ରାଜ୍ୟର ଦ୍ୱିତୀୟ ସର୍ବ ପୁରାତନ ଶୈବ ପୀଠ ପରମହଂସ ନାଥରେ ବଡ଼ ଅଘଟଣ ଘଟିଛି। ବିଜୁଳିରେ ଭାଙ୍ଗି ଗଲା ମନ୍ଦିର ଦଧିନଉତିର ଏକ ପଥର। ସ୍ଥିତି ଏମିତିକି ଏହି ବିଜୁଳିରେ ମନ୍ଦିରର ଉପର ଭାଗର ଏକ ପଥର ଭାଙ୍ଗି ତଳକୁ ଖସି ପଡିଛି। ଗତ ରବିବାର ରାତିରେ ଘଡଘଡି ପଡି ଏହି 92 ଫୁଟ ଉଚ୍ଚ ମନ୍ଦିରର ଦଧିନଉତିର ବିରାଟ ପଥର ଭାଙ୍ଗି ତଳକୁ ଖସି ପଡିଛି। ଏଥି ସହ ତଳେ ଲକ୍ଷ୍ମୀ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି। 15 ବର୍ଷ ହେବ ଆର୍ଥିଙ୍ଗ ନଷ୍ଟ ହୋଇ ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ହୋଇଛି । ଏନେଇ ପୂର୍ବରୁ ବାରମ୍ବାର ପତ୍ନତତ୍ତ୍ବ ବିଭାଗକୁ ଅବଗତ କରାଯାଇଥିବା ସତ୍ତ୍ବେ ଏଥି ପ୍ରତି କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ବାସିନ୍ଦା ମାନେ ଅଭିଯୋଗ ଆଣିଛନ୍ତି। ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି ମନ୍ଦିର ସେବାୟତ ଓ ଟ୍ରଷ୍ଟି।କଟକ ସଦରରେ ରହିଛି ଚତୁର୍ଦଶ ଶତାବ୍ଦୀର ପୁରାତନ ପରମହଂସ ଶୈବପୀଠ ।

କୁହାଯାଏ ରାଜା ପ୍ରତାପରୁଦ୍ର ଦେବ ଏହାକୁ ପ୍ରତିଷ୍ଠା କରିଥିଲେ। ଆଉ ବର୍ଷ ତମାମ ଏହି ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ଭକ୍ତ ଆସିଥାନ୍ତି। ତେବେ ଚିନ୍ତାର ବିଷୟ ହେଉଛି କି ଏହି ମନ୍ଦିର ଏବେ ବିପଦରେ ରହିଛି। ସର୍ବ ପୁରାତନ ମନ୍ଦିରର ସଠିକ ଭାବରେ ରକ୍ଷଣାବେକ୍ଷଣ କରାଯାଉନାହିଁ। ନା ଏହି ମନ୍ଦିରର ପାଚେରୀ କାମ କରାଯାଉଛି ନା ମନ୍ଦିର ସଠିକ ସମୟରେ ମରାମତି କରାଯାଉଛି । ମନ୍ଦିର ଅବସ୍ଥାକୁ ନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ବାରମ୍ବାର ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା, ସେବାୟତ ଏବଂ ମନ୍ଦିର ଟ୍ରଷ୍ଟ। ମାତ୍ର କୌଣସି ଅଧିକାରୀ ଏଥିପ୍ରତି କର୍ଣ୍ଣାପାତ କରୁ ନଥିବା ଅଭିଯୋଗ ହୋଇଛି।