Odia News Portal

ଆଜିଠାରୁ ବିଜେଡିର ପଦଯାତ୍ରା

ଆଜି ଗାନ୍ଧି ଜୟନ୍ତୀରେ ପଦଯାତ୍ରା ଆରମ୍ଭ କରୁଛି ବିଜେଡି । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ଅଭିଯାନ । ରୂପାନ୍ତରିତ ଓଡ଼ିଶା ଓ ସେବା ସଂକଳ୍ପର ବାର୍ତ୍ତା ପହଞ୍ଚାଇବେ ଦଳୀୟ ନେତା ଓ କର୍ମୀ ।

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେବ୍ୟାପୀ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ସହିଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ଦଳ ।

ଦେଶର ସ୍ବାଧୀନତା ସଂଗ୍ରାମ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଶେଷ ଦିନରେ ରାଜ୍ୟବାସୀଙ୍କ ସେବା ପାଇଁ ସମୂହ ଶପଥପାଠ କରିବେ ଦଳୀୟ କର୍ମୀ ।