Odia News Portal

ଅଭିନେତ୍ରୀ ମୌସୁମୀ ଗିରଫ

ଓଡ଼ିଆ ଅଭିନେତ୍ରୀ ମୌସୁମୀ ନାୟକଙ୍କୁ କମିଶନରେଟ ପୁଲିସ ଆଜି ଗିରଫ କରିଛି । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୂଚନା ଅନୁସାରେ, ଅଭିନେତ୍ରୀ ମୌସୁମୀ ଆଜି ହାଇଦ୍ରାବାଦରୁ ସୁଟିଂରୁ ଫେରିବା ପରେ ଚନ୍ଦକାସ୍ଥିତ ତାଙ୍କ ଆପାର୍ଟମେଂଟରୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ତାଙ୍କ ବିରୁଦ୍ଧରେ ଆଇପିସିର ଧାରା -୩୮୫, ୨୯୪, ୫୦୬ ଓ ଅନ୍ୟାନ୍ୟ ଧାରାରେ ମାମଲା ରୁଜୁ ହୋଇଛି । ବନସ୍ମିତାଙ୍କ ସାମାଜିକ ପ୍ରତିଷ୍ଠାକୁ ସୋସିଆଲ ମିଡିଆ ମାଧ୍ୟମରେ ଖରାପ କରିବାକୁ ପ୍ରୟାସ କରିବା ଓ ଜବରଦସ୍ତି ଟଙ୍କା ଆଦାୟ କରିବା ଆଦି ଅଭିଯୋଗ ମୌସୁମୀଙ୍କ ବିରୁଦ୍ଧରେ ରହିଛି । ଗତ ସେପ୍ଟେମ୍ବର ମାସରେ ଶେୟାର ବଜାରରେ ଟଙ୍କା ଲଗାଇବା ନେଇ ବନସ୍ମିତା ଚାପ ପକାଉଥିବା ନେଇ ମୌସୁମୀ ଅଭିଯୋଗ ଆଣିଥିଲେ ।

ଏହାସହିତ ମୌସୁମୀ ଚନ୍ଦକା ଥାନାରେ ମଧ୍ୟ ଏନେଇ ଏକ ମାମଲା ରୁଜୁ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ବନସ୍ମିତା ସେହି ଟଙ୍କା ଫେରସ୍ତ କରିବାର ଆଶ୍ୱାସନା ଦେବା ପରେ ପରସ୍ପରର ସହମତିରେ ଥାନାରୁ ମାମଲା ପ୍ରତ୍ୟାହାର ହୋଇଥିଲା । କିନ୍ତୁ ପରେ ମୌସୁମୀ ପୁଣିଥରେ ବନସ୍ମିତାଙ୍କ ବିରୁଦ୍ଧରେ ଧମକ ଦେବାର ଅଭିଯୋଗ ଥାନାରେ କରିଥିଲେ । ତେବେ ବନସ୍ମିତା ଏସବୁ ଅଭିଯୋଗକୁ ଭିତ୍ତିହୀନ ବୋଲି ଦର୍ଶାଇ ଓଡ଼ିଶା ହାଇକୋର୍ଟରେ ମାନହାନି ମକଦ୍ଦମା ଦାଏର କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶରେ କମିଶନରେଟ ପୁଲିସ ମାମଲାର ତଦନ୍ତ କରି ଆଜି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବନସ୍ମିତା ୫.୮୦ଲକ୍ଷ ଟଙ୍କା ଫେରସ୍ତ କରିବେ ବୋଲି ଉଭୟ ପକ୍ଷ ମଧ୍ୟରେ ସେତେବେଳେ ବୁଝାମଣା ହୋଇଥିଲା । ଏସବୁ ସତ୍ତ୍ୱେ ସୋସିଆଲ ମିଡିଆରେ ବନସ୍ମିତାଙ୍କ ଓ ମୌସୁମୀଙ୍କ କଥାବାର୍ତ୍ତାର ଅଡିଓ ଭାଇରାଲ କରିଥିଲେ । ଉଲ୍ଲେଖଯୋଗ୍ୟ, ବିଭିନ୍ନ ଷ୍ଟେଜ ଶୋ’ ସମେତ ଫିଲ୍ମ ଗଡ଼ବଡ଼ ଆଦିରେ ମୌସୁମୀ ଅଭିନୟ କରିଥିବା ଜଣାପଡ଼ିଛି ।