ମଞ୍ଚେଶ୍ୱରସ୍ଥିତ ‘ସ୍ୱାଧିକାର ଭବନ’ କାର୍ଯ୍ୟାଳୟ ପରିସରରେ ସାମ୍ବାଦିକମାନଙ୍କର ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ୱାଧିକାରର ମୁଖ୍ୟ ସମ୍ପାଦକ ଅକ୍ଷୟ କୁମାର ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ଦୀର୍ଘବର୍ଷର ଅଭିଜ୍ଞତା ବାଣ୍ଟିବା ସହ ସାମ୍ବାଦିକ ମାନଙ୍କୁ ନିର୍ଭିକତାର ସହ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ‘ସ୍ୱାଧିକାର’ ପ୍ରକାଶକ ଶ୍ରୀମତୀ ସନ୍ଧ୍ୟାରାଣୀ ପତି, ବରିଷ୍ଠ ସାମ୍ବାଦିକ ଲଲିତେନ୍ଦୁ ପଟ୍ଟନାୟକ, ୟୁବ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଭଦ୍ରତନୁ ଦାସ ପ୍ରମୁଖଙ୍କ ଉପସ୍ଥିତି ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ଆହୁରି ବର୍ଣ୍ଣାଢ଼୍ୟ କରିଥିଲା। ମୁଖ୍ୟ ସମ୍ପାଦକ ଶ୍ରୀ ପତି ନିଜର ଅଭିଭାଷଣରେ ସାମ୍ବାଦିକତାର ଦୀର୍ଘ ୫୦ ବର୍ଷରୁ ଊର୍ଦ୍ଧ୍ୱ ଅଭିଜ୍ଞତା ଉପସ୍ଥିତ ସାମ୍ବାଦିକମାନଙ୍କୁ ବାଣ୍ଟିଥିଲେ। ସେ ନିଜର ଯୁବାବସ୍ଥାରେ କିପରି ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କେନ୍ଦ୍ରାପଡ଼ାରୁ ଭୁବନେଶ୍ୱର ଆସି ବିଭିନ୍ନ ପ୍ରତିଷ୍ଠିତ ଖବରକାଗଜରେ ସାମ୍ବାଦିକତା କ୍ଷେତ୍ରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ ସେ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ସେ କହିଥିଲେ ସ୍ୱାଧିକାର ସାପ୍ତାହିକ ଖବରକାଗଜରୁ ଯାତ୍ରା ଆରମ୍ଭ କରି ବିଭିନ୍ନ ଝଡ଼ଝଞ୍ଜାର ସମ୍ମୁଖୀନ ସତ୍ତ୍ୱେ ପରବର୍ତ୍ତୀ ସମୟରେ ଦୈନିକ ଓ ଏବେ ଡିଜିଟାଲ୍ ପ୍ଲାଟଫର୍ମରେ ପଦାର୍ପଣ କରିଛି। ଏକ ସରକାରୀ କ୍ୱାର୍ଟରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଏକ ନିଜସ୍ୱ କାର୍ଯ୍ୟାଳୟରେ ପରିଣତ ହୋଇଛି। ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷ କରିବାକୁ ପଡ଼ିଛି ବୋଲି କହିଥିଲେ। ସ୍ୱାଧିକାର ପରିବାର ସହ ଜଡ଼ିତ ରହି ନିରନ୍ତର ଖବର ପରିବେଷଣ ସହ ସମର୍ଥନ ପାଇଁ କର୍ମଚାରୀ ଏବଂ ସମସ୍ତ ଖବରଦାତାମାନଙ୍କୁ ପ୍ରଶଂସା କରିଥିଲେ। ସମ୍ବାଦ ପରିବେଷଣ ବେଳେ ନିର୍ଭିକତା, ସତ୍ୟତା ସହ ସଠିକ୍ ଢଙ୍ଗରେ ଖବର ପରିବେଷଣକୁ ସେ ସର୍ବଦା ଭଲ ପାଆନ୍ତି ବୋଲି କହିଥିଲେ। ସାଧାରଣ ଲୋକଙ୍କ ସମସ୍ୟା, ଆଞ୍ଚଳିକ ସମସ୍ୟା ଓ ବିଭିନ୍ନ ଦୁର୍ନୀତିକୁ ନେଇ ନ୍ୟୁଜ୍ କଲାବେଳେ ସାମ୍ବାଦିକ ନିଜର କର୍ତ୍ତବ୍ୟକୁ ଭୁଲିଯିବା ଉଚିତ୍ ନୁହେଁ ବୋଲି କହିଥିଲେ। କାରଣ ଗଣମାଧ୍ୟମ ହେଉଛି ଆମ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ।
