Odia News Portal

କୋରାପୁଟକୁ ଛାଡି ସବୁଠି ବଦଳିଲେ ପ୍ରାର୍ଥୀ 

୯ ଲୋକସଭା ପ୍ରାର୍ଥୀଙ୍କ ଭିତରୁ ୮ ନୂଆ ମୁହଁ । ବୁଧବାର ବିଜେଡି ଘୋଷଣା କରିଥିବା ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରୁ କେବଳ କୋରାପୁଟ ପ୍ରାର୍ଥିନୀ କୌଶଲ୍ୟା ହିକ୍କକାଙ୍କୁ ଛାଡିଦେଲେ, ସମସ୍ତ ଆସନରେ ପ୍ରାର୍ଥୀ ବଦଳାଇଛି ବିଜୁ ଜନତା ଦଳ । ୯ ଆସନରୁ ୮ ସ୍ଥାନରେ ଦଳ ନୂଆ ମୁହଁଙ୍କୁ ଭରସା କରି ନିର୍ବାଚନୀ ବୈତରଣୀ ପାର୍ ହେବାକୁ ଅଣ୍ଟା ଭିଡିଛି ।

ସମ୍ବଲପୁର

୨୦୧୯ ସାଧାରଣ ନିର୍ବାଚନରେ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେଇଥିଲେ ନଳିନୀକାନ୍ତ ପ୍ରଧାନ । ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବଙ୍କ ଚେକ୍ ଦେବାକୁ ବିଜେଡି ଏଠାରୁ ତାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ କଡ୍ଡା ଟକ୍କର ସତ୍ତେ୍ୱ ବି ବିଜେପି ପ୍ରାର୍ଥୀ ନୀତେଶ ଗଙ୍ଗଦେବ ଏଠାରୁ ବିଜୟୀ ହେଇଥିଲେ । ତେବେ ୨୦୧୯ରୁ ୨୦୨୪ ଭିତରେ ସମ୍ବଲପୁର ରାଜନୀତି ଢେର ବଦଳିଛି । ବିଜେପି ଏଠାରେ ନିଜର ପ୍ରାର୍ଥୀ ବଦଳାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ପ୍ରାର୍ଥୀ କରିଛି । ଆଉ ବିଜେପିକୁ ଚେକ୍ ଦେବାକୁ ବିଜେଡି ଏଠାରେ ନିଜର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ପ୍ରାର୍ଥୀ କରିଛି । ସମ୍ବଲପୁର ଆସନରେ ଦୁଇଟି ଯାକ ଦଳ ଏଥର ନୂଆ ମୁହଁ ସାମ୍ନାକୁ ଆଣିଛନ୍ତି ।

ଭୁବନେଶ୍ୱର

ଗତଥର ଏଠାରେ ଆଇଏଏସ୍ ଏବଂ ଆଇପିଏସ୍ ଲଢେଇ ଦେଖିବାକୁ ମିଳିଥିଲା । ବିଜେପି ପ୍ରାର୍ଥୀ ଅପରାଜିତା ଷଢଙ୍ଗୀଙ୍କୁ ଟକ୍କର ଦେଇଥିଲେ ବିଜେଡିର ଅରୂପ ପଟ୍ଟନାୟକ । ହେଲେ ଏଥର କିନ୍ତୁ ଅପରାଜିତାଙ୍କୁ ଟକ୍କର ଦେବାକୁ ଯୁବ ଚେହେରାଙ୍କୁ ସାମ୍ନାକୁ ଆଣିଛି ବିଜେଡି । ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କୁ ମିଳିଛି ବିଜେଡି ଲୋକସଭା ଟିକେଟ୍ । ଅରୂପ ପଟ୍ଟନାୟକଙ୍କ ବଦଳରେ ଏଠାରେ ପ୍ରାର୍ଥୀ ବଦଳାଇ ଭାଗ୍ୟ ମଧ୍ୟ ବଦଳାଇବାକୁ ଲକ୍ଷ୍ୟ ରଖିଛି ଶଙ୍ଖ ଦଳ ।

ସୁନ୍ଦରଗଡ

ଦୀର୍ଘ ଦୁଇଟି ସାଧାରଣ ନିର୍ବାଚନରେ ସୁନ୍ଦରଗଡ ଆସନ ବିଜେପିର ଅଭେଦ୍ୟ ଦୁର୍ଗ ପାଲଟିଛି । ଏହି ଆସନରୁ ଜିତାପଟ ହାସଲ କରି ସାଂସଦ ଜୁଏଲ୍ ଓରାମ କେନ୍ଦ୍ରମନ୍ତ୍ରୀ ମଧ୍ୟ ହେଇଛନ୍ତି । ଆଉ ଏଥର ପୁଣିଥରେ ଜୁଏଲଙ୍କୁ ଭରସା କରି ସୁନ୍ଦରଗଡ ଟିକେଟ୍ ଦେଇଛି ବିଜେପି । ହେଲେ ଏଥର କିନ୍ତୁ ନିଜର ସୁନ୍ଦରଗଡ ଯୋଦ୍ଧା ବଦଳାଇଛି ବିଜେଡି । ସୁନୀତା ବିଶ୍ୱାଳଙ୍କ ବଦଳରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଦିଲ୍ଲୀପ ତିର୍କୀଙ୍କ ଉପରେ ଭରସା କରିଛି ଦଳ । ସୁନ୍ଦରଗଡ ହକିର ଏନ୍ତୁଡିଶାଳ ଭାବେ ବେଶ ପରିଚିତ । ତେଣୁ ଦିଲ୍ଲୀପଙ୍କୁ ଟିକେଟ୍ ଦେଇ ଦଳ ଏଠାରୁ ବିଜୟ ବାନା ଉଡାଇବାକୁ ଲକ୍ଷ୍ୟ ରଖିଛି ।

