Odia News Portal

ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ

ଭାରତ ଗୁରୁବାର ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ଭେଟିବ । ଆଡିଲେଡ୍ ଓଭାଲରେ ଖେଳାଯିବାକୁ ଥିବା ଏହି ନକ୍ ଆଉଟ୍ ମୁକାବିଲାକୁ ଭାରତ ଯଦି ଅତିକ୍ରମ କରେ ତେବେ ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଆଉ ଏକ ସୁଯୋଗ ପାଇବ । ଏଥିପାଇଁ ଟିମ୍ ଇଣ୍ଡିଆକୁ ପ୍ରଥମେ ଇଂଲଣ୍ଡ ଚ୍ୟାଲେଞ୍ଜର ପ୍ରତିହତ କରିବାକୁ ପଡ଼ିବ । ନକ୍ ଆଉଟରେ ଝୁଣ୍ଟିବାର ଲମ୍ବା ଧାରାକୁ ଭାଙ୍ଗିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ ।

ଚଳିତ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରେ ଇଂଲଣ୍ଡ ଅପେକ୍ଷା ଭାରତ ଚମତ୍କାର ପ୍ରଦର୍ଶନ କରିଛି । ହେଲେ ସେମିଫାଇନାଲରେ ଦ୍ୱିତୀୟ ସୁଯୋଗ ମିଳିବନି । ତେଣୁ ଭାରତକୁ ସବୁ ବିଭାଗରେ ରଣନୀତିକୁ ସଠିକ କାର୍ଯ୍ୟକାରୀ କରିବାକୁ ପଡ଼ିବ । କାରଣ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବାକୁ ଥିବା ବେଳେ ପରାଜିତ ଦଳ ବିଦା ହେବ । ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ସ୍ପଷ୍ଟ କରିସାରିଛନ୍ତି ଯେ ସେମାନେ ଏଯାବତ ଶ୍ରେଷ୍ଠ ପ୍ରଦଶର୍ନ କରିନାହାଁନ୍ତି । ବୋଧହୁଏ ସେମିଫାଇନାଲରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଓ ଖୋଦ୍ ତାଙ୍କ ଠାରୁ ଶ୍ରେଷ୍ଠ ପ୍ରଦର୍ଶନ ଦେଖିବାକୁ ମିଳିପାରେ ବୋଲି ଷ୍ଟୋକ୍ସ କହି ଭାରତକୁ ପରୋକ୍ଷ ଚେତାବନୀ ଦେଇଛନ୍ତି ।

ଏହାଛଡ଼ା ଆଇସିସି ଇଭେଣ୍ଟ ଗୁଡ଼ିକର ନକ୍ ଆଉଟ୍ ପର୍ଯ୍ୟାୟରେ ଭାରତର ରେକର୍ଡ ଭଲ ନୁହେଁ । ୨୦୧୩ ପରଠୁ ଭାରତ ବହୁଥର ନକ୍ ଆଉଟ୍ ପର୍ଯ୍ୟାୟ ଅତିକ୍ରମ କରିବାରେ ବିଫଳ ହୋଇଛି । ୨୦୧୪ ଟି୨୦ ବିଶ୍ୱକପ୍ ଫାଇନାଲ, ୨୦୧୬ ଟି୨୦ ବିଶ୍ୱକପ ସେମିଫାଇନାଲ, ୨୦୧୭ ଚାମ୍ପିୟନ୍ସ ଟ୍ରଫି ଫାଇନାଲ ଓ ୨୦୧୯ ଦିନିକିଆ ବିଶ୍ୱକପ ସେମିଫାଇନାଲରେ ଭାରତୀୟ ଦଳ ପରାସ୍ତ ହୋଇଥିଲା । ଯଦିଓ ରୋହିତ ଶର୍ମା ସେହି ସବୁ ନକ୍ ଆଉଟ୍ ମ୍ୟାଚ୍ ଗୁଡ଼ିକରେ ଖେଳଥିଲେ, ସେ ଦଳର ଅଧିନାୟକ ନଥିଲେ । ନିଜ ଅଧିନାୟକ କ୍ୟାରିୟରର ସବୁଠୁ ନିର୍ଣ୍ଣାୟକ ପର୍ଯ୍ୟାୟରେ ପହଞ୍ଚିଥିବା ରୋହିତ ଉକ୍ତ ନକ୍ ଆଉଟ୍ ମ୍ୟାଚ ଗୁଡ଼ିକରେ ପରାଜୟର ଗ୍ଲାନି ଅନୁଭବ କରିନପାରନ୍ତି ।

