Odia News Portal

ଖୁବ ଶୀଘ୍ର ଆସିବ ବିଜେଡି ନିର୍ବାଚନୀ ଇସ୍ତାହାର

 ଶୀଘ୍ର ଆସିବ ବିଜେଡିର ନିର୍ବାଚନୀ ଇସ୍ତାହାର । ଗତ ଶନିବାର ଶଙ୍ଖ ଭବନରେ ପ୍ରଥମ ବୈଠକ ବସିବା ପରେ ମତାମତ ଆସିବା ଆରମ୍ଭ ହୋଇଛି । ଏଥର ଛାତ୍ର ଓ ଯୁବକଙ୍କୁ ଇସ୍ତାହରରେ ବିଜେଡି ଦେବ ପ୍ରାଥମିକତା ।ଚାଷୀ, ମହିଳାଙ୍କ ପରି ବିଜେଡି ଫୋକସରେ ଯୁବକ ଓ ଛାତ୍ର । ଏଥର ବି ଦଳର ନିର୍ବାଚନୀ ଇସ୍ତାହାରରେ ସବୁ ବର୍ଗକୁ ମିଳିବ ପ୍ରାଧାନ୍ୟ । ଖାସ୍ କରି ଛାତ୍ର ଇସ୍ତାହାର ଓ ଯୁବ ବଜେଟକୁ ଗୁରୁତ୍ବ ଦେବ ବିଜୁ ଜନତା ଦଳ ।

ଛାତ୍ର ଓ ଯୁବ ସମାଜର ଭବିଷ୍ୟତ ଗଢିବାରେ ଏସବୁ ହେବ ସହାୟକ । ଛାତ୍ର ଇସ୍ତାହାରରେ କ’ଣ ରହିବ, ସେ ନେଇ ବିଭିନ୍ନ ଜିଲ୍ଲାରୁ ଛାତ୍ରଛାତ୍ରୀଙ୍କ ମତାମତ ଅଣାଯାଇଛି । ସେହିପରି କୃଷି ବଜେଟ ପରି ଯୁବ ବଜେଟ ଆଣାଯିବ । ଦକ୍ଷତା ବିକାଶ ସହ ଯୁବକଙ୍କୁ ରୋଜଗାରକ୍ଷମ କରିବା ଲକ୍ଷ୍ୟ ନେଇ ଏହି ବଜେଟ ପ୍ରସ୍ତୁତ କରାଯିବ ।

ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ କ୍ୟାବିନେଟରେ ହିଁ ଛାତ୍ର ଇସ୍ତାହାର ଓ ଯୁବ ବଜେଟ ଉପରେ ମୋହର ମାରିବେ ନବୀନ । ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା ବିଜେଡିର ୩୮ ଜଣିଆ ନିର୍ବାଚନ ଇସ୍ତାହାର କମିଟି କାମ ଆରମ୍ଭ କରି ଦେଇଛି । ଏ ସମସ୍ତ ନେତା ସମାଜର ବିଭିନ୍ନ କ୍ଷେତ୍ର, ବିଭିନ୍ନ ଅଞ୍ଚଳ, ବିଭିନ୍ନ ବର୍ଗର ଲୋକଙ୍କ ମତାମତ ନେଇ ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା ଗଠନ ପାଇଁ ଆଲୋଚନା କରି ଦଳୀୟ ଇସ୍ତାହାର ପ୍ରସ୍ତୁତ କରୁଛନ୍ତି । ଇସ୍ତାହାରର ଚୂଡ଼ାନ୍ତ ରୂପରେଖରେ ମୋହର ମାରିବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକଙ୍କ ମୌଳିକ ଆବଶ୍ୟକତାକୁ ଫୋକସ ଦିଆଯାଇଥିବାବେଳେ ସେଥ‌ିରେ ରହିବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର ଗ୍ୟାରେଣ୍ଟି ।