Odia News Portal

ସୌମ୍ୟ ମୃତ୍ୟୁ ମାମଲାରେ ଆଉ ଏକ ଲିଙ୍କ

ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ସାମ୍ନାକୁ ଆସୁଛି ନୂଆ ଲିଙ୍କ! ଏଥିରେ ଯୋଡ଼ି ହୋଇ ଯାଇଛି ଜଙ୍ଗଲ ମନ୍ତ୍ରୀଙ୍କ ପୂର୍ବତନ ପିଏ ଦୀପ୍ତିରଞ୍ଜନ ବେହେରାଙ୍କ ନାଁ! ସେ ରାଜଧାନୀରେ ରହି କୁଆଡ଼େ ଲେଖିଥିଲେ ପୂରା ସ୍କ୍ରିପ୍ଟ। ତାଙ୍କ ନିର୍ଦ୍ଦେଶରେ ବିବାଦରେ ଛନ୍ଦି ହୋଇପଡ଼ିଥିବା ଗଜପତି ଡିଏଫ୍‌ଓଙ୍କୁ ସୁରକ୍ଷା ଦିଆଯାଉଥିବା ଚର୍ଚ୍ଚା ହେଉଛି। ତେବେ ଯେତେବେଳେ ବିବାଦ ନେଡ଼ିଗୁଡ଼ କହୁଣୀକୁ ବୋହିଗଲା, ସେତେବେଳେ ତାଙ୍କୁ ରାତି ଅଧିଆ ବଦଳି କରାଯାଇଥିବା ଆଲୋଚନା ହେଉଛି। ଏବେ ତାଙ୍କୁ କ୍ରାଇମ୍‌ବ୍ରାଞ୍ଚ ଡାକି ଜେରା କରିପାରେ ବୋଲି ଚର୍ଚ୍ଚା ହେଉଛି। ସେପଟେ ଦୀପ୍ତିରଞ୍ଜନ ବେହେରାଙ୍କ ବଦଳିକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର ଲୋକ ଓ ସ୍ଥାନୀୟ ବିଧାୟକ କେ. ନାରାୟଣ ରାଓ। ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଦେହରେ ନିଆଁ ଲାଗିଲା କେମିତି? ନିଆଁ ଲିଭାଇବାର ତାଲିମ ନେଇଥିବା ସୌମ୍ୟ କେମିତି ନିଆଁରୁ ବର୍ତ୍ତି ପାରିଲେ ନାହିଁ? ସୌମ୍ୟଙ୍କ ଦେହରେ ନିଆଁ ଲାଗିଥିବା ବେଳେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା କଣ କରୁଥିଲେ?

ସେ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ କି? ଯଦି ବିଦ୍ୟାଭାରତୀ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ, ତାହାହେଲେ ସୌମ୍ୟଙ୍କ ଶରୀର ୯୦% ପୋଡ଼ିଲା କେମିତି? ଏମିତି ଅସମାହିତ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଥିବା ପାରଳାଖେମୁଣ୍ଡି ପୁଲିସ ଘଟଣାର ତଦନ୍ତ କରି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଓ ରୋଷେୟାଙ୍କୁ କ୍ଲିନ୍‌ଚିଟ୍‌ ଦେଇଥିଲେ। ଯାହାକୁ ନେଇ ଆପତ୍ତି ଉଠାଇବା ସହିତ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ ସୌମ୍ୟଙ୍କ ପରିବାର ଲୋକ। ପାରଳାଖେମୁଣ୍ଡି ପୁଲିସ ତଦନ୍ତକୁ ସନ୍ଦେହ କରି ସୌମ୍ୟଙ୍କ ପରିବାର ଲୋକେ ଆତ୍ମାହୂତି ଦେବାକୁ ଚେତାବନୀ ଦେଇଥିଲେ। ଶେଷରେ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଡିଜିପି। ଗତ ୧୦ ଦିନ ହେଲା କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି। ସୌମ୍ୟଙ୍କ ବାପାଙ୍କ ଅଭିଯୋଗ ଆଧାରରେ କ୍ରାଇମବ୍ରାଞ୍ଚ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା, ବିଦ୍ୟାଭାରତୀଙ୍କ ସମ୍ପର୍କୀୟା ମମତା ପଣ୍ଡା, ରୋଷେୟାଙ୍କ ସମେତ ୧୨ ଜଣଙ୍କୁ ଘନ ଘନ ଜେରା କରିଛି। ହେଲେ ଆଜି ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ପାଖରେ ପହଞ୍ଚି ପାରିନି କ୍ରାଇମବ୍ରାଞ୍ଚ।