Odia News Portal

କାଳିଆ ଯୋଜନା ହିତାଧିକାରୀଙ୍କ ପିଲାଙ୍କୁ ମିଳିବ ଛାତ୍ରବୃତ୍ତି

ଉଚ୍ଚଶିକ୍ଷା ପାଇଁ କାଳିଆ ଯୋଜନାର ପରିବର୍ଦ୍ଧିତ ଛାତ୍ରବୃତ୍ତିକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ। ଏ ନେଇ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ସଂଶୋଧିତ ମାର୍ଗଦର୍ଶିକା ଜାରି କରାଯାଇଛି। ଏଥିରେ ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା ଲାଗି ରାଜ୍ୟ ଓ ରାଜ୍ୟ ବାହାରର ନାମି ସରକାରୀ ଶିକ୍ଷାନୁଷ୍ଠାନ ସମେତ ରାଜ୍ୟର ଅଲ୍ଇଣ୍ଡିଆ ସର୍ଭେ ଅନ୍ ହାୟର ଏଜୁକେସନ୍ କୋଡପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନଗୁଡ଼ିକୁ ସାମିଲ କରାଯାଇଛି।

ପୂର୍ବରୁ ସରକାରୀ ଶିକ୍ଷାନୁଷ୍ଠାନର ବୃତ୍ତିଗତ କିମ୍ବା ବୈଷୟିକ ଶିକ୍ଷାରେ ଗ୍ରାଜୁଏସନ୍ ପାଠ୍ୟକ୍ରମ, ଏମ୍ବିବିଏସ୍, ବିଡ଼ିଏସ୍, ବିଏଚ୍ଏମ୍ଏସ୍, ବି. ଫାର୍ମା ଭଳି ପାଠ୍ୟକ୍ରମ ରହିଥିଲା । ଏହାକୁ ବର୍ତ୍ତମାନ ପରିବର୍ଦ୍ଧିତ କରାଯାଇ ବିବିଏ ଓ ବିସିଏ ପାଠ୍ୟକ୍ରମ ସାମିଲ କରାଯାଇଛି । ରାଜ୍ୟର ଘରୋଇ ଶିକ୍ଷାନୁଷ୍ଠାନରେ ତତୁଲ୍ୟ ପାଠ୍ୟକ୍ରମ କାଳିଆ ଛାତ୍ରବୃତ୍ତିରେ ସାମିଲ କରାଯାଇଛି।

ସେହିପରି ବୃତ୍ତିଗତ କିମ୍ବା ବୈଷୟିକ ପାଠ୍ୟକ୍ରମ ଯେପରି ଏମ୍.ଟେକ୍, ଏମ୍ଏସ୍ ଏଗ୍ରି, ଏମ୍ଏସ୍ସି ଫରେଷ୍ଟ୍ରି, ମେଡ଼ିକାଲ ସାଇନ୍ସରେ ପିଜି, ଏମ୍ବିଏ, ଏମ୍ସିଏ, ଏମ୍.ଫାର୍ମ ଏବଂ ତତୁଲ୍ୟ ମାଷ୍ଟର ପ୍ରୋଗ୍ରାମ ପାଠ୍ୟକ୍ରମକୁ ଛାତ୍ରବୃତ୍ତିରେ ଅନ୍ତର୍ଭୁକ୍ତ କରାଯାଇଛି। ସ୍ନାତକୋତ୍ତର ପାଠ୍ୟକ୍ରମ ପାଇଁ ସର୍ବାଧିକ ଦୁଇବର୍ଷ ଏବଂ ପିଏଚଡି କୋର୍ସ ପାଇଁ ୪ ବର୍ଷ ପାଇଁ ବୃତ୍ତି ଦିଆଯିବ। ପି.ଏଚ୍.ଡ଼ି ପାଠ୍ୟକ୍ରମଟି ତାଲିକାଭୁକ୍ତ ହୋଇଥିବା ପିଜି ପାଠ୍ୟକ୍ରମ ସଂପୃକ୍ତ ହୋଇଥିବା ଆବଶ୍ୟକ । ଏହା କେବଳ ରାଜ୍ୟ ଭିତରର ସରକାରୀ ଶିକ୍ଷାନୁଷ୍ଠାନ କ୍ଷେତ୍ର ପାଇଁ ଲାଗୁ ହେବ। ସେହିପରି ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରଛାତ୍ରୀ ମାନେ ମଧ୍ୟ କାଳିଆ ଛାତ୍ରବୃତ୍ତି ପାଇବେ ।ଏହାସହ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରିମିୟର ସରକାରୀ ଶିକ୍ଷାନୁଷ୍ଠାନ ଯଥା ଏନ୍ଆଇଟି, ଆଇଆଇଟି, ଆଇଆଇଏମ୍, ଆଇଜର, ନାଇଜର ଆଦି ଶିକ୍ଷାନୁଷ୍ଠାନରେ ବୈଷୟିକ କିମ୍ବା ବୃତ୍ତିଗତ ପାଠ୍ୟକ୍ରମକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। କାଳିଆ ଯୋଜନାର ହିତାଧିକାରୀ ପରିବାରର ପିଲାମାନେ ଏହି ଛାତ୍ରବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହେବେ। ସେଲଫ୍ ଫାଇନାନ୍ସିଂ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ ନାହିଁ ।

କେବଳ ଗୋଟିଏ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ବୃତ୍ତି ଦିଆଯିବ। ୟୁଜି, ପିଜି, ପିଏଚ୍ଡ଼ି ଏବଂ ପି୍ରମିୟର ଶିକ୍ଷାନୁଷ୍ଠାନରେ ହଷ୍ଟେଲର ମେସ୍ ଖର୍ଚ୍ଚ ବାବଦରେ ମାସକୁ ୧୨୦୦ ଟଙ୍କା ଏବଂ ଡିପ୍ଲୋମା, ପଲିଟେକ୍ନିକ୍, ଆଇଟିଆଇ ବିଦ୍ୟାର୍ଥୀମାନଙ୍କୁ ମାସକୁ ଏକ ହଜାର ଟଙ୍କା ବର୍ଷର ୧୦ ମାସ ପାଇଁ ଉଭୟ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ପାଇଁ ଦିଆଯିବ।