Odia News Portal

ପରୀ ହତ୍ୟା ଘଟଣାର ଖୁଲାସା ପରେ ଏସଆଇଟି ମୁଖ୍ୟଙ୍କ ଉପରେ ବର୍ଷିଛି ବିଜେପି

ନୟାଗଡ ପରୀ ହତ୍ୟା ଘଟଣାର ଆଜି ଖୁଲାସା କରିଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ସାମ୍ବାଦିକ ସମ୍ମିଳନୀ କରି ପୁରା ଘଟଣାର ତଥ୍ୟ ପ୍ରଦାନ କରିଥିଲେ ଏସଆଇଟି ମୁଖ୍ୟ | ତେବେ ଏନେଇ ଅରୁଣ ବୋଥ୍ରାଙ୍କ ଉପରେ ବର୍ଷିଛି ବିଜେପି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ତାଙ୍କୁ କଡା ସମାଲୋଚନା କରିବା ସହ ତାଙ୍କ ପରୀ ହତ୍ୟାକାଣ୍ଡ ତଦନ୍ତ ନେଇ ସନ୍ଦେହ ପ୍ରକାଶ କରିଛନ୍ତି।

ବିଜେପି ମୁଖପାତ୍ରଙ୍କ କହିବା ଅନୁଯାୟୀ ଅରୁଣ ବୋଥ୍ରା ଦେଇଥିବା ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ପୁରା ମନଗଢ଼ା କାହାଣୀ। ଜଣେ ଅରୁଣ ଆଉ ଜଣେ ଅରୁଣଙ୍କୁ ଘଣ୍ଟ ଘୋଡାଇବାକୁ ଚେଷ୍ଟା କରୁଛନ୍ତି। ବିଧାନସଭା ଭିତରେ ଜଣେ ମନ୍ତ୍ରୀ ନୟାଗଡ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ କୌଣସି ସୂଚନା ନଥିବା କହିଥିଲେ। କିନ୍ତୁ ଏବେ ଅରୁଣ ବାବୁ ଦୁଷ୍କର୍ମ କଥା କହୁଛନ୍ତି। ତେବେ ସରକାରଙ୍କ କଥା ଠିକ୍ ନା ଅରୁଣ ବାବୁଙ୍କ କଥା ଠିକ ବୋଲି ସେ ପ୍ରଶ୍ନ କରିଛନ୍ତି।

ଗୋଲକ ଆହୁରି କହିଛନ୍ତି ଯେ, ଅରୁଣ ବୋଥ୍ରା କେଉଁ ଚାପରେ ଆସି ଏଭଳି ନୂଆ ମନଗଢା କାହାଣୀ କହୁଛନ୍ତି। ସରକାର ଓ ମନ୍ତ୍ରୀ ଅରୁଣ ସାହୁଙ୍କୁ ବଞ୍ଚାଇବା ପାଇଁ ଏସଆଇଟି ମୁଖ୍ୟ ଏଭଳି କହୁଛନ୍ତି । ତେଣୁ ଘଟଣାର ସିବିଆଇ ତଦନ୍ତ ସହ ଅରଣୁ ବୋଥ୍ରାଙ୍କୁ ମଧ୍ୟ ତଦନ୍ତ ପରିସର ଭୁକ୍ତକୁ ଅଣାଯାଉ। ଯଦି ବୁଦାମୂଳେ ମୃତଦେହକୁ ରଖାଯାଇଥିଲା ତେବେ ଡଗ ସ୍କ୍ୱାଡ କ’ଣ କରୁଥିଲା । ଅଙ୍ଗତସ୍କରୀ ରାକେଟକୁ ଲୁଚାଇବା ପାଇଁ ଏଭଳି ଯୋଜନା କରାଯାଇଥିବା ବିଜେପି ନେତା ଅଭିଯୋଗ କରିଛନ୍ତି।

ଏହା ବ୍ୟତୀତ ନିଖୋଜ ୫,୫୦୦ ଶିଶୁ କୁଆଡେ ଗଲେ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି ବିଜେପି ନେତା ଗୋଲକ ମହାପାତ୍ର । ଏହି ଘଟଣାରେ ଏକ ବଡ ଅଙ୍ଗ ତସ୍କରୀ ରାକେଟ ରାଜ୍ୟ ସରକାରଙ୍କ ସହ ମିଶିଛି। ତାଙ୍କୁ ଘଣ୍ଟ ଘୋଡାଇବା ପାଇଁ ଏବଂ ମନ୍ତ୍ରୀ ଅରୁଣ ସାହୁଙ୍କ ବଞ୍ଚାଇବା ପାଇଁ ଅରୁଣ ବୋଥ୍ରାଙ୍କ ଏହା ଏକ ନୂଆ ଡ୍ରାମା ହୋଇଥିବା ମନ୍ତ୍ରୀ କହିଛନ୍ତି। ଯେଉଁ ପିଲାକୁ ଏସଆଇଟି ଗିରଫ କରିଛି ତା’ର ଏଥିରେ କୌଣସି ସମ୍ପୃକ୍ତି ନାହିଁ ବୋଲି ପୀଡିତାଙ୍କ ପରିବାର ଲୋକେ କହୁଥିବା ବେଳେ ପରୀର ପରିବାର ମନ୍ତ୍ରୀ ଅରୁଣ ସାହୁଙ୍କ ନାଁରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ତାଙ୍କୁ କାହିଁକି ତଦନ୍ତ ପରିସରଭୁକ୍ତକୁ ଅଣାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ଗୋଲକ ମହାପାତ୍ର ।