Odia News Portal

ଭେଣ୍ଟିଲେଟରରେ ହାସ୍ୟ ଅଭିନେତା

ଲୋକପ୍ରିୟ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ହୃଦଘାତର ଶିକାର ହେବା ପରେ ରାଜୁ ଶ୍ରୀବାସ୍ତବଙ୍କୁ ବୁଧବାର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଭର୍ତ୍ତି କରାଯାଇଥିଲା। ୫୮ ବର୍ଷୀୟ ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଆଇସିୟୁରେ ଭେଣ୍ଟିଲେଟରରେ ରଖାଯାଇଛି ବୋଲି ହସ୍ପିଟାଲ ସୂତ୍ରରୁ ପ୍ରକାଶ।

ରାଜୁ ଶ୍ରୀବାସ୍ତବଙ୍କ ଭାଇ ଅଶୋକ ଶ୍ରୀବାସ୍ତବଙ୍କ ସୂଚନା ଅନୁଯାୟୀ ବୁଧବାର ବ୍ୟାୟାମ କରିବା ସମୟରେ ରାଜୁ ଶ୍ରୀବାସ୍ତବଙ୍କୁ ହୃଦଘାତ ହୋଇଥିଲା। ସେ କହିଛନ୍ତି, “ସେ ନିୟମିତ ବ୍ୟାୟାମ କରୁଥିଲେ ଏବଂ ଟ୍ରେଡମିଲରେ ଦୌଡ଼ୁଥିବା ସମୟରେ ହଠାତ୍ ତଳେ ପଡ଼ିଯାଇଥିଲେ। ତାଙ୍କୁ ତୁରନ୍ତ ଏମ୍ସକୁ ନିଆଯାଇଥିଲା। ରାଜୁ ଶ୍ରୀବାସ୍ତବଙ୍କ ପତ୍ନୀ ଶିଖା ଶ୍ରୀବାସ୍ତବ ମଧ୍ୟ ଦିଲ୍ଲୀରେ ପହଞ୍ଚଛନ୍ତି ବୋଲି ତାଙ୍କ ଭାଇ କହିଛନ୍ତି ।

ରାଜୁ ଶ୍ରୀବାସ୍ତବ ୧୯୮୦ ଦଶକରୁ ମନୋରଞ୍ଜନ ଶିଳ୍ପରେ ସକ୍ରିୟ ରହିଆସିଛନ୍ତି । ତେବେ ‘ଦି ଗ୍ରେଟ୍ ଇଣ୍ଡିଆନ୍ ଲଫ୍ଟର ଚ୍ୟାଲେଞ୍ଜ’ର ପ୍ରଥମ ସିଜନରେ ଅଂଶଗ୍ରହଣ କରିବା ପରେ ସେ ଲୋକପ୍ରିୟ ହୋଇଥିଲେ। ସେ ‘ମୈନେ ପ୍ୟାର୍ କିୟା’, ‘ବମ୍ବେ ଟୁ ଗୋଆ’ ଏବଂ ‘ଅମଦାନୀ ଅଠନ୍ନୀ ଖର୍ଚ୍ଚ ରୂପୈୟା’ ଭଳି ଫିଲ୍ମରେ ଅଭିନୟ କରିଥିଲେ। ଶ୍ରୀବାସ୍ତବ ‘ବିଗ୍ ବସ୍’ ସିଜନ୍-୩ରେ ମଧ୍ୟ ଭାଗ ନେଇଥିଲେ। ବର୍ତ୍ତମାନ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ସଭାପତି ଅଛନ୍ତି।