ଚଳିତ ବିଶ୍ୱକପରେ ରୋହିତ ଏକ ବଡ଼ ଇନିଂସ୍ ଅପେକ୍ଷାରେ ଅଛନ୍ତି । ଏଯାବତ ସେ ୫ଯି ମ୍ୟାଚରୁ ମାତ୍ର ୮୯ ରନ୍ କରିଛନ୍ତି । ସେମିଫାଇନାଲରେ ୁ ଏକ ମ୍ୟାଚ୍ ବିଜୟୀ ଇନିଂସ୍ ସହ ରୋହିତ ସମାଲୋଚକଙ୍କ ମୁହଁ ବନ୍ଦ କରିବେ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ଚମତ୍କାର ଫର୍ମରେ ଥିବା ସୁପରଷ୍ଟାର ବିରାଟ କୋହଲି ତାଙ୍କୁ ବେଶି ଥର ଆଉଟ୍ କରିଥିବା ଇଂଲଣ୍ଡ ସ୍ପିନର ଆଦିଲ ରସିଦଙ୍କ ଠାରୁ ଏଥର ପ୍ରତିଶୋଧ ନେବାକୁ ଚାହିଁବେ । ସେହିପରି ସାମ୍ କରନ ଓ ମାର୍କ ଉଡଙ୍କ ଭଳି ଦ୍ରୁତ ବୋଲରଙ୍କ ବିପକ୍ଷରେ କ୍ରିକେଟର ନୂଆ ‘ମିଷ୍ଟର ୩୬୦’ ସୂର୍ଯ୍ୟକୁମାରଙ୍କ ଠାରୁ ମଧ୍ୟ ଆଉ ଏକ ସ୍ପେଶାଲ ଇନିଂସ୍ ଆଶା କରିବ ଭାରତୀୟ ଦଳ ।

ବିଶ୍ୱର ଦୁଇ ଶୀର୍ଷ ମାନ୍ୟତାପ୍ରାପ୍ତ ଦଳ ମଧ୍ୟରେ ସେମିଫାଇନାଲରେ ଦୁଇ ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ମଧ୍ୟରେ ପ୍ରତିଯୋଗିତା ମଧ୍ୟ ଦେଖିବାକୁ ମିଳିବ । ପ୍ରଶଂସକ ମେଲବୋର୍ଣ୍ଣରେ ଭାରତ-ପାକିସ୍ତାନ ଫାଇନାଲ ଦେଖିବାକୁ ଚାହୁଁଛନ୍ତି । ବୁଧବାର ଅନୁଷ୍ଠିତ ପ୍ରଥମ ସେମିରେ ନ୍ୟୁଜିଲାଣ୍ଡକୁ ହରାଇ ପାକିସ୍ତାନ ମଧ୍ୟ ଫାଇନାଲରେ ପ୍ରବେଶ କରିଛି । ଏବେ ଭାରତ ଟାଇଟଲ ମୁକାବିଲାକୁ ଉନ୍ନୀତ ହୋଇପାରିବ କି ନାହିଁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ପ୍ରଶଂସକ ଓ ବିଶେଷଜ୍ଞ । ଯଦି ଏହି ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କ ମଧ୍ୟରେ ଟାଇଟଲ ଲଢେଇ ହୁଏ ତେବେ ଅକ୍ଟୋବର ୨୩ ଭଳି ଏକ ରୋମାଞ୍ଚକ ମୁକାବିଲାର ପୁନରାବୃତ୍ତି ହୋଇପାରେ ।