Odia News Portal

ସରକାରଙ୍କୁ ଜିତୁ ମୁଣ୍ଡାଙ୍କ ଚେତାବନୀ, ମୋ କଥା ନଶୁଣିଲେ ମୁଁ ପୁଣି ବୋହିବି କଙ୍କାଳ

ଚର୍ଚ୍ଚାରେ ପୁଣି ଜିତୁ ମୁଣ୍ଡା । ପୁଣି ଥରେ ପ୍ରଶାସନକୁ ଦେଇଛନ୍ତି ଚେତାବନୀ । ଯଦି ମୋ କଥା ଶୁଣିବେନି ପୁଣି ଥରେ କଙ୍କାଳ ବୋହିବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ସୋସିଆଲ ମିଡିଆରେ ଜିତୁ ମୁଣ୍ଡାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।ଖବର ଅନୁଯାୟୀ, କିଛି ଦିନ ତଳେ ବ୍ୟାଙ୍କରେ ଥିବା ଜମା ରାଶି ଆଣିବାକୁ ଯାଇଥିଲେ କେନ୍ଦୁଝରର ଜିତୁ ମୁଣ୍ଡା । ବ୍ୟାଙ୍କ ଅଧିକାରୀ ଭଉଣୀଙ୍କର ମୃତ୍ୟୁର ପ୍ରମାଣ ପତ୍ର ମାଗିଥିଲେ । କିନ୍ତୁ ଜିତୁ ମୁଣ୍ଡା ଏହି କଥାକୁ ଠିକ୍ ଭାବେ ବୁଝିପାରିନଥିଲେ । ଶେଷରେ ମଶାଣୀରେ ପୋତିଥିବା ଭଉଣୀର ମୃତଦେହକୁ ଖୋଳିଥିଲେ । ଏବଂ ମାଟିତଳୁ ଭଉଣୀର ଗଳିତ ମୃତଦେହକୁ ଆଣି ବ୍ୟାଙ୍କ ସମ୍ମୁଖରେ ରଖିଥିଲେ । ଆଉ କହିଥିଲେ କି ନିଅ ଏ ହେଉଛି ମୋ ଭଉଣୀ । ଆକୁ ଦେଖ .. ଆଉ ମୋ ଟଙ୍କା ଦିଅ । ଏହି ଘଟଣା ପରେ ପୁରା ଓଡ଼ିଶାରେ ଖେଳାଯାଇଥିଲା ଚାଞ୍ଚଲ୍ୟ । ନାନା କଥା ଓ ଖବର ଭାଇରାଲ ହେବାରେ ଲାଗିଥିଲା । ଶେଷରେ ରାଜ୍ୟ ସରକାର ଏବଂ ବ୍ୟାଙ୍କ କର୍ତ୍ତୃପକ୍ଷ ପଦକ୍ଷେପ ନେଇ ଜିତୁ ମୁଣ୍ଡାଙ୍କୁ ବ୍ୟାଙ୍କରେ ରଖିଥିବା ସମସ୍ତ ଜମା ରାଶି ପ୍ରଦାନ କରିଥିଲେ । ଏହାସହିତ ଅନେକ ସଂଗଠନ ପକ୍ଷରୁ ମଧ୍ୟ ବଢିଥିଲା ସହାୟତା ରାଶି । ଫିଜିକ୍ସଓ୍ୱାଲା ପକ୍ଷରୁ ଏକକାଳୀନ ୧୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା ।ସେହିପରି ସରକାରଙ୍କ ପକ୍ଷରୁ ଜିତୁ ମୁଣ୍ଡାଙ୍କ ଘରକୁ ଅନେକ ପ୍ରକାରର ସୁବିଧା ଓ ସହଯୋଗ ଯୋଗାଇ ଦିଆଯାଇଥିଲା । ଯେପରି ଘରକୁ ବିଦ୍ୟୁତର ବ୍ୟବସ୍ଥା । ହେଲେ ଘଟଣାରେ ଏବେ ଆସିଛି ଏକ ଟ୍ୱିଷ୍ଟ । ସୋସିଆଲ୍ ମିଡିଆରେ ଜିତୁ ମୁଣ୍ଡାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ଖୋଲାଖୋଲି ଭାବେ ସରକାରଙ୍କୁ ଚେତାବନୀ ଦେଉଥିବାର ଦେଖିବାକୁ ମିଳିଛି । ଉକ୍ତ ଭିଡିଓରେ ଜିତୁ ମୁଣ୍ଡା କହୁଛନ୍ତି ଯେ, ଘରକୁ ପାଇପ ଯୋଗେ ତୁରନ୍ତ ପାନୀୟ ଜଳର ବ୍ୟବସ୍ଥା କରାଯାଉଛି । ଯଦି ଏହି ବ୍ୟବସ୍ଥା ଆଗାମୀ ଦିନରେ ନକରାଯାଏ, ତେବେ ମୁଁ ପୁଣି ଥରେ ମାଟି ଖୋଳି କଙ୍କାଳ ବାହାର କରିବି । ଏବଂ କଙ୍କାଳକୁ ଧରି ବୁଲିବ । ତେବେ ଏହି ଭିଡ଼ିଓରେ କେତେ ସତ୍ୟତା ଅଛି । ତାହା ଏବେ ଯାଏଁ ଅସ୍ପଷ୍ଟ ରହିଛି ।