Odia News Portal

ପରୀ ହତ୍ୟା ମାମଲା: ବାବୁଲିଠୁ ତଦନ୍ତ ଆରମ୍ଭ କଲା ଏସ୍‌ଆଇଟି

ନୟାଗଡ଼ () ନୟାଗଡ ‘ପରୀ’ ହତ୍ୟା ମାମଲାରେ ବାବୁଲି ନାୟକ ମୁଖ୍ୟ ଅଭିଯୁକ୍ତ ବୋଲି ପରୀ ବାପା ମା’ କହିଥିଲେ। ପୋଲିସ ତାକୁ ପଚରାଉଚରା କରୁ ନ ଥିବାରୁ ବିଧାନସଭା ସମ୍ମୁଖରେ ପରୀର ବାପା-ମା’ ଆତ୍ମାହୁତି ଉଦ୍ୟମ କରିଥିଲେ। ଏପରିକି ବାବୁଲି ଫେରାର ଥିବା କୁହାଯାଇଥିଲା। ଏଥିସହିତ ବାବୁଲି ନାୟକ ସେମାନଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ମଧ୍ୟ କରିଥିଲେ। ଏହି ଘଟଣାର ତଦନ୍ତଭାର ଆଇଜି ଅରୁଣ ବୋଥ୍ରାଙ୍କୁ ଦିଆଯାଉଥିବା ବେଳେ ତାଙ୍କ ନେତୃତ୍ବରେ ଗଠିତ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗତକାଲି ପରୀର ଗାଁରେ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ତଦନ୍ତ ଆରମ୍ଭ କରିଛନ୍ତି। ତେବେ ପ୍ରଥମେ ବାବୁଲି ନାୟକକୁ ଜେରାରୁ ହିଁ ତଦନ୍ତ ଆରମ୍ଭ ହୋଇଛି। ପାଖାପାଖି ତିନି ଘଣ୍ଟା କାଳ ଏସ୍‌ଆଇଟି ଅଧିକାରୀମାନେ ତାକୁ ଜେରା କରିଛନ୍ତି।

ବାବୁଲିକୁ ପ୍ରଥମ ଦିନରେ ତଦନ୍ତ ପରିସରକୁ ଆଣିବା ବର୍ତ୍ତମାନ ଆଲୋଚନାର ବିଷୟ ପାଲଟିଛି। ଏଥିସହିତ ସ୍ଥାନୀୟ ପୁଲିସ ବିରୋଧରେ ଥିବା ଅଭିଯୋଗ ଯେ ଅସତ୍ୟ ନଥିଲା, ତାହା ବି ସ୍ପଷ୍ଟ ହୋଇଯାଇଛି। ଏସ୍ଆଇଟି ପଚରାଉଚରା କରିବା ପାଇଁ ବିଭିନ୍ନ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି। ତାଲିକା ଅନୁଯାୟୀ ସମସ୍ତଙ୍କୁ ତଦନ୍ତ ପରିସରକୁ ଅଣାଯିବ ଓ ଜେରା କରାଯିବ ବୋଲି ସୂଚନା ମିଳିଛି। ଗତକାଲି ସକାଳେ ଶ୍ରୀ ବୋଥ୍ରା ପରୀ ଗାଁ’ ନୟାଗଡ଼ର ଯଦୁପୁରକୁ ଯାଇଥିଲେ। ଯଦୁପୁରରେ ସମସ୍ତ ଏରିଆ ବୁଲି ତଥ୍ୟ ସଂଗ୍ରହ କରିଥିଲେ। ସମଗ୍ର ଗାଁ ସକାଳ ରୁ ଆରମ୍ଭ କରି ସନ୍ଧ୍ୟା ପର୍ୟ୍ୟନ୍ତ ପୋଲିସ ଛାଉଣିରେ ରହିଥିଲା। ତାପରେ ଏସଆଇଟି ବାବୁଲିକୁ ଟାଉନ୍ ଥାନାରେ ଜେରା କରୁଛି ବୋଲି ଜଣାପଡ଼ିଥିଲା। ବାବୁଲିକୁ ଦୀର୍ଘ ତିନି ଘଣ୍ଟା କାଳ ପଚରାଉଚରା କରାଯାଇଥିଲା। ଖାଲି ଜେରା ସମୟରେ ଥାନାର କୌଣସି କର୍ମଚାରୀଙ୍କୁ ଭିତରକୁ ଛଡ଼ାଯାଇନଥିଲା। କିନ୍ତୁ ବାବୁଲି କଣ କହିଲା, ସେ ନେଇ ତଦନ୍ତକାରୀ ଅଧିକାରୀ କିଛି ବି କହିନାହାନ୍ତି।

ସୂଚନାଯୋଗ୍ୟ, ପରୀ ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଯଦୁପୁର ଗ୍ରାମର ବାବୁଲି ନାୟକ ବୋଲି ‘ପରୀ’ ବାପା ଅଶୋକ ସାହୁ ଓ ମା’ ସୌଦାମିନୀ ସାହୁ ଅଭିଯୋଗ କରିଥିଲେ। ସେ ହିଁ ପରୀକୁ ମାରି କିଡ଼ନୀ ଓ ଆଖି ବିକ୍ରି କରିଥିବା ବାପା ମା ଅଭିଯୋଗ କରିଥିଲେ। ଜିଲ୍ଲା ପୋଲିସ ବାବୁଲିଙ୍କୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ମଧ୍ୟ ହେଉଥିଲା। ତେବେ ବାବୁଲି ଶାସକ ବିଜେଡି ଦଳର ସ୍ଥାନୀୟ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା। ଏଥିସହ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁଙ୍କ ପାଖ ଲୋକ। ବାବୁଲିଙ୍କ ପତ୍ନୀ ମଧ୍ୟ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା । ଫଳରେ ମନ୍ତ୍ରୀଙ୍କ ଚାପରେ ପୁଲିସ ବାବୁଲିଙ୍କୁ ଥାନାକୁ ଡାକୁନଥିବା ପରୀ ପରିବାର ଅଭି‌ଯୋଗ କରିଥିଲେ।