କଳାହାଣ୍ଡି

ଗତ ୨୦୧୯ ସାଧାରଣ ନିର୍ବାଚନରେ ୨୧ଟି ଲୋକସଭା ଆସନ ମଧ୍ୟରୁ ଯେଉଁ ୮ଟି ଆସନ ବିଜେପି ହାତକୁ ଯାଇଥିଲା, ସେ ମଧ୍ୟରୁ ଗୋଟିଏ ଆସନ ଥିଲା କଳାହାଣ୍ଡି । ସାଂସଦ ବସନ୍ତ କୁମାର ପଣ୍ଡାଙ୍କୁ ଦଳ ଏଠାରୁ ଟିକେଟ୍ ଦେବା ସହିତ, ବସନ୍ତ ମଧ୍ୟ ଏଠାରୁ ବିଜେଡିକୁ ହରାଇ ସଂସଦଙ୍କୁ ନିର୍ବାଚିତ ହେଇଥିଲେ । ହେଲେ ୨୦୧୯ରୁ ୨୦୨୪ ଭିତରେ କଳାହାଣ୍ଡିର ରାଜନୀତିରେ ଢେର ପରିବର୍ତ୍ତନ ଆସିଛି । ବିଜେପି ଏଠାରେ ନିଜର ବର୍ତ୍ତମାନର ସାଂସଦଙ୍କୁ ଟିକେଟ୍ ଦେଇନଥିବାବେଳେ, ବିଜେଡି ମଧ୍ୟ ନିଜର ପ୍ରାର୍ଥୀ ବଦଳାଇଛି । ବସନ୍ତ ପଣ୍ଡାଙ୍କ ବଦଳରେ ଏଥର ବିଜେପି ଟିକେଟ୍ ମାଳବିକା କେଶରୀ ଦେଓଙ୍କୁ ମିଳିଛି । ସେହିପରି ବିଜେଡି ମଧ୍ୟ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ବଦଳରେ ଲମ୍ବୋଧର ନିଆଳଙ୍କୁ ପ୍ରାର୍ଥୀ କରିଛି ।

ମୟୂରଭଞ୍ଜ

ମୟୂରଭଞ୍ଜରେ ମଧ୍ୟ ଏଥର ଉଭୟ ବିଜେଡି-ବିଜେପି ନୂଆ ପ୍ରାର୍ଥୀଙ୍କୁ ସାମ୍ନାକୁ ଆଣିଛନ୍ତି । ବିଜେପି କେନ୍ଦ୍ରମନ୍ତ୍ରୀ ଥିବା ବିଶ୍ୱେଶ୍ୱର ଟୁଡୁଙ୍କୁ ଟିକେଟ୍ କାଟିଥିବାବେଳେ, ବିଜେଡି ମଧ୍ୟ ଗତ ଥରର ପ୍ରାର୍ଥୀ ଦେବାଶିଷ ମାର୍ଣ୍ଡିଙ୍କୁ ଟିକେଟ୍ ଦେଇନି । ତେବେ ଏଥର ମୟୂରଭଞ୍ଜରେ ନବ ବନାମ ସୁଦାମ ଲଢେଇ ଦେଖିବାକୁ ମିଳିବ । ବିଜେପି ଏଠାରୁ ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀଙ୍କୁ ଟିକେଟ୍ ଦେଇଥିବାବେଳେ, ବିଜେଡି ମଧ୍ୟ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ଟିକେଟ୍ ଦେଇଛି । ତେଣୁ ବିଧାୟକରୁ କେଉଁ ଦଳର ପ୍ରାର୍ଥୀ ଏବେ ସିଧା ଲୋକସଭାକୁ ନିର୍ବାଚିତ ହେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

