Odia News Portal

ଆଜିଠୁ ଆରମ୍ଭ ବର୍ଷା, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର() ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପ ରୂପ ନେଇଛି । ଏହା ପ୍ରଭାବରେ ରାଜ୍ୟରେ ଆଜିଠାରୁ ବର୍ଷା ଆରମ୍ଭ ହୋଇଯିବ । ୧୨ ଯାଏଁ ବର୍ଷା ହେବ । ବେଶି ବର୍ଷା ହେବ ଦକ୍ଷିଣ ଓଡ଼ିଶାରେ । ୟା’ ଭିତରେ ୧୧ କିମ୍ବା ୧୨ ତାରିଖରେ (ବୁଧବାର/ଗୁରୁବାର) ରାଜ୍ୟରେ ପ୍ରବେଶ କରିବ ଦକ୍ଷିଣ ପଶ୍ଚିମ ମୌସୁମୀ । ଏଭଳି ଆକଳନ ଦେଖାଇଛି ଭାରତୀୟ ପାଣିପାଗ ବିଭାଗ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌.ବିଶ୍ୱାସ କହିଛନ୍ତି, ଲଘୁଚାପ ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତା ୪୮ ଘଣ୍ଟା ଭିତରେ ସ୍ପଷ୍ଟ ଚିହ୍ନଟ ଲଘୁଚାପରେ ପରିଣତ ହେବ । ଆସନ୍ତାକାଲିଠାରୁ ୧୨ ଯାଏଁ ରାଜ୍ୟରେ ବର୍ଷା ହେବ । ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁଯିବ ।

ଆସନ୍ତାକାଲି ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଉତ୍ତର ଓଡ଼ିଶାର ଅନେକ ଜାଗାରେ ବି ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, ରାୟଗଡ଼ାର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା ଅଛି । ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, କଳାହାଣ୍ଡିର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏ ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।