Odia News Portal

ଶିକ୍ଷାନୁଷ୍ଠାନରେ ଡିଜିଟାଲାଇଜକୁ ଗୁରୁତ୍ୱ

ଭୁବନେଶ୍ୱର() ଶିକ୍ଷାନୁଷ୍ଠାନରେ ଅତ୍ୟାଧୁନିକ ଗବେଷଣା ଉପରେ ଗୁରୁତ୍ୱ । ଅତ୍ୟାଧୁନିକ ଗବେଷଣା ସୁବିଧା ସହିତ ସମସ୍ତ ଶିକ୍ଷାନୁଷ୍ଠାନର ୱେବସାଇଟ୍କୁ ଅପଡେଟ୍ କରାଯିବ । ଆଜି ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ଦ୍ୱିତୀୟ ବୈଠକରେ ଏହା ଉପରେ  ଆଲୋଚନା ହୋଇଛି ।

ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶାଶ୍ୱତ ମିଶ୍ର, ଉଚ୍ଚଶିକ୍ଷା ପରିଷଦର ଉପଦ୍ଦେଷ୍ଟା ପ୍ରଫେସର ଅଶୋକ ଦାସଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ ।

ବୈଠକରେ ସ୍ନାତକୋତ୍ତର ବିଭାଗରରେ ନାମଲେଖା, ପ୍ରଶ୍ନପତ୍ର ବ୍ୟାଙ୍କ ପ୍ରତିଷ୍ଠା ଓ ଏହାର ପରିଚାଳନା, ସିଲାବସ୍ ପ୍ରସ୍ତୁତି, ବିଶ୍ୱବିଦ୍ୟାଳୟ ଗୁଡିକୁ ଡିଜିଟାଲାଇଜ କରିବା, ମହାବିଦ୍ୟାଳୟ ଗୁଡିକୁ ନାକ୍ ମାନ୍ୟତା ପ୍ରଦାନ ପାଇଁ ଓଡିଶା ହାଇୟର ଏଡୁକେଶନ ପ୍ରୋଗ୍ରାମ ଫର ଏକ୍ସିଲେନ୍ସି ଆଣ୍ଡ ଇକ୍ୟୁଟି (ଓଏଚ୍ପିଇଇ) ସହିତ ମିଳିତ ତାଲିମ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି ।

ଏଥି ସହିତ ବିଶ୍ୱବିଦ୍ୟାଳୟର ୱେବସାଇଟ୍ ଗୁଡିକରେ ନିୟମିତ ଭାବେ ବିଭିନ୍ନ ବିଷୟକୁ ଅପ୍ଲୋଡ କରିବା, ବିଭିନ୍ନ ରିସର୍ଚ୍ଚ ପେପର ପ୍ରକାଶନ ପାଇଁ ସହାୟତା, ବିଶ୍ୱବିଦ୍ୟାଳୟ କାର୍ୟ୍ୟର ସମୀକ୍ଷା, ତ୍ୱରିତ ପାଣ୍ଠି ଲାଗି ମନିଟରିଂ ବ୍ୟବସ୍ଥା, ରିସର୍ଚ୍ଚ ଫେଲୋସିପ୍ ଆଦି ସଂକ୍ରାନ୍ତରେ ଉପସ୍ଥିତ କୁଳପତି ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କର ମତ ରଖିଛନ୍ତି ।

ସେହିଭଳି ଓଡିଶା ବିଶ୍ୱବିଦ୍ୟାଳୟ ଗବେଷଣା ଏବଂ ଅଭିନବ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି) ର ଆଧୁନିକୀକରଣ ସହିତ ଦ୍ୱିତୀୟବର୍ଷ ପାଇଁ ଏହାକୁ କାର୍ୟ୍ୟକାରୀ କରିବା । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଅତ୍ୟାଧୁନିକ ଗବେଷଣା ସହିତ ଅଭିନବ ଯୋଜନା ପ୍ରସ୍ତୁତ ହେବ । ଇଣ୍ଟରନେଟ୍ ସଂଯୋଗ ସହିତ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଥିବା ପାଠାଗାର ଗୁଡିକୁ ଅଧିକ ଉପଯୋଗୀ କରିବା ଉପରେ ବୈଠକରେ ଆଲୋଚନା ହୋଇଛି ।