Odia News Portal

‘ଆଦିପୁରୁଷ’ର ସଂଳାପକାର ମନୋଜ ମୁନ୍ତାଶିରଙ୍କ ବଢ଼ିଲା ଅଡ଼ୁଆ

‘ଆଦିପୁରୁଷ’ ବିବାଦ ମାମଲାରେ ଦାୟର ଦୁଇଟି ଜନସ୍ୱାର୍ଥ ମାମଲା ଉପରେ ମଙ୍ଗଳବାର ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଛି।

ଫିଲ୍ମର ସଂଳାପ ଲେଖକ ମନୋଜ ମୁନ୍ତାଶିରଙ୍କୁ ପକ୍ଷଭୁକ୍ତ କରିବା ପାଇଁ ଆବେଦନକୁ ଗ୍ରହଣ କରି କୋର୍ଟ ତାଙ୍କୁ ନୋଟିସ ଜାରି କରିଛନ୍ତି । ସପ୍ତାହକ ମଧ୍ୟରେ ଜବାବ ଦାଖଲ କରିବାକୁ ମନୋଜ ମୁନ୍ତାଶିରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କୁଲଦୀପ ତିୱାରୀ ଏବଂ ନବୀନ ଧାୱନ ନାମକ ଦୁଇ ବ୍ୟକ୍ତିଙ୍କ ଆବେଦନ ଉପରେ ଜଷ୍ଟିସ ରାଜେଶ ସିଂହ ଚୌହାନ ଏବଂ ଜଷ୍ଟିସ ଶ୍ରୀ ପ୍ରକାଶ ସିଂହଙ୍କ ଅବକାଶ କାଳୀନ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କୋର୍ଟ ବୁଧବାର ଏହି ମାମଲାର ଶୁଣାଣି ପାଇଁ ତାଲିକାଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ମାମଲାରେ କେନ୍ଦ୍ର ସରକାର ଏବଂ ସେନ୍ସର ବୋର୍ଡର ଜବାବ ମିଳିବା ପରେ କୋର୍ଟଙ୍କୁ ଜଣାଇବାକୁ ଖଣ୍ଡପୀଠ ଡେପୁଟି ସଲିସିଟର ଜେନେରାଲ ଏସ.ବି ପାଣ୍ଡେଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତକାଲି ଏହି ମାମଲାର ଶୁଣାଣି ବେଳେ ଆଦିପୁରୁଷର ନିର୍ମାତା ଓ ସେନ୍ସର ବୋର୍ଡକୁ କୋର୍ଟ ଭର୍ତ୍ସନା କରିଥିଲେ ।

ଜବରଦସ୍ତ ଓପନିଂ ପରେ ‘ଆଦିପୁରୁଷ’ର କଲେକ୍ସନ ଲଗାତାର ହ୍ରାସ ପାଉଛି।

ବିବାଦୀୟ ସଂଳାପ ଓ ଚରିତ୍ର ମାନଙ୍କ ଆପତ୍ତିଜନକ ଚିତ୍ରଣ ଯୋଗୁଁ ଏହି ଫିଲ୍ମ ସମାଲୋଚକ ଓ ଦର୍ଶକଙ୍କ ଟାର୍ଗେଟରେ ଅଛି | ଫିଲ୍ମ ଦେଖି ଫେରୁଥିବା ଦର୍ଶକମାନେ ଏହାର ସଂଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବିବାଦ ପରେ ଦର୍ଶକଙ୍କ ଭାବନାକୁ ଦୃଷ୍ଟିରେ ରଖି ଫିଲ୍ମର ନିର୍ମାତ କିଛି ସଂଳାପରେ ପରିବର୍ତ୍ତନ କରିଥିଲେ ମଧ୍ୟ ଫିଲ୍ମର ବ୍ୟବସାୟ ଉପରେ ‌‌ସେଭଳିଫରକ ପଡ଼ିନାହିଁ । ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓମ୍ ରାଉତ ଓ ସଂଳାପ ଲେଖକ ହେଉଛନ୍ତି ମନୋଜ ମୁନ୍ତାଶିର।