Odia News Portal

ଫିଲ୍ମ ‘ଦ କେରଳ ଷ୍ଟୋରୀ’କୁ ନେଇ ବଢୁଛି ବିବାଦ

ପଶ୍ଚିମବଙ୍ଗରେ ବ୍ୟାନ୍ ହେଲା ଫିଲ୍ମ ‘ଦ କେରଳ ଷ୍ଟୋରୀ’ । ମମତା ସରକାର ପଶ୍ଚିମବଙ୍ଗରେ ଏହି ଫିଲ୍ମକୁ ବ୍ୟାନ୍ କରିବାକୁ ନିର୍ଦ୍ଦେଶ ଦେଇଛି । ତେବେ ଏହି ଫିଲ୍ମ ଚାଲିବା ଦ୍ୱାରା ରାଜ୍ୟରେ ଶାନ୍ତି ଭଙ୍ଗ ହେବାର ଆଶଙ୍କା ଥିବାରୁ, ଏପରି ନିର୍ଦ୍ଦେଶ ଦିଆଯାଇଥିବା କୁହାଯାଉଛି ।

ଏହାସହିତ ବିଜେପିି ଉପରେ ବଡ ଅଭିଯୋଗ ଆଣିଛନ୍ତି ମମତା ବାନାର୍ଜୀ । ବିଜେପି ସରକାର ମନଗଢା ଓ ଭୁଲ କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସକୁ ନିର୍ମାଣ କରିବାକୁ ଫିଲ୍ମ ନିର୍ମାତାଙ୍କୁ ପଇସା ଦେଉଛି । ‘ଦ କେରଳ ଷ୍ଟୋରୀ’ ଫିଲ୍ମର କାହାଣୀ ମଧ୍ୟ ମନଗଢା ବୋଲି ମମତା କହିଛନ୍ତି । ତେବେ କିଛି ଦିନ ପୂର୍ବରୁ ତାଙ୍କର ଅଭିନେତାମାନେ ବେଙ୍ଗଲ ଆସିବା ସହିତ ମନଗଢା କାହାଣୀକୁ ନେଇ ବେଙ୍ଗଲ ଫାଇଲ୍ସ ପ୍ରସ୍ତୁତ କରିବାକୁ ଯୋଜନା କରୁଥିବା ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବେଙ୍ଗଲରେ ‘ଦ କେରଳ ଷ୍ଟୋରୀ’ ଫିଲ୍ମ ବ୍ୟାନ୍ ହେବା ପରେ ଫିଲ୍ମର ପ୍ରଡ୍ୟୁସର ବିପୁଲ ଶାହା କହିଛନ୍ତି ଯେ, ଯଦି ରାଜ୍ୟ ସରକାର ତାଙ୍କ କଥା ଶୁଣିବେନି ତେବେ ସେ ଆଇନ୍ ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ । ଜାଣିରଖିବା ଉଚିତ୍ ଯେ, ପଶ୍ଚିମବଙ୍ଗ ପୂର୍ବରୁ ତାମିଲନାଡୁରେ ମଧ୍ୟ ଏହି ଫିଲ୍ମକୁ ବୟକଟ୍ କରାଯାଇଥିଲା । ଏହି ଫିଲ୍ମକୁ ହଲରେ ଦେଖାଇବାକୁ ହଲ୍ ମାଲିକଙ୍କ ସଙ୍ଗଠନ ମନା କରିଦେଇଥିଲା ।