Odia News Portal

ଖୋର୍ଦ୍ଧା-ବଲାଙ୍ଗୀରକୁ ହଜାରେ କୋଟି

ଭୁବନେଶ୍ୱର: ରେଳ ବଜେଟରେ ଓଡିଶାକୁ ମିଳିଲା ୬୯୯୫ କୋଟି । ରାଜ୍ୟ ସରକାର ଚଳିତବର୍ଷ ରେଳ ବଜେଟ ପାଇଁ ୭୨୦୦ କୋଟି ଟଙ୍କା ମାଗିଥିବା ସମୟରେ ଓଡ଼ିଶାକୁ ମୋଟ ୬୯୯୫ କୋଟି ୫୮ଲକ୍ଷ ଟଙ୍କାର ବ୍ୟୟ ବରାଦ ହୋଇଛି ।ଗତବର୍ଷ ଅପେକ୍ଷା ଏହିବର୍ଷ ଓଡିଶାକୁ ୬୦ପ୍ରତିଶତ ଅଧିକା ଅନୁମୋଦନ ମିଳିଥିବା ସୂଚନା ମିଳିଛି | ଗତବର୍ଷ ଓଡ଼ିଶାକୁ ମୋଟ ୪୩୭୩ କୋଟି ଟଙ୍କା ଅନୁମୋଦନ ମିଳିଥିଲା | ସେହିଭଳି ଚଳିତ ବର୍ଷ ଆଧୁନିକୀକରଣ ଓ ସୁରକ୍ଷାକୁ ମଧ୍ୟ ରେଳ ବଜେଟରେ ଗୁରୁତ୍ୱାରୋପ ଦିଆଯାଇଛି | ଚଳିତ ବର୍ଷ ରେଳ ବଜେଟ ଅନୁଯାୟୀ ନୂଆ ଲାଇନ ପାଇଁ ୧୫୫୩ କୋଟି,ଡବଲିଂ ପାଇଁ ୧୭୦୨ କୋଟି, ଲେବଲ କ୍ରସିଂ ପାଇଁ ୧୮କୋଟି, ଟ୍ରକ ନବୀକରଣ ପାଇଁ ୪୦୨ କୋଟି |ସେହିଭଳି ସେତୁ ପାଇଁ ୩୮.୫ କୋଟି, ବିଦ୍ୟୁତକରଣ ପାଇଁ ୧୭୩ କୋଟି |ଯାତ୍ରୀ ସୁବିଧା ପାଇଁ ୩ଶହ କୋଟି ଏବଂ ସିଗ୍ନାଲ ପାଇଁ ୬୯ କୋଟିର ବ୍ୟବସ୍ଥା କରାଯାଇଛି |

ସେହିଭଳି ରେଳ ବଜେଟରେ ଖୋର୍ଦ୍ଧା -ବଲାଙ୍ଗୀର ଲାଇନ ପାଇଁ ସର୍ବାଧିକ ଅନୁଦାନ ମିଳିଛି | ଖୋର୍ଦ୍ଧା ରୋଡ-ବଲାଙ୍ଗୀର ପାଇଁ ୧ ହଜାର କୋଟି ୫୦ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ସମୟରେ ଅନୁଗୁଳ-ସୁକିନ୍ଦା ରୋଡ ପାଇଁ ୪ ଶହ କୋଟି, ନାରାୟଣଗଡ଼-ଭଦ୍ରକ ପାଇଁ ୨୨୫ କୋଟି , ହରିଦାସପୁର-ପାରାଦୀପ ପାଇଁ ୧ ଶହ କୋଟି,ଜୟପୁର-ମାଲକାନଗିରି ଲାଇନ ପାଇଁ ୨୮ କୋଟି ଟଙ୍କା,ଜୟପୁର-ନବରଙ୍ଗପୁର ପାଇଁ ୧୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।