ୍ତି ସୃଷ୍ଟି ହେବ ।

ଯାଜପୁରର କଳିଙ୍ଗ ନଗରରେ ରହିଥିବା ଜିନ୍ଦଲ ଷ୍ଟିଲ କାରଖାନାର କ୍ଷମତା ୧.୧ଏମଟିପିଏରୁ ୩.୨ ଏମଟିପିଏକୁ ବୃଦ୍ଧି କରାଯିବ । ଏହା ସହିତ ୦.୮ ଏମଟିପିଏର କୋଲ୍ଡ ରୋଲିଙ୍ଗ ମିଲର କ୍ଷମତାକୁ ୨.୪ଏମଟିପିଏକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପ ପାଇଁ ୬୮୪୦ କୋଟିର ନିବେଶ କରାଯିବ ଏବଂ ପ୍ରାୟ ୨୨୩୬ଟି ନୂତନ ନିଯୁକ୍ତି ସୃଷ୍ଟି ହେବ ।

କେନ୍ଦୁଝର ଏବଂ ପାରାଦୀପରେ ଏସଆର ମିନମେଟ ଲିମିଟେଡ ପକ୍ଷରୁ ଦୁଇଟି ନୂତନ କାରଖାନା ପ୍ରତିଷ୍ଠା କରାଯିବ । ୧୪ ଏମଟିପିଏ ବେନିଫିକେସନ, ୧୪ଏମଟିପିଏ ପେଲେଟ ପ୍ଲାଣ୍ଟ ଏବଂ ୧୪ ଏମଟିପିଏ ସ୍ଲରି ପାଇପଲାଇନ କାର୍ଯ୍ୟକ୍ଷମ କରାଯିବ । ଏହି ପ୍ରକଳ୍ପରେ ୬୬୫୦ କୋଟି ଟଙ୍କାର ନିବେଶ ହେବା ସହିତ ୧୪୬୮ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

କେନ୍ଦୁଝରରେ ରହିଥିବା ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କାରଖାନାର ସମ୍ପ୍ରସାରଣ କରାଯିବ । ଏହି ସମ୍ପ୍ରସାରଣରେ ୨୦୦ କୋଟି ନିବେଶ କରାଯିବ । କେନ୍ଦୁଝରରେ କମ୍ପାନୀର କ୍ଷମତା ୧୦.୭୬ଏମଟିପିଏରୁ ୧୬.୭୬କୁ ବଢାଯିବ ଏବଂ ପାରାଦୀପରେ କ୍ଷମତା ୬ଏମଟିପିଏରୁ ୧୨ ଏମଟିପିଏକୁ ବଢାଯିବ । ଏହା ଦ୍ୱାରା ପ୍ରାୟ ୬୫୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯିବ ।

ଶ୍ୟାମ ମେଟାଲିକସ ଆଣ୍ଡ ଏନର୍ଜି ପକ୍ଷରୁ ସମ୍ବଲପୁରର ପାଣ୍ଡୋଲିରେ ୦.୭୭ ଏମଟିପିଏର କାରଖାନାକୁ ୨.୩୭୩ ଏମଟିପିଏକୁ ବୃଦ୍ଧି କରାଯିବ । ଏହି ପ୍ରକଳ୍ପରେ ୧୨୦୫ କୋଟି ଟଙ୍କା ନିବେଶ କରାଯିବାକୁ ଥିବା ବେଳେ ପ୍ରାୟ ୩୨୭୦ ଲୋକଙ୍କୁ ନିଯୁକ୍ତି ମିଳିବ ।
ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତିତ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତି ମନ୍ତ୍ରୀ (ରାଷ୍ଟ୍ର) କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ସହକାରୀ ମୁଖ୍ୟ ଶାସନ ସଚିବ, ଅର୍ଥନୈତିକ ସଚିବ, ଇଡକୋ ଚେୟାରମ୍ୟାନ ଏବଂ ୫ଟି ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ରହିଥିଲେ ।