Odia News Portal

ଅଗଷ୍ଟ ମାସରେ ଆସିବ ଶିଶୁଙ୍କ ପାଇଁ ଭ୍ୟାକ୍ସିନ

କରୋନାର ତୃତୀୟ ଲହରରେ ଶିଶୁମାନେ ସବୁଠାରୁ ଅଧିକ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ କରାଯାଇଛି। ଇତି ମଧ୍ୟରେ ଏକ ଭଲ ଖବର ମିଳିଛି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ ଅଗଷ୍ଟ ମାସରେ ଭାରତରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିପାରେ। ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ହୋଇଥିବା ବିଜେପି ସଂସଦୀୟ ଦଳ ବୈଠକରେ ସ୍ୱାସ୍ଥ୍ୟମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟୀକା ଦିଆଯାଉଛି।

ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୈଠକ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ ସରକାର ସମ୍ଭବତଃ ଆଗାମୀ ମାସରୁ ଶିଶୁଙ୍କ ଟୀକାକରଣ ଆରମ୍ଭ କରିପାରନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, କରୋନା ସଂକ୍ରମଣ ଚେନ ଭାଙ୍ଗିବାକୁ ଏବଂ ପୁଣି ସ୍କୁଲ ଖୋଲିବାକୁ ଶିଶୁଙ୍କୁ ଟୀକା ଦେବା ଏକ ବଡ ପଦକ୍ଷେପ ପ୍ରମାଣିତ ହୋଇପାରେ। ଏହା ପୂର୍ବରୁ ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁଙ୍କ ପାଇଁ କରୋନା ଟୀକା ଆସିବା ନେଇ ଅନୁମାନ କରାଯାଇଥିଲା। ଏମ୍ସ ମୁଖ୍ୟ ରଣଦୀପ ଗୁଲେରିୟା ମଧ୍ୟ କହିଥିଲେ ଯେ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ଟୀକାକରଣ ଆରମ୍ଭ ହୋଇପାରେ।

ଜିଡଶ କାଡିଲା ଶିଶୁଙ୍କ ଉପରେ ଟୀକା ପରୀକ୍ଷଣ କରିସାରିଛି। କମ୍ପାନୀ ଟୀକା ବ୍ୟବହାର ପାଇଁ ଅନୁମତି ପାଇଁ ଅପେକ୍ଷା କରିଛି। ଭାରତ ବାୟୋଟେକର କୋଭାକ୍ସିନ ଟ୍ରାଏଲ ମଧ୍ୟ ଅଗଷ୍ଟ କିମ୍ବା ସେପ୍ଟେମ୍ବର ସୁଦ୍ଧା ପୁରା ହୋଇପାରେ। ସେହିଭଳି ଫାଇଜର ଭ୍ୟାକସିନକୁ ଆମେରିକୀୟ ନିୟାମକ ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଆଶା କରାଯାଉଛି ଯେ ଭାରତରେ ମଧ୍ୟ ସେପ୍ଟେମ୍ବର ସୁଦ୍ଧା ଶିଶୁଙ୍କ ଟୀକାକରଣ ଅଭିଯାନ ଆରମ୍ଭ ହୋଇଯିବ।

ସୂଚନାଯୋଗ୍ୟ ଯେ ଦେଶରେ ଏଯାଏଁ ୪୪ କୋଟି କରୋନା ଟୀକା ଦିଆଆସରିଛି। ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ବୟସ୍କ ବ୍ୟକ୍ତିଙ୍କ ଟୀକାକରଣ ପୁରା କରିବା କେନ୍ଦ୍ର ସରକାରଙ୍କ ଯୋଜନା।