ସେହିପରି ପ୍ରତିନିଧିମାନେ ନିଜକୁ ନିଜେ ବିଶ୍ଳେଷଣ କରି ଆଗକୁ ବଢ଼ିବାକୁ ସେ ପରାମର୍ଶ ଦେଇଥିଲେ। ପ୍ରକାଶକ ଶ୍ରୀମତୀ ସନ୍ଧ୍ୟାରାଣୀ ପତି ସ୍ୱାଧିକାର ଉପସ୍ଥାପନାରେ ସମସ୍ତଙ୍କ ଯୋଗଦାନକୁ ଉଚ୍ଚ ପ୍ରଶଂସା କରିବା ସହ ଏହି ସଂସ୍ଥା କିପରି ଆହୁରି ଆଗକୁ ଯିବ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବରିଷ୍ଠ ସାମ୍ବାଦିକ ଲଲିତେନ୍ଦୁ ପଟ୍ଟନାୟକ କହିଥିଲେ ସମ୍ବାଦପତ୍ରର ଦୁଇଟି ପ୍ରମୁଖ ସ୍ତମ୍ଭ ହେଉଛି ଶକ୍ତିଶାଳୀ ଖବର ପରିବେଷଣ ଓ ଆର୍ଥିକ ସ୍ଵାବଲମ୍ବନ । ଖବରକାଗଜକୁ ବଞ୍ଚାଇ ରଖିବାକୁ ସାମ୍ବାଦିକମାନଙ୍କୁ ଏହି ଦୁଇଟି ଦିଗ ପ୍ରତି ଯତ୍ନବାନ ହେବାକୁ ପଡ଼ିବ । ତେଣୁ ସାମ୍ବାଦିକମାନେ ସର୍ବଦା ଜାଗ୍ରତ ପ୍ରହରୀ ହୋଇ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ। ଏଥି ସହିତ ସ୍ବାଧିକାର ସାଧାରଣ ଲୋକଙ୍କ ସ୍ବର ହୋଇ କାର୍ଯ୍ୟକରୁ ବୋଲି କହିଥିଲେ। ଯୁବ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଦାସ କହିଥିଲେ ଯେ, ସ୍ବାଧିକାର ସହ ଜଡିତ ହୋଇଥିବାରୁ ସେ ନିଜକୁ ଗୌରବ ଅନୁଭବ କରୁଛନ୍ତି। ସ୍ବାଧିକାରର ଯାତ୍ରା ଆହୁରି ସୁଗମ ହେବା ସହ ଆଗକୁ ବଢ଼ୁ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ୱେବ୍ ଚ୍ୟାନେଲ ପ୍ରତିନିଧ୍ବ ଦୀପକ ମହାନ୍ତି, ମହାକାଳପଡା ପ୍ରତିନିଧି ବିରଞ୍ଚ୍ ନାରାୟଣ ଦାସ, ପାରାଦ୍ବୀପ ପ୍ରତିନିଧି ରତ୍ନାକର ଜେନା, ବାଲେଶ୍ବର ପ୍ରତିନିଧ୍ବ ରବି ରଂଜନ ଦାସ, ନୟାଗଡ ପ୍ରତିନିଧି ଅନୱାର ଅଲ୍ଲି, ନୂଆପଡା ପ୍ରତିନିଧ୍ବ ରଞ୍ଜିତ କୁମାର ପଣ୍ଡା, ବୋରିଗୁମ୍ମା ପ୍ରତିନିଧି ଗୋପାଳ ଡଙ୍ଗରୀ, ତୁଷୁରା ପ୍ରତିନିଧି ସୋମ୍ୟ ପୁରୋହିତ ପ୍ରମୁଖ ସମ୍ବାଦ ପରିବେଷଣ, ସାମ୍ବାଦିକଙ୍କ ସମସ୍ୟା ନେଇ ନିଜ ଅଭିଜ୍ଞତା ପ୍ରଦାନ କରିଥିଲେ। ଗୋପାଳ ବିଶ୍ବାଳ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ସମସ୍ତ ସାମ୍ବାଦିକ ଓ କର୍ମଚାରୀମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