କେନ୍ଦ୍ରାପଡା

୨୦୧୯ ସାଧାରଣ ନିର୍ବାଚନ କେନ୍ଦ୍ରାପଡା ଲୋକସଭା ଆସନ ହିଁ ସବୁଠୁ ଅଧିକ ଚର୍ଚ୍ଚାରେ ରହିଥିଲା । କାହିଁକି ନା, ଏହି ଆସନରୁ ବିଜେପି ବୈଜୟନ୍ତ ପଣ୍ଡାଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେଡି ଲୋକପ୍ରିୟ ସିନେ ଅଭିନେତା ଅନୁଭବ ମହାନ୍ତିଙ୍କୁ ଟିକେଟ୍ ଦେଇଥିଲା । ଆଉ ଅନୁଭବ ମଧ୍ୟ ଏହି ଆସନରୁ ବିଜୟ ହାସଲ କରିଥିଲେ । ହେଲେ ପାରିବାରିକ ବିବାଦରେ ଛନ୍ଦି ହେବା ପରେ ଏବେ ଅନୁଭବ ମହାନ୍ତିଙ୍କୁ ଟିକେଟ୍ କଟିଛି । ବିଜେପି ପୁଣିଥରେ ବୈଜୟନ୍ତଙ୍କ ଉପରେ ଭରସା କରିଥିବାବେଳେ, ବିଜେଡି ପୂର୍ବତନ ମନ୍ତ୍ରୀ ନଳିନୀ ମହାନ୍ତିଙ୍କ ପୁଅ ଅଂଶମାନ ମହାନ୍ତିଙ୍କୁ ଟିକେଟ୍ ଦେଇଛି । ଅଂଶୁମାନ ୨୦୧୪ରେ ରାଜନଗରରୁ ବିଧାୟକ ନିର୍ବାଚିତ ହେଇଥିଲେ, ଆଉ ୨୦୧୯ରେ ପରାଜୟ ବରଣ କରିଥିଲେ । ନିକଟରେ ସେ ହାତ ଛାଡି ଶଙ୍ଖ ଧରିଥିବାବେଳେ, ଏବେ ଦଳ ତାଙ୍କୁ ଦେଇଛି ଲୋକସଭା ଟିକେଟ୍ ।

ନବରଙ୍ଗପୁର

ଗତଥର ନବରଙ୍ଗପୁର ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢିଥିବା ପ୍ରଦୀପ ମାଝୀ, ଏଥର ବିଜେଡି ଟିକେଟରୁ ଲଢିବେ ଲୋକସଭା ନିର୍ବାଚନ । ବିଜେଡି ତାଙ୍କୁ ଲୋକସଭା ନିର୍ବାଚନ ପାଇଁ ନବରଙ୍ଗପୁରରୁ ପ୍ରାର୍ଥୀ କରିଛି । ତେବେ ୨୦୧୯ରେ କିନ୍ତୁ ଏହି ଆସନରୁ ବିଜେଡି ପ୍ରାର୍ଥୀ ହେଇଥିଲେ ରମେଶ ଚନ୍ଦ୍ର ମାଝୀ । ଏବେ ରମେଶଙ୍କୁ କିନ୍ତୁ ବିଧାନସଭା ପ୍ରାର୍ଥୀ କରି ପ୍ରଦୀପ ମାଝୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି ବିଜେଡି । ଏହି ଆସନରେ ଏଥର ମଧ୍ୟ ଦଳ ନିଜର ପ୍ରାର୍ଥୀ ପରିବର୍ତ୍ତନ କରିଛି ।

ଆସ୍କା

ଗତଥର ଚର୍ଚ୍ଚାରେ ରହିଥିବା ଲୋକସଭା ଆସନ ମଧ୍ୟରୁ ଗୋଟିଏ ଥିଲା ଆସ୍କା । କାହିଁକି ନା ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ ଯାହା ହେଉ ନା କାହିଁକି, ଏହି ଆସନରୁ ବିଜେଡି ଟିକେଟରେ ଲଢିଥିବା ପ୍ରମିଳା ବିଶୋୟୀ ନିର୍ବାଚନ ଜିତିଥିଲେ ଆଉ ଲୋକସଭାକୁ ନିର୍ବାଚିତ ହେଇଥିଲେ । ହେଲେ ଏଥର କିନ୍ତୁ ପ୍ରମିଳାଙ୍କ ଟିକେଟ୍ କଟିଛି । ତାଙ୍କ ବଦଳରେ ଦଳ ରଞ୍ଜିତା ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ, ବିଜେପି ପ୍ରାର୍ଥୀ ଅନୀତା ଶୁଭଦର୍ଶିନୀଙ୍କୁ ସେ ଟକ୍କର ଦେବେ ।

୯ଟି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବାବେଳେ, ଏହା ମଧ୍ୟରୁ କେବଳ କୋରାପୁଟ ଆସନରେ ବିଜେଡି ନିଜ ପ୍ରାର୍ଥୀଙ୍କୁ ରିପିଟ୍ କରିଛି । କୋରାପୁଟ ଲୋକସଭା ଆସନ ପାଇଁ ବିଜେଡି ପୁଣିଥରେ କୌଶଲ୍ୟା ହିକ୍କକାଙ୍କୁ ପ୍ରାର୍ଥୀ କରିଛି । ତେଣୁ ଦେଖିବା ବାକି ରହିଲା, ବିଜେଡିର ଏହି ପ୍ରାର୍ଥୀ ପରିବର୍ତ୍ତନ ଫର୍ମୁଲା ଦଳକୁ କେତେ ଫାଇଦା ଦେଉଛି?