ଜାଗର ସମୟରେ ଲକ୍ଷ ଲକ୍ଷ ଭକ୍ତଙ୍କର ଭିଡ଼ ଏହି ଶୈବ ପୀଠରେ ଜମିଥାଏ । ବଡ଼ କଥା ହେଉଛି ଏହି ମନ୍ଦିରରେ ଆର୍ଥିଂ ବ୍ୟବସ୍ଥା ସଠିକ ଭାବରେ କରାଯାଇ ନାହିଁ। ଏନେଇ ସେବାୟତ ଏବଂ ମନ୍ଦିର ର ଟ୍ରଷ୍ଟ ପକ୍ଷରୁ ପତ୍ନତତ୍ତ୍ବ ବିଭାଗ କୁ 20 ବର୍ଷ ପୂର୍ବରୁ ଅବଗତ କରାଯାଇଥିଲା। ବର୍ଷ ପରେ ବର୍ଷ ବିତି ଥିଲେ ବି କୌଣସି ଅଧିକାରୀ ଏହା ଉପରେ ପଦକ୍ଷେପ ଗ୍ରହଣ କରି ନାହାଁନ୍ତି। ତେଵେ ଘଡଘଡି ପଡି ମନ୍ଦିରର ଚୂଡ଼ା ନଷ୍ଟ ହେବା ଏବଂ ଫାଟି ପଥର ଖସିବା ପରଠାରୁ ପରିସ୍ଥିତି ଆହୁରି ସଙ୍ଗୀନ ହୋଇଯାଇଛି। ସୌଭାଗ୍ୟ ବଶତଃ ସେଠାରେ କୌଣସି ବ୍ୟକ୍ତି ନଥିଲେ। ନଚେତ ପରିସ୍ଥିତି କଣ ଯେ ହୋଇ ଥାନ୍ତା ତାହା ନକହିବା ଭଲ।

କେବଳ ସେତିକି ନୁହେଁ ମନ୍ଦିର ରୁ ପଥର ଖସିବା ପରେ ମନ୍ଦିର ପାଖକୁ ଯିବାକୁ ସେବାୟତ ଏବଂ ଭକ୍ତ ମାନଙ୍କ ପାଇଁ ବିପଦ ରହିଛି।ଆଗକୁ ଶୀତଳ ଷଷ୍ଠୀ। ହଜାର ହଜାର ଭକ୍ତ ମାନଙ୍କ ସମାବେଶ ହେବ। ପରିସ୍ଥିତି କଣ ହେବ ତାହାକୁ ନେଇ ଭୟଭୀତ ହୋଇ ପଡିଛନ୍ତି ସେବାୟତ ଏବଂ ମନ୍ଦିର ଟ୍ରଷ୍ଟି। ସେବାୟତ ଅରୁଣ ଦାଶ କହିଛନ୍ତି ଯେ ‘‘ପଥର ଖସିବା ପର ଠାରୁ ପୂଜା କରିବା ପାଇଁ ଭୟ ଲାଗୁଛି। ତୁରନ୍ତ ଏହାର ମରାମତି କରି ଏହି ସମସ୍ୟାର ସମାଧାନ କରିବାକୁ ପତ୍ନତତ୍ତ୍ବ ବିଭାଗକୁ ଅନୁରୋଧ କରିଛୁ। ଏନେଇ ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ପ୍ରତ୍ନତତ୍ତ୍ବ ବିଭାଗ, ସ୍ଥାନୀୟ ବିଧାୟକ, ଏମପିଙ୍କୁ ମଧ୍ୟ ଚିଠି ଲେଖା ଯାଇଛି’’।ଏନେଇ ପତ୍ନତତ୍ତ୍ବ ବିଭାଗର ଆସିଷ୍ଟାନ୍ସ ଇଞ୍ଜିନିଅର ପ୍ରସନ୍ନ ସାହୁଙ୍କ ସହ ଫୋନ ଯୋଗେ ଇଟିଭି ଭାରତର ସମ୍ବାଦଦାତା ଯୋଗାଯୋଗ କରିଥିଲେ। ସେ କହିଛନ୍ତି ‘‘ଘଡ଼ଘଡ଼ି ପଡି ପଥର ଖସିବା କଥା ଜାଣିଛୁ। ଏନେଇ ଅଧିକ୍ଷକଙ୍କୁ ଅବଗତ କରିବୁ। ମାତ୍ର ସେଠାରେ PWD ଯେଉଁ ପ୍ରକଳ୍ପ କରୁଥିଲା ତାହାର ରକ୍ଷଣା ବେକ୍ଷଣ କରିବାକୁ କୁହା ଯାଇଥିଲା। ଏପରିକି ଆର୍ଥିଙ୍ଗ ବ୍ୟବସ୍ଥା କରିବାକୁ ମଧ୍ୟ କୁହା ଯାଇଥିଲା। ତେଵେ ଏହି ସମସ୍ତ କଥା ପତ୍ନତତ୍ତ୍ବ ବିଭାଗର ଅଧିକ୍ଷକଙ୍କ ସହ ଆଲୋଚନା କରିବା ପରେ ପଦକ୍ଷେପ ଗ୍ରହଣ କରାଯିବ ’’।
