Odia News Portal

ବିବାଦରେ ନୀଳଗିରି ବିଧାୟକଙ୍କ ଚିଠି

ନୀଳଗିରି: ଚଳିତ ବର୍ଷ ନୀଳଗିରିରେ ରଥଯାତ୍ରା ବନ୍ଦ କରାଯିବା ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ନୀଳଗିରି ବିଧାୟକ ସୁକାନ୍ତ ନାୟକ । ରଥଖଳାରେ ଚଳିତବର୍ଷ ଲାଗି ଚାଲିଥିବା ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରାଯାଉ, କରୋନା ସମୟରେ ଅଯଥା ଟଙ୍କା ଖର୍ଚ୍ଚ କରାନଯାଉ ବୋଲି ଜିଲ୍ଲାପାଳଙ୍କୁ ଏକ ଚିଠି ଲେଖିଥିଲେ । ସେପଟେ ଏହି ଚିଠି ପରେ ରଥ ନିର୍ମାଣ କାର୍ଯ୍ୟ ବନ୍ଦ କରିଛନ୍ତି ବାଲେଶ୍ୱର ଜିଲ୍ଲାପାଳ ।

ରଥ ନିର୍ମାଣ କାର୍ଯ୍ୟ ବନ୍ଦ ହେବା ପରେ ଜଗନ୍ନାଥ ପ୍ରେମୀଙ୍କୁ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ବିଧାୟକଙ୍କୁ ନିନ୍ଦା କରିବା ସହ ବିଭିନ୍ନ ମହଲରୁ ତାଙ୍କୁ ମଧ୍ୟ ସମାଲୋଚନା କରାଯାଇଛି । ନୀଳଗିରିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ଜଗନ୍ନାଥ ସଂସ୍କୃତି ଓ ହିନ୍ଦୁଧର୍ମକୁ କୋଠାରାଘାତ କରାଯାଇଛି ବୋଲି ସେବାୟତଙ୍କ ସମେତ ବିଭିନ୍ନ ବର୍ଗରୁ ଆଲୋଚନା କରାଯାଉଛି।

ସେପଟେ ବିଧାୟକଙ୍କ ଚିଠିକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ କଥା କଟାକଟି ଚାଲିଛି। ରବିବାର ସନ୍ଧ୍ୟାରେ ବାଲେଶ୍ୱର ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ନୀଳଗିରିରେ ଏହି ରଥନିର୍ମାଣ କାର୍ଯ୍ୟକୁ ବନ୍ଦ କରିବା ସହ ଏ ସମ୍ପର୍କରେ ସୋମବାର ଠାକୁରମାହାଲ କାର୍ଯ୍ୟଳୟରେ ଅବଗତ କରାଇବାକୁ ଉପଜିଲାପାଳ ହରିଶ ଚନ୍ଦ୍ର ଜେନାଙ୍କୁ ନିର୍ଦେଶ ଦେଇଛନ୍ତି। ରଥବନ୍ଦ ନିର୍ଦେଶ ପରେ ନୀଳଗିରିରେ ଜଗନ୍ନାଥପ୍ରେମୀ, ଶ୍ରଦ୍ଧାଳୁ, ସେବାୟତଙ୍କ ମଧ୍ୟରେ ଆନ୍ଦୋଳନର ଦାନା ବାନ୍ଧୁଥିବା ପରିଲକ୍ଷିତ ହୋଇଛି। ଅପରପକ୍ଷରେ ଏ ସମ୍ପର୍କରେ ବିଧାୟକ ଶ୍ରୀ ନାୟକଙ୍କୁ ପଚରାଯିବାରୁ ମୁଁ ଯେଉଁ ଉଦେଶ୍ୟରେ ଜିଲାପାଳଙ୍କୁ ଚିଠି ଲେଖିଥିଲି; ତାକୁ କେତେକ ଲୋକ ସାମାଜିକ ଗଣମାଧ୍ୟମରେ କଦର‌୍ୟ୍ୟ କରୁଛନ୍ତି। ମୋର ଉଦେଶ୍ୟ ଥିଲା ପ୍ରଶାସନ ସହ ଆଲୋଚନା କରାଯାଇ ରଥ ନିର୍ମାଣ କାର୍ଯ୍ୟ ଚାଲୁ ରହୁ।